ବାଜିଲା ଉପ-ନିର୍ବାଚନ ବିଗୁଲ: କରୋନା କାଳରେ ଦେଶରେ କେମିତି ହେବ ନିର୍ବାଚନ? ନୂଆ କଟକଣା ଓ ମାର୍ଗଦର୍ଶିକା ଜାରି କଲେ ନିର୍ବାଚନ କମିଶନର

184

କନକ ବ୍ୟୁରୋ: କରୋନା କାଳରେ ଦେଶରେ ହେବ ପ୍ରଥମ ନିର୍ବାଚନ । ବିହାର ନିର୍ବାଚନକୁ ନେଇ କେନ୍ଦ୍ର ମୁଖ୍ୟ ନିର୍ବାଚନ କମିଶନର କରିଛନ୍ତି ବଡ ଘୋଷଣା । କରୋନା ସମୟରେ ହେବାକୁ ଯାଉଥିବା ଏହି ନିର୍ବାଚନ ପାଇଁ ନୂଆ କଟକଣା ଓ ମାର୍ଗଦର୍ଶିକା ଜାରି ହୋଇଛି । ଏହାକୁ ପାଳନ କରି କରୋନା କାଳରେ ବିହାରରେ ହେବ ବିଧାନସଭା ନିର୍ବାଚନ । ଏଥର ଭୋଟ୍ ବେଳେ ବିହାରରେ ମତଦାନରେ ସାମିଲ ହେଉଥିବା କର୍ମଚାରୀ ପିନ୍ଧିବେ ପିପିଇ କିଟ୍, ଫେସ୍ ସିଲଡ୍, ଗ୍ଲୋବସ୍ ଏବଂ ବ୍ୟବହାର କରିବେ ସାନିଟାଇଜର । ଏଥିପାଇଁ ୬ ଲକ୍ଷ ପିପିଇ କିଟ୍ ଓ ୪୬ ଲକ୍ଷ ମାସ୍କ , ୨୩ ଲକ୍ଷ ଗ୍ଲୋବସ୍ ଏବଂ ୬ ଲକ୍ଷ ଫେସ୍ ସିଲଡ୍ ବ୍ୟବସ୍ଥା ହୋଇଥିବା ସୂଚନା ଦେଇଛନ୍ତି ନିର୍ବାଚନ କମିଶନର । ବିହାର ନିର୍ବାଚନରେ କରୋନା ପୀଡିତ ବି କରିପାରିବେ ମତଦାନ । ନାମାଙ୍କନ ସମୟରେ ଶେଷ ସମୟରେ ଭୋଟ୍ ଦେବେ କରୋନା ଆକ୍ରାନ୍ତ ।

ଏଥିନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମୁଖ୍ୟ ନିର୍ବାଚନ କମିଶନ । ଏଥର ମତଦାନ ସମୟ ୧ ଘଂଟା ବୃଦ୍ଧି କରାଯାଇଛି । ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ପ୍ରାର୍ଥୀ ନାମାଙ୍କନ ଅନଲାଇନରେ ବି ଭରିପାରିବେ । ନାମାଙ୍କନ ସମୟରେ ସାଥୀରେ ୨ରୁ ଅଧିକ ଗାଡି ନେଇ ଯାଇପାରିବେ ନାହିଁ ପ୍ରାର୍ଥୀ । ସେହିପରି ପ୍ରଚାର ସମୟରେ ୫ ରୁ ଅଧିକ ଲୋକ କୌଣସି ଘରକୁ ଯାଇ କରିପାରିବେ ନାହିଁ ପ୍ରଚାରକାମ । ବିଶେଷ କରି ପ୍ରଚାର କାମ ଭର୍ଚୁଆଲ୍ ରହିବ । ଡିଜିଟାଲ ମାଧ୍ୟମରେ ପ୍ରଚାର ପାଇଁ ଗୁରୁତ୍ୱ ଦେଇଛନ୍ତି ନିର୍ବାଚନ କମିଶନ । କରୋନା ସମୟରେ ପ୍ରଚାର ଉପରେ ରହିବ କଡା ନଜର । ଯେପରି ଜନଗହଳି ନହେବ ସେଥିପ୍ରତି ଧ୍ୟାନ ଦିଆଯିବ । ଏହାକୁ ବ୍ୟବହାର କରିବେ ମତଦାନରେ ସାମିଲ ଥିବା କର୍ମଚାରୀ । ବିହାରରେ ମୋଟ୍ ଭୋଟର ସଂଖ୍ୟା ୭ କୋଟି ୭୯ ଲକ୍ଷ । ଗୋଟିଏ ବୁଥରେ କେବଳ ଏକ ହଜାର ମତଦାତା ହିଁ ଭୋଟ୍ ଦେଇପାରିବେ । ୨୦୨୦ ଫେବ୍ରୁଆରୀ ୭ ତାରିଖରେ ଜାରି ହେବ ଭୋଟର ତାଲିକା ।

• ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ

• ଭୋଟ ଦେବା ପୂର୍ବରୁ ବୁଥରେ ସବୁ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ

• ପ୍ରାର୍ଥୀପତ୍ର ଏବଂ ସତ୍ୟପାଠ ଅନଲାଇନରେ ଦାଖଲ କରାଯିବ

• ନିର୍ବାଚନରେ କରୋନା ଆକ୍ରାନ୍ତଙ୍କ ବି ଦେଇପାରିବେ ଭୋଟ୍

• ନିର୍ବାଚନ ପ୍ରଚାରରେ କେବଳ ୨ଟା ଗାଡି ବ୍ୟବହାର କରାଯାଇପାରିବ

• ସବୁ ବୁଥରେ ରାମ୍ପ, ଟଏଲେଟ୍, ବିଶ୍ରାମ ସ୍ଥଳ ନିଶ୍ଚିତ ରହିବ

• ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ ସବୁ ବୁଥ୍ ଗ୍ରାଉଣ୍ଡ ଫ୍ଲୋରରେ ରହିବ

• ସୋସିଆଲ ମିଡିଆର ଅପପ୍ରଚାର କଲେ ଆଇନଅନୁଯାୟୀ ଦଣ୍ଡ

• ଫେକ ନ୍ୟୁଜ, ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟ ବରଦାସ୍ତ କରାଯିବନି