କନକ ବ୍ୟୁରୋ : ରଣଜୀ ଟ୍ରଫି ଟୁର୍ଣ୍ଣାମେଣ୍ଟ ପାଇଁ ମୁମ୍ବାଇ ଟିମ୍ ଘୋଷଣା କରାଯାଇଛି । ପୃଥ୍ୱୀ ଶ’ଙ୍କୁ ମୁମ୍ବାଇ ଟିମର ଅଧିନାୟକ କରାଯାଇଥିବା ବେଳେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ପ୍ରଥମଥର ପାଇଁ ରଣଜୀ ଟିମରେ ସ୍ଥାନ ମିଳିଛି । ପୃଥ୍ୱୀ ଶ’ଙ୍କୁ ପ୍ରଥମ ୨ଟି ମ୍ୟାଚ୍ ପାଇଁ ଅଧିନାୟକ ଦାୟିତ୍ୱ ଦିଆଯାଇଛି ।  ୨୦ ଜଣିଆ ମୁମ୍ବାଇ ରଣଜୀ ଟିମରେ ଅର୍ଜୁନ ତେନ୍ଦୁଲକରଙ୍କ ବ୍ୟତୀତ ଯଶସ୍ୱୀ ଜୟସ୍ୱାଲ, ସର୍ଫରାଜ ଖାନ ଓ ଅରମାନ ଜୋହରୀଙ୍କ ଭଳି ଖେଳାଳୀଙ୍କୁ ସାମିଲ କରାଯାଇଛି ।

Advertisment

ଏମାନଙ୍କ ବ୍ୟତୀତ ବିସ୍ଫୋରକ ଅଲରାଉଣ୍ଡର ଶିବମ ଦୁବେଙ୍କୁ ମଧ୍ୟ ଦଳରେ ସ୍ଥାନ ଦିଆଯାଇଛି । ସେହିଭଳି ବୋଲିଂ ବାହିନୀର ଭାର ଅନୁଭବୀ ଧୱଲ କୁଲକର୍ଣ୍ଣୀଙ୍କ କାନ୍ଧରେ ରହିଛି । ସଚିନଙ୍କ ପୁଅକୁ ମଧ୍ୟ ଅଲରାଉଣ୍ଡର ଭାବେ ଟିମରେ ସାମିଲ କରାଯାଇଛି । ଅର୍ଜୁନ ଭଲ ବ୍ୟାଟିଂ କରୁଥିବା ବେଳେ ଦ୍ରୁତ ବୋଲିଂ ମଧ୍ୟ କରିଥାନ୍ତି । ଏହାସହ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ଅର୍ଜୁନ ତେନ୍ଦୁଲକରଙ୍କୁ ଟିମରେ ସାମିଲ କରିଥିଲେ ଏଯାଏଁ ଆଇପିଏଲ ଡେବ୍ୟୁ କରିପାରିନାହାନ୍ତି ଅର୍ଜୁନ । ୪୧ ଥର ରଣଜୀ ଚାମ୍ପିୟନ ଥିବା ମୁମ୍ବାଇକୁ ଚଳିତଥର ଗ୍ରୁପ୍ ସିରେ ରଖାଯାଇଛି । ଆସନ୍ତା ୧୩ ଜାନୁଆରୀରୁ ମହାରାଷ୍ଟ୍ର ବିପକ୍ଷରେ ରଣଜୀ ଅଭିଯାନ ଆରମ୍ଭ କରିବ ମୁମ୍ବାଇ ।