ବିଜୁଳି ଆସିବ କେବେ ? ୧୨ ସୁଦ୍ଧା ଭୁବେନଶ୍ୱରରେ ସଂପୂର୍ଣ୍ଣ ବିଜୁଳି ସଂଯୋଗ ନେଇ ପ୍ରତିଶ୍ରୁତି ଦେଇଥିଲେ ଶକ୍ତି ସଚିବ, ଏବେ ବଦଳିଲା ବୟାନ୍ ।

ଯୁଦ୍ଧକାଳୀନ ଭିତିରେ ଚାଲିଛି ବିଜୁଳି ମରାମତି କାର୍ଯ୍ୟ । ଲାଗିଛନ୍ତି ବାହାର ରାଜ୍ୟର ୮ ହଜାର କର୍ମଚାରୀ, ଜାଣନ୍ତୁ ଆପଣଙ୍କ ଅଞ୍ଚଳରେ କେବେ ଆସିବ ଲାଇନ୍ ।

କନକ ବ୍ୟୁରୋ : କଥା ବଦଳାଇଲେ ଶକ୍ତି ସଚିବ । ଗତକାଲି ପର୍ଯ୍ୟନ୍ତ ୧୨ ତାରିଖ ସୁଦ୍ଧା ରାଜଧାନୀର ସବୁ ଅଂଚଳକୁ ଶତ ପ୍ରତିଶତ ବିଜୁଳି ସଂଯୋଗ ସ୍ୱାଭାବିକ ହେବ ବୋଲି କଥା ଦେଇଥିଲେ ସରକାର । ହେଲେ ଆଜି ବଦଳି ଯାଇଛି ପ୍ରତିଶ୍ରୁତି । ପୁରୀକୁ ଛାଡ଼ି ଅନ୍ୟ ପ୍ରଭାବିତ ଅଂଚଳରେ ୧୨ ତାରିଖ ସୁଦ୍ଧା ୯୦ ପ୍ରତିଶତ ଅଂଚଳକୁ ବିଜୁଳି ସଂଯୋଗ ଶେଷ ହେବ ବୋଲି କହିଛନ୍ତି ଶକ୍ତି ସଚିବ ।

୧୦ ତାରିଖ ଅର୍ଥାତ୍ ଆଜି ସଂଧ୍ୟା ସୁଦ୍ଧା ୮୦ ପ୍ରତିଶତ ଅଂଚଳକୁ ବିଜୁଳି ସଂଯୋଗ କରାଯିବ ବୋଲି କଥା ଦେଇଥିଲା ଶକ୍ତି ବିଭାଗ । ଭୁବନେଶ୍ୱରର ବିଭିନ୍ନ ସ୍ଥାନକୁ ବିଜୁଳି ସଂଯୋଗ ସ୍ୱାଭାବିକ ହୋଇସାରିଥିଲେ ମଧ୍ୟ ଅନେକ ଯାଗାରେ ବିଜୁଳି ପହଂଚିନଥିବା ଅଭିଯୋଗ ହୋଇଛି । ତେବେ ଗ୍ରାମାଂଚଳର ଅଧିକାଂଶ ଅଂଚଳ ଏବେ ବି ଅନ୍ଧାରରେ ରହିଛି ।

ସେପଟେ ବିଦ୍ୟୁତ ବିଭାଗର କର୍ମଚାରୀ ଓ ବାହାର ରାଜ୍ୟର ପ୍ରାୟ ୮୦୦୦ କର୍ମଚାରୀ ଯୁଦ୍ଧକାଳୀନ ଭିତିରେ ମରାମତି କାର୍ଯ୍ୟ କରୁଛନ୍ତି । ଏଲଟି ଲାଇନ ସଜାଡି ବିତରଣ ଟ୍ରାନ୍ସଫରମର ପର୍ଯ୍ୟନ୍ତ ବିଜୁଳି ପହଂଚାଉଛନ୍ତି । କିନ୍ତୁ ବାତ୍ୟା ପ୍ରଭାବରେ ଅନେକ ଘରୋଇ କନେକ୍ସନ ପ୍ରଭାବିତ ହୋଇଛି । ତେଣୁ ବିଦ୍ୟୁତ ଖୁଂଟରୁ ଗ୍ରାହକଙ୍କ ଘରକୁ ଟଣାଯାଇଥିବା ତାର କିମ୍ବା ଘରେ ଥିବା ୱେୟାରିଂ କ୍ଷତିଗ୍ରସ୍ତ ହୋଇଥିବାରୁ ବିଜୁଳି ପହଂଚି ପାରୁନାହିଁ । ଏହାର ସମାଧାନ ପାଇଁ ଘର ଘର ବୁଲି ବୈଷୟିକ ସହାୟତା ଯୋଗାଇ ଦେବାକୁ ଭୁବନେଶ୍ୱରରେ ପ୍ରାୟ ୨ଶହ ଆଇଟିଆଇ ଛାତ୍ର ନିୟୋଜିତ ହୋଇଥିବା କହିଛନ୍ତି ଶକ୍ତି ସଚିବ । ଗୋଟିଏ ପଟେ ବିଦ୍ୟୁତ କର୍ମଚାରୀ ଅହରହ ଉଦ୍ୟମ ଚଳାଇଛନ୍ତି, ଅନ୍ୟପଟେ ବିଜୁଳି ସଂଯୋଗ ନପାଇ ଅନେକ ଅଂଚଳରେ ଜନଅସନ୍ତୋଷ ତେଜିବାରେ ଲାଗିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe