କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱରଙ୍କ ଅମାପ କଳାଟଙ୍କା। ସାଲିଆସାହି ବସ୍ତିରୁ ମିଳିଲା ବଣ୍ଡଲ ବଣ୍ଡଲ ଟଙ୍କା

200

କନକ ବ୍ୟୁରୋ: କୋଟିପତି କାର୍ତିକେଶ୍ୱର ରାଉଳଙ୍କ ଯେଉଁ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ହାତ ମାରୁଛି, ସେଠାରୁ କୋଟି କୋଟି ନଗଦ ଟଙ୍କା ମିଳୁଛି । ପ୍ରଥମେ ଦ୍ୱିତୀୟ ପତ୍ନୀଙ୍କ ଘରୁ ୨ କୋଟି ମିଳିଲା ଭୁବନେଶ୍ୱରର ଏକ ଆଭିଜାତ୍ୟଭରା ଆପାର୍ଟମେଣ୍ଟରୁ, ଆଉ ଆଜି ପ୍ରାୟ ଦେଢ଼ କୋଟି ଟଙ୍କା ମିଳିଛି ସାଲିଆ ସାହି ବସ୍ତିରେ ଥିବା ଏକ ଛୋଟ ଚାଳିଆ ଘରୁ । ପାପ ଟଙ୍କାକୁ କିପରି ଖର୍ଚ୍ଚ କରିବେ, ତାର ଥଳକୂଳ ପାଉ ନଥିଲେ କାର୍ତିକେଶ୍ୱର । କେତେବେଳେ ପୁରା ନଗଦ ଦେଇ ଘର କିଣୁଥିଲେ, ତ କେତେବେଳେ ଆଟାର୍ଚି ଭର୍ତ୍ତି କରି ଟଙ୍କା ରଖୁଥିଲେ ।

ରାଜଧାନୀ ସାଲିଆସାହି ବସ୍ତିରୁ ଭିଜିଲାନ୍ସକୁ ମିଳିଲା ପୁଳାପୁଳା ଟଙ୍କା । ଭିଜିିଳାନ୍ସ ଜାଲରେ ପଡିଥିବା ଭଞ୍ଜନଗର ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ କାର୍ତିକେଶ୍ୱର ରାଉଳଙ୍କ ଶାଳୀ ଅର୍ଥାତ୍ ଦ୍ୱିତୀୟ ପତ୍ନୀଙ୍କ ଭଉଣୀ ରହୁଥିବା ଛୋଟ ଘର ଭିତରୁ ଜବତ କରାଯାଇଛି ୧ କୋଟି ୪୧ ଲକ୍ଷରୁ ଅଧିକ ନଗଦ ଟଙ୍କା ସହ ସୁନା ରୂପା ଅଳଙ୍କାର । ତେବେ ମାତ୍ର ୩ ଦିନ ଆଗରୁ ଏକ ଘରକୁ ଆସିଥିଲେ ଉର୍ବଶୀ ପ୍ରଧାନ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଅଖା ମୁଣ୍ଡାଇ ଆସିଥିବା ସେମାନେ ଦେଖିଛନ୍ତି । ତେଣୁ ଭିଜିଲାନ୍ସ ରେଡର ଆଭାସ୍ ପାଇ କାର୍ତିକେଶ୍ୱର ରାଉଳ ପୁଳା ପୁଳା ପାପ ଟଙ୍କା ନିଜ ଦ୍ୱିତୀୟ ସ୍ତ୍ରୀ ଏବଂ ଶାଳୀ ଘରେ ଆଣି ଲୁଚାଇ ରଖିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

ପୂର୍ବରୁ କୁବେର ଯନ୍ତ୍ରୀଙ୍କ ଦ୍ୱିତୀୟ ପତ୍ନୀ ପ୍ରମିଳାଙ୍କ ଘରେ ଚଢାଉ କରି ଭିଜିଲାନ୍ସ ନଗଦ ୨ କୋଟି ୪୦ ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିଲା । ଆଉ ପ୍ରମିଳାଙ୍କୁ ପଚରା ଉଚରା ପରେ ଶନିବାର ସାଲିଆସାହିର ଏହି ଠିକଣା ଉପରେ ରେଡ୍ କରିଥିଲା ଭିଜିଲାନ୍ସ । କଳାଟଙ୍କା ଲୁଚାଇବା ପାଇଁ ଯନ୍ତ୍ରୀଙ୍କ ଶାଳୀ ଏପରି ବସ୍ତିରେ ଥିବା ଘର ବାଛିଥିଲେ ଯେ, ପଡୋଶୀ ମଧ୍ୟ ସାମାନ୍ୟ ସୁରାକ ପାଇପାରିନଥିଲେ ।

କୋଟିପତି ଯନ୍ତ୍ରୀଙ୍କ ଦ୍ୱିତୀୟ ପତ୍ନୀ ପମିଳାଙ୍କ ଘରୁ ବିପୁଳ ପରିମାଣର ଆୟ ବହିର୍ଭୂତ ସମ୍ପତି ଠାବ ହେବା ପରେ ଶନିବାର ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । କଳାଟଙ୍କା ଲୁଚାଇବାରେ କାର୍ତିକେଶ୍ୱରଙ୍କୁ ସାହାଯ୍ୟ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଶାଳୀ ଉର୍ବଶୀ ଓ ପୁତୁରାଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ଭିଜିଲାନ୍ସ । ଚଢାଉ ବେଳେ ଏମାନେ ରାଜଧାନୀର ପୋଖରୀପୁଟ ଅଞ୍ଚଳରେ ଏକ ତିନି ମହଲା ଘର କିଣିଥିବା ମଧ୍ୟ ପ୍ରମାଣ ମିଳିଛି । ଆଉ ଏହି ଘରକୁ କିଣିବାକୁ ୭୮ ଲକ୍ଷ ୫୦ ହଜାର ଟଙ୍କାର ନଗଦ କାରବାର ହୋଇଥିବା ଜଣାପଡିଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୋଟିପତି ସହକାରୀ ଯନ୍ତ୍ରୀଙ୍କର ଆୟ ଅନୁସାରେ ବ୍ୟୟ ପାଖାପାଖି ହଜାରେ ପ୍ରତିଶତ ଅଧିକ ବୋଲି ଆକଳନ କରିଛି ଭିଜିଲାନ୍ସ । ତିନି ଦିନିଆ ରିମାଣ୍ଡରେ ଥିବା କୁବେର ଯନ୍ତ୍ରୀଙ୍କ ଠାରୁ ଆଗକୁ ଆହୁରି ତଥ୍ୟ ମିଳିବା ସହ ଅଧିକ ସମ୍ପତି ଠାବ ହୋଇପାରେ ବୋଲି ଆଶା କରୁଛି ଭିଜିଲାନ୍ସ ।