କନକ ବ୍ୟୁରୋ : ମେକାନିକାଲ ଇଲେକ୍ଟ୍ରିକାଲରେ ବି-ଟେକ୍ ପାସ କରିବା ପରେ ଚାକିରୀ ସହିତ ଏବେ ଧଳା ଘୁଷୁରୀ ଚାଷ କରୁଛନ୍ତି କେନ୍ଦୁଝର ରାମଚନ୍ଦ୍ରପୁର ଗାଁର ଅମିତ୍ କୁମାର ପଲେଇ । ମାତ୍ର ୧୦ଟି ଘୁଷୁରୀରୁ ଆରମ୍ଭ ହୋଇଥିବା ଏହି ଚାଷ ଏବେ ତାଙ୍କୁ ଲକ୍ଷପତି କରିଛି । ୬ ମାସ ତଳେ ଆରମ୍ଭ କରିଥିଲେ ଧଳା ଘୁଷୁରୀ ଫାର୍ମ । ନିଜସ୍ୱ ଉଦ୍ୟମରେ ଘୁଷୁରୀ ମାନେ ରହିବା ପାଇଁ ଘର, ସେମାନଙ୍କ ଖାଇବା ପାଇଁ ଖାଦ୍ୟ ବ୍ୟବସ୍ଥା ଓ ସଫାସୁତରା ରଖିବା ପାଇଁ ସେ ସମସ୍ତ ପ୍ରକାରର ବନ୍ଦବସ୍ତ କରିଛନ୍ତି । ନିଜ ହାତରେ ସେମାନଙ୍କ ଯତ୍ନ ନିଅନ୍ତି ଅମିତ୍ । ୧୦ଟି ଘୁଷୁରୀରୁ ଆରମ୍ଭ ହୋଇଥିବା ଏହି ଫାର୍ମ ଏବେ ୧୦୦ରେ ପହଂଚିଲାଣି । ପ୍ରଥମ ପର୍ଯ୍ୟାୟରେ ୪୦ଟି ଘୁଷୁରୀ ବିକ୍ରି କରି ସେ ଲକ୍ଷାଧିକ ଟଙ୍କା ରୋଜଗାର କଲେଣି ।
ଅମିତ୍ ବି-ଟେକ୍ ପାସ କରିବା ପରେ ପ୍ରଥମେ ଗୁରୁଗାଓଁରେ ଏକ ଘରୋଇ କମ୍ପାନୀରେ ଚାକିରି କରିଥିଲେ, ପରେ ଧାମରା ପୋର୍ଟରେ ଇଞ୍ଜିନିୟର ଭାବେ ଚାକିରୀ କରୁଥିଲେ । ପରେ ଯାଜପୁରରେ ଏକ କମ୍ପାନୀରେ କାମ କରୁଥିବା ବେଳେ କିଛି ଅଲଗା କରିବା ଆଶାରେ ସେ ୟୁଟ୍ୟୁବ୍ ଦେଖି ଧଳା ଘୁଷୁରୀ ଚାଷ ଆରମ୍ଭ କଲେ । କଲିକତାରୁ ୧୦ଟି ଘୁଷୁରୀ ଆଣି ଏକ ଫାର୍ମ କରିଛନ୍ତି । ଅମିତଙ୍କର ଏଭଳି ନିଆରା ପ୍ରୟାସକୁ ଗ୍ରାମବାସୀ ପ୍ରଶଂସା କରିଥିବା ବେଳେ ସରକାରୀ ପ୍ରୋତ୍ସାହନ ମିଳିଲେ ସେ ଏହାକୁ ଆଗକୁ ବଢ଼ାଇ ଅଧିକ ଲାଭବାନ ହୋଇପାରନ୍ତେ ବୋଲି କହିଛନ୍ତି ।
ଧଳା ଘୁଷୁରୀ ଚାଷ ଏକ ଲାଭଦାୟକ ଚାଷ ହୋଇଥିବା ବେଳେ ଏହାକୁ ବିକ୍ରି କରିବାରେ ମଧ୍ୟ କିଛି ଅସୁବିଧା ହେଉନଥିବା ସେ କହିଛନ୍ତି । ସ୍ଥାନୀୟ ଅଂଚଳର ଯୁବପିଢ଼ୀ ମଧ୍ୟ ତାଙ୍କ ଠାରୁ ବେଶ ପ୍ରେରଣା ପାଉଛନ୍ତି । ନିଜେ ଏହିଭଳି ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।