ହୃଦଘାତର ଆଶଙ୍କା ବଢ଼ାଇପାରେ ଏନର୍ଜି ଡ୍ରିଙ୍କ୍ ! ଜାଣନ୍ତୁ କ’ଣ କହିଲେ ବିଶେଷଜ୍ଞ ?

310

କନକ ବ୍ୟୁରୋ : ଏନର୍ଜି ଡ୍ରିଙ୍କ୍ ବଢାଇପାରେ ହୃଦରୋଗ ସମସ୍ୟା । ଜିମ୍ ଯାଉଥିବା ଅବା ସ୍ୱାସ୍ଥ୍ୟ ଗଠନ ପାଇଁ ଯୁବପିଢିମାନେ ପିଉଥିବା ଏନର୍ଜି ଡ୍ରିଙ୍କ୍ ଶରୀର ପାଇଁ ବହୁତ କ୍ଷତିକାରକ । ଏହା ହାର୍ଟ ବିଟକୁ ବଢାଇଦେବା ସହ କିଡନୀଜନିତ ସମସ୍ୟା ସୃଷ୍ଟି କରେ । ଯାହା ହୃଦରୋଗର ପ୍ରମୁଖ କାରଣ ବୋଲି ଡାକ୍ତର କହିଛନ୍ତି ।  ବିଶେଷ କରି ୨୦ ରୁ ୪୦ ବର୍ଷର ଯୁବପିଢିଙ୍କ କ୍ଷେତ୍ରରେ ହୃଦ ରୋଗରେ ସମସ୍ୟା ରହୁଛି ।

ସେପଟେ, ସାରା ବିଶ୍ୱରେ ବର୍ଷକୁ ପ୍ରାୟ ୧ କୋଟି ୮୦ ଲକ୍ଷ ଲୋକଙ୍କର ଏହି ରୋଗରେ ମୃତ୍ୟୁ ଘଟୁଛି । ମାନସିକ ଚାପ ରହିଲେ ହୃଦରୋଗ ବଢିବାର ଆଶଙ୍କା ଅଧିକ ରହିଛି ବୋଲି ଜଣାପଡିଛି । କେବଳ ଜଣେ ୫୦ ବର୍ଷର ଲୋକଙ୍କ ପାଖରେ ଏହି ରୋଗ ହେଉଛି ତା ନୁହେଁ ବରଂ ୨୦ ବର୍ଷର ଯୁବକଙ୍କ ପାଖରେ ମଧ୍ୟ ଏହି ରୋଗ ଦେଖାଯାଉଛି । କେବଳ ବୟସ୍କ ନୁହେଁ, ଯୁବକ ଅବସ୍ଥାରେ ବି ହୃଦଘାତ ହେଉଛି ।

ମୁଖ୍ୟତଃ ତ୍ରୁଟିପୂର୍ଣ୍ଣ ଜୀବନଶୈଳୀ, ବ୍ୟାୟାମର ଅଭାବ, ଅସ୍ୱାସ୍ଥ୍ୟକର ଖାଦ୍ୟ ଯୋଗୁଁ ଯୁବକମାନେ ହୃଦରୋଗରେ ଶିକାର ହେଉଛନ୍ତି ବୋଲି କହିଛନ୍ତି ବିଶେଷଜ୍ଞ ଡାକ୍ତର । ଅତ୍ୟଧିକ ଧୂମପାନ ଓ ମଦ୍ୟପାନ ଭଳି ବଦଭ୍ୟାସ, ଯୁବକ ଅବସ୍ଥାରେ ହୃଦଘାତର ଆଶଙ୍କାକୁ ବଢ଼ାଇ ଦେଉଛି । ଏହାସହ ଅତ୍ୟଧିକ ମାନସିକ ଚାପ ମଧ୍ୟ ହୃଦଘାତର କାରଣ ପାଲଟୁଛି । କର୍ମ କ୍ଷେତ୍ରରେ ଅତ୍ୟଧିକ ଚାପ, ନିଶା ସେବନ, ମେଦ ବହୁଳତା, ହୃଦଘାତର କାରଣ ହୋଇପାରେ ବୋଲି କହିଛନ୍ତି ବିଶେଷଜ୍ଞ ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ବିଶ୍ୱରେ ଯେତେ ମୃତ୍ୟୁ କରୋନାରେ ହୋଇନାହିଁ ତାଠାରୁ ଅଧିକ ମୃତ୍ୟୁ ହୃଦଘାତରେ ହେଉଛି । ଭାରତରେ ୨୫ରୁ ୬୦ ବର୍ଷ ବୟସର ଲୋକ ହୃଦଘାତର ଶୀକାର ହେଉଛନ୍ତି । ହୃଦୟ ଦିବସରେ ଆସନ୍ତୁ ଜାଣିବା କିଛି ତଥ୍ୟ

– ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ତଥ୍ୟ ଅନୁସାରେ, ୨୦୨୦ରେ ବିଶ୍ୱରେ ୧୮ ଲକ୍ଷ ୧୩ ହଜାର ଲୋକ ହୃଦଘାତର ଶିକାର ହୋଇଛନ୍ତି
– ବିଶ୍ୱରେ ମୋଟ ମୃତ୍ୟୁ ୩୨ ପ୍ରତିଶତ ହେଉଛି ହୃଦଘାତ ମୃତ୍ୟୁ
– ୫୦ ପ୍ରତିଶତ ହୃଦରୋଗୀ ହସପିଟାଲ ଯିବା ପାଇଁ ସୁଯୋଗ ପାଆନ୍ତି ନାହିଁ
– ତ୍ରୁଟିପୂର୍ଣ୍ଣ ଜୀବନଶୈଳୀ ଯୋଗୁଁ ବଢୁଛି ହୃଦଘାତର ବିପଦ
– ମଦ୍ୟପାନ, ଧୂମପାନ ଓ ଅତ୍ୟଧିକ ଚାପ ବଢାଉଛି ହୃଦଘାତ ଭଳି ବିପଦ