ବଡଦାଣ୍ଡରୁ ଘର ବାହୁଡା… ଘରକୁ ଫେରିଲେ ଇଞ୍ଜିନିୟର ଭିକାରୀ । ଖବର ପ୍ରସାରଣ ପରେ ବଡଦାଣ୍ଡରୁ ନିଜ ଘରକୁ ଫେରାଇ ନେଲେ ଗିରିଜା ଶଙ୍କରଙ୍କ ପରିବାର

2,549

କନକ ବ୍ୟୁରୋ: ଘରକୁ ଫେରିଲେ ପାଠୁଆ ଭିକାରୀ । ପୁରୀ ବଡଦାଣ୍ଡରୁ ନିଜ ଘରକୁ ଫେରିଲେ ଇଞ୍ଜିନିୟର ଭିକାରୀ । ବଡଦାଣ୍ଡରେ ଭିକ୍ଷା ବୃତି କରୁଥିବା ଗିରିଜା ଶଙ୍କର ମିଶ୍ରଙ୍କୁ ନିଜ ଘରକୁ ଫେରାଇ ଆଣିଲେ ପରିବାର ଲୋକେ ।

ତେବେ ଗତକାଲି ଦିନ ତମାମ ଏହି ଖବର କନକ ନ୍ୟୁଜରେ ପ୍ରସାରଣ ହୋଇଥିଲା । ବଡଦାଣ୍ଡରେ ଭିକ୍ଷା ମାଗୁଥିବା ପ୍ଲାଷ୍ଟିକ ଇଞ୍ଜିନିୟରଙ୍କ କଥା ସମସ୍ତ ଗଣମାଧ୍ୟମରେ ମୁଖ୍ୟ ଖବର ପାଲଟିଥିଲା । ଇଞ୍ଜିନିୟରିଂ କରି ସେ କଣ ପାଇଁ ପୁରୀରେ ଭିକ ମାଗୁଥିଲେ ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଏହାର ଉତ୍ତର ରଖିଥିଲେ ପାଠୁଆ ଭିକାରୀ ଗିରିଜାଶଙ୍କର ।

ତେବେ ଜଣେ ରିକ୍ସା ଚାଳକ ସହ ଗିରିଜାଙ୍କ ଗଣ୍ଡଗୋଳ ହେବା ପରେ ସେ ଉଚ୍ଚ ଶିକ୍ଷିତ ବୋଲି ଜଣା ପଡିଥିଲା । ରିକ୍ସା ଚାଳକ ଓ ଗିରିଜାଙ୍କ ଯେତେବେଳେ ଥାନାରେ ଏତଲା ଦେଇଥିଲେ ସେତେବେଳେ ଗିରିଜା ଇଂରାଜୀରେ ଲେଖିଥିଲେ ଆଉ ତାପରେ ସେ ପାଠ ପଢିଥିବା ଖୋଳତାଡ କରି ଜାଣିଥିଲା ପୋଲିସ ।

ବଡଦାଣ୍ଡରେ ଭିକ୍ଷା ମାଗୁଥିବା ଗିରିଜାଙ୍କ ଘର ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳରେ ହୋଇଥିବା ବେଳେ ସେ ପାଠ ପଢି ଚାକିରି ମଧ୍ୟ କରିଥିଲେ । ହେଲେ କରପୋରେଟ ଜଗତର ସାଲିସ ଜୀବନ ତାଙ୍କୁ ଭଲ ନଲାଗିବାରୁ ସିଧା କାଳିଆଧାମ ଆସି ଭିକ୍ଷାବୃତିକୁ ଆପଣେଇ ନେଇଥିଲେ । ଆଉ ଏବେ ଖବର ପ୍ରସାରଣ ପରେ ତାଙ୍କ ପରିବାର ଲୋକେ ତାଙ୍କୁ ଘରକୁ ଫେରାଇ ଆଣିଛନ୍ତି ।