ଆକାଉଣ୍ଟ ଦେଖିବ ଇଡି । ଆକାଶ ପାଠକଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଇଡି, ଆଇଟି ବିଭାଗକୁ ରାଜ୍ୟ ଭିଜିଲାନ୍ସ ସେଲର ଚିଠି ।

499

କନକ ବ୍ୟୁରୋ: ଆକାଶ ପାଠକଙ୍କ ବ୍ୟାଙ୍କ ଆକାଉଂଟର ଯାଂଚ କରିବ ପ୍ରବର୍ତନ ନିର୍ଦ୍ଦେଶାଳୟ ବା ଇଡି ଓ ଆୟକର ବିଭାଗ । ଏଥିପାଇଁ ଆୟକର ବିଭାଗ ଓ ଇଡିକୁ ଚିଠି ଲେଖିଛି ଭିଜିଲାନ୍ସ । ତଦନ୍ତ କରିବାବେଳେ ଆକାଶ ପାଠକଙ୍କ ତିନୋଟି ବ୍ୟାଙ୍କ ଆକାଉଣ୍ଟରେ ୧୪ କୋଟି ୭୭ ଲକ୍ଷ ଜମା ହୋଇଥିବା ପ୍ରମାଣ ମିଳିବା ପରେ ଏହି ଚିଠି ଲେଖିଛି ଭିଜିଲାନ୍ସ । ଆକାଶଙ୍କ ନାମରେ ଥିବା ବ୍ୟାଙ୍କ ଆକାଉଂଟରେ ବେନାମୀ ଭାବେ କୋଟି କୋଟି ଟଙ୍କା କାରବାର ହୋଇଥିବା ଦର୍ଶାଇ ଅର୍ଥନୈତିକ ଅପରାଧ ଆଇନ ଅନୁସାରେ ଏହାର ତଦନ୍ତ କରିବାକୁ ଇଡିକୁ ଚିଠି ଲେଖିଛି ଭିଜିଲାନ୍ସ ।

ସେହିପରି ବେନାମୀ ଅର୍ଥ ନେଣ ଦେଣ ନିରୋଧ ଆଇନ ୧୯୮୮ ଆଧାରରେ ତଦନ୍ତ କରିବାକୁ ଆୟକର ବିଭାଗକୁ ଚିଠି ଲେଖିଛି ଭିଜିଲାନ୍ସ । ଚିଠିରେ ଦର୍ଶାଯାଇଛି ଆକାଶଙ୍କ ଆକାଉଣ୍ଟରେ ୯ କୋଟି ୪୮ ଲକ୍ଷ ନଗଦ ଟଙ୍କା ଜମା ହୋଇଥିବାବେଳେ ୫ କୋଟି ୨୯ ଲକ୍ଷ ଟଙ୍କା ଟ୍ରାନ୍ସଫର ବା କ୍ଲିୟରିଙ୍ଗ ଆକାରରେ ଜମା ହୋଇଛି । ଆଉ ଏକ ବଡ କଥା ହେଉଛି ଆକାଶଙ୍କ ଆକାଉଣ୍ଟରେ ଏତେ ଟଙ୍କା ଜମା ହୋଇଥିଲେ ମଧ୍ୟ ସେ ଆୟ କର ବାବଦକୁ ଗୋଟିଏ ବି ଟଙ୍କା ଦେଇ ନାହାନ୍ତି । ଆୟର କୌଣସି ବାଟ ନଥିବାବେଳେ ଆକାଶଙ୍କ ଆକାଉଣ୍ଟକୁ କେଉଁଠୁ ଏତେ ଟଙ୍କା ଆସିଲା ଓ କିଏ ଜମା କଲା ଏହାର ତଦନ୍ତ କରିବାକୁ ଇଡି ଓ ଆୟକର ବିଭାଗକୁ ଚିଠି ଲେଖାଯାଇଛି ।