ଇଞ୍ଜିନିୟର ଗୁପଚୁପ୍ ବାଲା । ସକାଳୁ ସକାଳୁ ଅଫିସ ଯାଆନ୍ତି, ସନ୍ଧ୍ୟାରେ ଗୁପଚୁପ୍ ବିକୁଛନ୍ତି ।

426

କନକ ବ୍ୟୁରୋ: ପେଶାରେ ମେକାନିକାଲ ଇଞ୍ଜିନିୟର । ନିଶା ନିଆରା ଗୁପଚୁପ୍ ତିଆରି କରି ବିକିବା । ହାଲରେ ଚୁକ୍ତିଭିତ୍ତିକ ଚାକିରି, ହାତକୁ ମାସିକ ଆସୁଛି ୧୫ ହଜାର ଟଙ୍କା ଦରମା । ହେଲେ ଘରେ ବସି ସମୟ ନଷ୍ଟ କରିବା କହିଁକି? ଭାବି ଭାବି ଶେଷରେ ଗୁପଚୁପ୍ ବାଲା ବନିଯାଇଛନ୍ତି ଉଚ୍ଚଶିକ୍ଷିତ ଯୁବକ । ସୁନାବେଡ଼ାର ପାଠୁଆ ଗୁପଚୁପ୍ ବିକାଳୀଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ।

ନାଁ ଅରୁଣ କୁମାର ନାୟକ । ଶିକ୍ଷାଗତ ଯୋଗ୍ୟତା ଡିପ୍ଲୋମା ମେକାନିକାଲ ଇଞ୍ଜିନିୟରିଂ । ଦେହ ଖରାପ ଯୋଗୁଁ ହରିଆଣାର ଏକ ପ୍ରାଇଭେଟ୍ କମ୍ପାନୀରେ ଚାକିରି ଛାଡ଼ି ଏବେ ହାଲ୍ରେ ଚାକିରି କରୁଛନ୍ତି । ବଡ଼ କମ୍ପାନୀରେ ଚାକିରି ହେଲେ ନିଜକୁ ବଡ଼ ନଭାବି କୋରାପୁଟ ସୁନାବେଡା ମାର୍କେଟରେ ଗୁପଚୁପ୍ ବିକୁଛନ୍ତି । ଯେଉଁଥିପାଇଁ ପାଠୁଆ ଗୁପଚୁପ୍ ବାଲାଙ୍କ ଛୋଟ ଷ୍ଟଲ ଆଗରେ ଲାଗୁଛି ପ୍ରବଳ ଭିଡ଼ ।

ଅରୁଣଙ୍କ କହିବା ମୁତାବକ, ସେ ସକାଳ ୮ରୁ ଅଫିସ ବାହାରି ଯାଆନ୍ତି । ଡ୍ୟୁଟି ସାରି ଠିକ୍ ୪ରୁ ୫ଟା ବେଳକୁ ସୁନାବେଡ଼ା ମାର୍କେଟରେ ନିଜର ଛୋଟ ଗୁପଚୁପ୍ ଷ୍ଟଲ ଖୋଲିଦିଅନ୍ତି । ଘରର ଆର୍ଥିକ ସ୍ଥିତି ଭଲ ନଥିବାରୁ ଅରୁଣ ଏବେ ଡବଲ୍ ଡ୍ୟୁଟି କରୁଛନ୍ତି । ସମୟର ସଦୁପଯୋଗ ଏବଂ କୌଣସି କାର୍ଯ୍ୟକୁ ଛୋଟ ନଭାବିବା, ଏହି ପାଠୁଆ ଗୁପଚୁପ୍ ବାଲା ଆଜିର ଯୁବପୀଢ଼ିଙ୍କ ପ୍ରେରଣା ପାଲଟିଛନ୍ତି ।

ପାଠୁଆ ଗୁପଚୁପ୍ ବାଲାଙ୍କ ସ୍ପେଶାଲ ଗୁପଚୁପ୍ରେ ଅଛି, ଭିନ୍ନ ଭିନ୍ନ ଆଇଟମ୍ । ଯେଉଁଥିରେ ଅଛି କାଜୁ, ମହୁ, ଡାଳିମ୍ବ, ଖଜୁରୀ, ଚେରି , ଚିନାବାଦାମ, ପିସ୍ତା ବାଦାମ, ଓ ସେଓ । ଏହି ସ୍ପେଶାଲ ଗୁପଚୁପ୍ ଖାଇବାକୁ ଆଖପାଖ ସେମିଳିଗୁଡା ସୁନାବେଡା ଦାମନଯୋଡି ଅଞ୍ଚଳରୁ ଲୋକଙ୍କ ଭିଡ଼ ଲାଗୁଛି । ଆଉ ଏଥିରୁ ଅରୁଣ ଦୈନିକ ୨ରୁ ୩ ହଜାର ଟଙ୍କା ରୋଜଗାର କରୁଛନ୍ତି ।

ଉଚ୍ଚଶିକ୍ଷିତ ଏବଂ ଭଲ ଚାକିରି କରି ମଧ୍ୟ କୌଣସି କାମକୁ ଛୋଟ ଭାବୁନାହାନ୍ତି । ଯେଉଁଥିପାଇଁ ଅରୁଣ ହାତ ତିଆରି ଗୁପଚୁପ୍ ଖାଇବାକୁ ଗ୍ରାହକଙ୍କ ଭିଡ଼ ଜମୁଛି । ଆଉ ତାଙ୍କ ଜୀବନ କାହାଣୀରୁ ଆଜିର ଯୁବପୀଢ଼ି ନିଶ୍ଚୟ ପ୍ରେରଣା ପାଇବେ ବୋଲି ବିଶ୍ୱାସ ଅଛି ।