ବଢିଲା ଇଡି ଓ ସିବିଆଇ ମୁଖ୍ୟଙ୍କ କାର୍ଯ୍ୟକାଳ, ଜାଣନ୍ତୁ କେତେ ବର୍ଷ ?

89

କନକ ବ୍ୟୁରୋ : କେନ୍ଦ୍ର ସରକାର ସିବିଆଇ ଓ ଇଡି ମୁଖ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାର ସିବିଆଇ ଓ ଇଡି ମୁଖ୍ୟଙ୍କ କାର୍ଯ୍ୟକାଳ ୨ ବର୍ଷରୁ ୫ ବର୍ଷକୁ ବୃଦ୍ଧି କରିବାକୁ ଅଧ୍ୟାଦେଶ ଆଣିଛନ୍ତି । ଏବେ ସମୟରେ କେନ୍ଦ୍ରୀୟ ଏଜେନ୍ସି ପ୍ରମୁଖଙ୍କ କାର୍ଯ୍ୟକାଳ ୨ ବର୍ଷ ରହିଛି । କେନ୍ଦ୍ର ସରକାରଙ୍କ ଏଭଳି ଅଧ୍ୟାଦେଶ ଉପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ମାରିଛନ୍ତି । ଅଧ୍ୟାଦେଶ ମୁତାବକ ଇଡି ଓ ସିବିଆଇ ମୁଖ୍ୟଙ୍କ କାର୍ଯ୍ୟକାଳ ୨ ବର୍ଷ ପୂରଣ ହେବା ପରେ ପୁଣି ସେମାନଙ୍କ କାର୍ଯ୍ୟକାଳ ୩ ବର୍ଷ ବୃଦ୍ଧି କରାଯାଇ ପାରିବ ।

ଜଷ୍ଟିସ ଏଲଏନ ରାଓଙ୍କ ଅଧ୍ୟକ୍ଷତାରେ ସୁପ୍ରିମ କୋର୍ଟର ବେଞ୍ଚ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଏସକେ ମିଶ୍ରାଙ୍କ କାର୍ଯ୍ୟାକାଳ ବୃଦ୍ଧି ସହିତ ଜଡିତ ମାମଲାରେ ନିଷ୍ପତ୍ତି ନେଇଥିଲା । ଏଥିରେ ଅଦାଲତ ପକ୍ଷରୁ କୁହାଯାଇଥିଲା କି ‘କାର୍ଯ୍ୟକାଳ ବିସ୍ତାର କେବଳ ଜରୁରୀ ପରିସ୍ଥିତି ବେଳେ କରାଯିବା ଆବଶ୍ୟକ’ । କହିରଖୁ କି ଇଡି ନିର୍ଦ୍ଦେଶକ ଏସକେ ମିଶ୍ରାଙ୍କ କାର୍ଯ୍ୟକାଳ ନଭେମ୍ବର ୧୭ ତାରିଖରେ ଶେଷ ହେବାକୁ ଯାଉଛି ।

କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ମୁତାବକ ଯେଉଁ ସମୟ ଅବଧି ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ନିଜର ପ୍ରାରମ୍ଭିକ ନିଯୁକ୍ତି ଉପରେ ପଦରେ ରହିଛନ୍ତି, ଜନହିତରେ ସେକସନ (କ) ମାଧ୍ୟମରେ ସମିତିର ସୁପାରିଶ ଓ ଲିଖିତ ଭାବେ ଦାଖଲ କରାଯାଇଥିବା କାରଣ ସହ ଗୋଟିଏ ଥରରେ ତାଙ୍କର କାର୍ଯ୍ୟକାଳ ୧ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ପାରିବ । ହେଲେ ଏଭଳି ଭାବେ ୫ ବର୍ଷ ପରେ କୌଣସି ପରିସ୍ଥିତିରେ ତାଙ୍କ ସେବାର ଅବଧି ବୃଦ୍ଧି କରାଯାଇ ପାରିବ ନାହିଁ ।

କହିରଖୁ କି ସରକାର ଏଭଳି ସମୟରେ ଏହି ଅଧ୍ୟାଦେଶ ଆଣିଛନ୍ତି କି ଯେତେବେଳେ ବିରୋଧୀଦଳ ମାନେ କେନ୍ଦ୍ରୀୟ ଯାଂଚ ଏଜେନ୍ସିକୁ ସରକାର ଦୁରୋପଯୋଗ କରୁଥିବା ନେଇ ବାରମ୍ବାର ଅଭିଯୋଗ ଆଣୁଛନ୍ତି । ବିରୋଧୀଦଳ ମାନେ ଅଭିଯୋଗ ଆଣୁଛନ୍ତି କି ସରକାର ସିବିଆଇ ଓ ଇଡିକୁ ପ୍ରଭାବିତ କରି ବିରୋଧୀଦଳ ନେତାମାନଙ୍କୁ ଟାର୍ଗେଟ୍ କରୁଛନ୍ତି । ହେଲେ ସରକାର କହୁଛନ୍ତି କି ଯାଂଚ ଏଜେନ୍ସି ଉପରେ ସରକାରଙ୍କର କୌଣସି ଦଖଲ ନାହିଁ ।