ସାବାଡ଼ ହେବେ କୋଭିଡ ନିୟମ ଉଲ୍ଲଂଘନକାରୀ : ଭୁବନେଶ୍ୱର-କଟକରେ ମୁତୟନ ହେବେ ଏନଫୋର୍ସମେଣ୍ଟ ଟିମ: ଡିଜିପି

204

କନକ ବ୍ୟୁରୋ :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ନିର୍ଦ୍ଦେଶ ମିଳିବା ପରେ କୋଭିଡ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ଉପରେ ଶକ୍ତ କାର୍ୟ୍ୟାନୁଷ୍ଠାନ ନେବା ଲାଗି ରାଜ୍ୟ ପୁଲିସ ବିଭାଗ ଅଣ୍ଟା ଭିଡିଛି । ପୁଲିସ ମହାନିର୍ଦ୍ଦେଶକ ଅଭୟ ଭୁବନେଶ୍ୱର-କଟକ କମିସନରେଟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, କୋଭିଡ କଟକଣାକୁ ଆହୁରି ଶକ୍ତ କରାଯାଉ । ଡିଜିପିଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ମାର୍କେଟ ଅଂଚଳରେ କୋଭିଡ ଏନଫୋର୍ସମେଣ୍ଟ ଟିମ ରହିବ । ଏହି ଟିମ କୋଭିଡ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ନଜର ରଖିବ ।

ଡିଜିପି ଅଭୟ କହିଛନ୍ତି ଯେ, ହଟସ୍ପଟ ଅଂଚଳରେ କଡ଼ା ନଜର ରଖାଯିବ । ଭୁବନେଶ୍ୱର-କଟକରେ ଅଧିକ ୫୦ ପୁଲିସ ଅଫିସର ଓ ୫ ପ୍ଲାଟୁନ ପୁଲିସ ମୁତୟନ ରହିବେ । ଏମାନେ କୋଭିଡ ଏନଫୋର୍ସମେଣ୍ଟ ଟିମକୁ ଅଧିକ କ୍ରିୟାଶୀଳ କରିବାରେ ସହଯୋଗ କରିବେ । ଡିଜିପି କହିଛନ୍ତି, କୋଭିଡ ଏନଫୋର୍ସମେଣ୍ଟ ପାଇଁ ଭୁବନେଶ୍ୱରକୁ ୩ଟି ଜୋନରେ ଭାଗ କରାଯିବ ଏବଂ ପ୍ରତି ଜୋନର ଦାୟିତ୍ୱ ନେବେ ଜଣେ ଲେଖାଏଁ ଡିସିପି ।

ସୂଚନାଯୋଗ୍ୟ, ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସମୀକ୍ଷା ବୈଠକରେ କହିଥିଲେ ଯେ, ରାଜ୍ୟର ଅନ୍ୟ ଅଂଚଳରେ କୋଭିଡ ନିୟମର କଡ଼ାକଡ଼ି ଅନୁପାଳନ ସନ୍ତୋଷଜନକ ଥିବା ବେଳେ ଭୁବନେଶ୍ୱର ଓ କଟକରେ ଏହା ସେତେଟା ଉତ୍ସାହଜନକ ନାହିଁ । ତେଣୁ ଭୁବନେଶ୍ୱର ଓ କଟକ କମିସନରେଟ ଅଂଚଳରେ କୋଭିଡ ନିୟମ କାର୍ଯ୍ୟକାରିତା ଉପରେ ପୁଲିସ ମହାନିର୍ଦ୍ଦେଶକ ପ୍ରତ୍ୟକ୍ଷ ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।