ଅର୍ଥ ହେରଫେର ମାମଲାରେ ଜ୍ୟାକଲିନଙ୍କୁ ଇଡିର ନୋଟିସ, ୨୫ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ

104

କନକ ବ୍ୟୁରୋ : ଡ୍ରଗ୍ସ ମାମଲା, ଅଶ୍ଳୀଳ ଭିଡଓ ମାମଲା ପରେ ପୁଣି ବଲିଉଡକୁ ଘାରିଛି ଅର୍ଥ ହେରଫେର ମାମଲା । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡର କିଛି ମହାନ ବ୍ୟକ୍ତିମାନଙ୍କ ବ୍ୟକ୍ତିଗତ ଜୀବନ ଶୈଳୀ ଓ ପରଦା ପଛର କାରନାମା ପଦାରେ ପଡିଥିଲା । ଏହାପରେ ବଲିଉଡରୁ ଆସିଲା ଅଶ୍ଳୀଳ ଭିଡିଓ ମାମଲା । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏବେ ଜେଲରେ ଥିବା ବେଳେ ପୁଣି ଏକ ମାମଲା ଏବେ ବଲିଉଡ କଳାକାରଙ୍କ କଳା କାହାଣୀକୁ ପଦାରେ ପକାଇଛି । ବଲିଉଡର ଆଗଧାଡିର ନାୟିକା କୁହାଯାଉଥିବା ଜ୍ୟାକଲିନ୍ ଫର୍ଣ୍ଣାଡିଜ ଏବେ ଇଡି ସ୍କାନରକୁ ଆସିଛନ୍ତି । ବେଆଇନ ଅର୍ଥ କାରବାର ମାମଲାରେ ଇଡି ତାଙ୍କୁ ପୁଣି ପଚରା ଉଚରା କରିବ । ଏନେଇ ଇଡି ପକ୍ଷରୁ ନୋଟିସ ଜାରି କରାଯାଇଛି । ଏହି ନୋଟିସ ମୁତାବକ ତାଙ୍କ ଚଳିତ ମାସ ୨୫ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସାମ୍ନାରେ ହାଜର ହେବାକୁ କୁହାଯାଇଛି ।

କହିରଖୁ କି ଏହା ପୂର୍ବରୁ ବି ଇଡି ତରଫରୁ ଅଗଷ୍ଟ ୩୦ ତାରିଖରେ ଜ୍ୟାକଲିନଙ୍କୁ ଇଡିର ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ୪ ଘଂଟା ଧରି ଜେରା କରିଥିଲା । କୁହାଯାଉଛି କି ୨୦୦ କୋଟି ଟଙ୍କାର ଅର୍ଥ ହେରଫେର ମାମଲାରେ ସଂପୃକ୍ତ ଥାଇ ଜେଲରେ ଥିବା ମୁକେଶ ଚନ୍ଦ୍ରଶେଖରଙ୍କ ସହ ମିଶି ଜ୍ୟାକଲିନ ବେଆଇନ ଅର୍ଥ କାରବାର କରିଥିଲେ । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ମୁକେଶ ଚନ୍ଦ୍ର ଶେଖର ଜେଲରେ ଥିବା ବେଳେ ୨୫ ତାରିଖ ଜେରାରେ ଇଡିକୁ ଯଦି କିଛି ପ୍ରମାଣ ମିଳେ ତେବେ ଜ୍ୟାକଲିନ ବି ଜେଲ ଯାଇ ପାରନ୍ତି ।