କନକ ବ୍ୟୁରୋ : ବିଜୁଳି ଦରବୃଦ୍ଧି ପ୍ରସଙ୍ଗ ନେଇ ଗୃହରେ ଶକ୍ତିମନ୍ତ୍ରୀଙ୍କ ବିବୃତି। ରାଜ୍ୟ ସରକାର ଦରବୃଦ୍ଧି ସମ୍ପର୍କରେ OERC ନିକଟରେ ପୁନର୍ବିଚାର ପାଇଁ ଆବେଦନ କରିବେ ବୋଲି ଗୃହରେ ବିବୃତି ରଖିଛନ୍ତି ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର। ଆଉ OERC ପକ୍ଷରୁ ଯଦି ଦରବୃଦ୍ଧିର ପୁନର୍ବିଚାର କରାଯାଏ ତେବେ ବର୍ଦ୍ଧିତ ବିଜୁଳି ଦର କମିପାରେ ବୋଲି କୁହାଯାଉଛି । ଏହାପୂର୍ବରୁ ଆଜି ବିଜୁଳି ଦର ବୃଦ୍ଧିର ତାତି ବିଧାନସଭାରେ ଦେଖିବାକୁ ମିଳିଥିଲା । ଉଭୟ ବିଜେପି ଓ କଂଗ୍ରେସର ସଦସ୍ୟମାନେ ପୋଡିୟମ ତଳେ ଜୋରଦାର ପ୍ରତିବାଦ କରିଥିଲେ ।
ଶୂନ୍ୟକାଳରେ କଂଗ୍ରେସ ସଦସ୍ୟମାନେ ପୁଣି ବିଦ୍ୟୁତ ଶୁଳ୍କରେ ୟୁନିଟ ପିଛା ୩୦ ପଇସା ବୃଦ୍ଧିକୁ ବିରୋଧ କରି ନାରାବାଜି କରିଥିଲେ । ଘରୋଇ ଉପଭୋକ୍ତାମାନଙ୍କୁ ଏଣିକି ସମସ୍ତ ସ୍ଲାବରେ ୩୦ ପଇସା ଅଧିକ ବିଜୁଳି ବିଲ୍ ଦେବାକୁ ପଡିବ । ଦରବୃଦ୍ଧି ପାଇଁ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ବା ଓଇଆରସି ନିଷ୍ପତି ନେଇଛି । ଏହା ଏପ୍ରିଲ ୪ରୁ ଲାଗୁହେବ । ତେବେ ଏହାକୁ ବିରୋଧ କରି କଂଗ୍ରେସ ବିଧାୟକମାନେ ସରକାରଙ୍କୁ ଘେରିଛନ୍ତି ।
ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମଧ୍ୟ ଏହି ପ୍ରସଙ୍ଗ ଉଠାଇ, ତୁରନ୍ତ ବର୍ଦ୍ଧିତ ଦର ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ମଧ୍ୟ କରୋନା କାଳରେ ସରକାର ବିଜୁଳି ଛାଟ ମାରିଥିବା କହିଛନ୍ତି । ବିଭିନ୍ନ କମ୍ପାନି ଉପରେ ୬ କୋଟି ବକେୟା ରହିଥିବା ବେଳେ ତାକୁ ଆଦାୟ ନକରି ଗରିବ ଲୋକଙ୍କୁ ସରକାର ଶୋଷଣ କରୁଥିବା ଅଭିଯୋଗ ବାଢିଛନ୍ତି । ସେପଟେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି ଯେ, ବିଜୁଳି ଦର ସରକାର ସ୍ଥିର କରନ୍ତି ନାହିଁ । ଏହାକୁ ବିଦ୍ୟୁତ ନିୟାମକ ଆୟୋଗ ସ୍ଥିର କରିଥାନ୍ତି । ବିଧାନସଭାରେ ଆଲୋଚନା ନକରି ବିଜେପି ଓ କଂଗ୍ରେସ ଗୃହକୁ ଅଚଳ କରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/Light-bulb.jpg)