ଲିଙ୍ଗରାଜ ମନ୍ଦିରକୁ ନେଇ ଆସିଲା ବଡ ଖବର । ମନ୍ଦିରର ବିଭିନ୍ନ ସ୍ଥାନରେ ବଡ ବଡ ଫାଟ, ପତ୍ନତତ୍ୱ ବିଭାଗକୁ ଚିଠି ଲେଖିଲେ ଦେବୋତର କମିଶନର । କହିଲେ, ଶୀଘ୍ର ମରାମତି ନ କଲେ ମନ୍ଦିରରୁ ଖସିପାରେ ପଥର ।

501

କନକ ବ୍ୟୁରୋ : ଏକାଦଶ ଶତାବ୍ଦୀର ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର ପ୍ରତି ବିପଦ ମାଡି ଆସୁଛି । ଆଜି ଏଏସଆଇକୁ ଦେବୋତ୍ତର କମିଶନ ଲେଖିଥିବା ଚିଠିରେ ସ୍ପଷ୍ଟଭାବେ ଦର୍ଶାଯାଇଛି ଯେ, ଲିଙ୍ଗରାଜ ମନ୍ଦିର ପ୍ରତି ପ୍ରତ୍ନତତ୍ୱ ବିଭାଗ ଚରମ ଅବହେଳା ଦେଖାଇଛି । ମନ୍ଦିରର ବିଭିନ୍ନ ସ୍ଥାନରେ ବଡ ବଡ ଫାଟ ସୃଷ୍ଟି ହୋଇଛି । ଫଳରେ ମନ୍ଦିରରୁ ପାଣି ଗଳୁଛି । ମୁଖ୍ୟ ମନ୍ଦିର ଦୁର୍ବଳ ହୋଇ ସ୍ଥିତି ଏଭଳି ହୋଇଛି ଯେ, ମନ୍ଦିରରୁ ପଥର ବି ଖସିବା ସମ୍ଭାବନା ରହିଛି ।

ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା ବା ଏଏସଆଇକୁ ଦେବୋତ୍ତର କମିଶନ ଲେଖିଥିବା ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ଏକାଦଶ ଶତାବ୍ଦୀରେ ତିଆରି ହୋଇଥିବା ଲିଙ୍ଗରାଜ ମନ୍ଦିର ବିପଦସଙ୍କୁଳ ଅବସ୍ଥାରେ ରହିଛି । ମନ୍ଦିରର ରକ୍ଷଣାବେକ୍ଷଣରେ ଅବହେଳା କରାଯାଇଛି । ମୁଖ୍ୟ ମନ୍ଦିରର ଶିଖରରେ ବଡ ଫାଟ ରହିଛି । ମନ୍ଦିରର ଦଧିନଉତିରେ ବି ଫାଟ ସୃଷ୍ଟି ହୋଇଛି, ଯାହାର ତୁରନ୍ତ ମରାମତି ଆବଶ୍ୟକ । ମୁଖ୍ୟ ମନ୍ଦିର ଏବଂ ପାଶ୍ୱର୍ ଦେବାଦେବୀ ମନ୍ଦିର କାନ୍ଥରେ ଥିବା ସୂଷ୍ମ କାରୁକାର୍ଯ୍ୟ ମଧ୍ୟ ଭଗ୍ନ ଅବସ୍ଥାରେ ରହିଛି । ଏଏସଆଇର ଶ୍ରେଷ୍ଠ ଇଂଜିନିୟର ଏବଂ ବିଶେଷଜ୍ଞଙ୍କ ଦ୍ୱାରା ତୁରନ୍ତ ଏସବୁର ରକ୍ଷଣାବେକ୍ଷଣ ଏବଂ ମରାମତି ଜରୁରୀ ବୋଲି ଚିଠିରେ ଲେଖିଛନ୍ତି ଦେବୋତର କମିଶନର ।

ସବୁଠାରୁ ବଡ କଥା ହେଉଛି, ମନ୍ଦିରରେ ହୋଇଥିବା ଫାଟ ଯୋଗୁଁ ପାଣି ଗଳୁଛି । ମୁଖ୍ୟ ମନ୍ଦିରର ସଂଯୋଗ ସ୍ଥାନ, ପାର୍ବତୀ ମନ୍ଦିର ଏବଂ ଏହାର ଜଗମୋହନ, ରୋଷଶାଳା, ଭୋଗ ମଣ୍ଡପ, ବିଶ୍ୱକର୍ମା ମନ୍ଦିର, ଭୁବନେଶ୍ୱରୀ ମନ୍ଦିର, ଏକାମ୍ବ୍ରେଶ୍ୱର ମନ୍ଦିର, ଉଗ୍ରଶ୍ୱରମହାଦେବ ମନ୍ଦିର ଏବଂ ଗଣେଶ ମନ୍ଦିରରେ ରହିଥିବା ଫାଟର ତୁରନ୍ତ ମହାମତି ଆବଶ୍ୟକ ବୋଲି ଦୋବତର କମିଶନ କହିଛି ।

ମୁଖ୍ୟ ମନ୍ଦିରର ଦଧିନଉତି, ବାହାର ପାଶ୍ୱର୍ ଏବଂ ମନ୍ଦିର ପରିସରରେ ଥିବା ଅନ୍ୟ ଛୋଟ ବଡ ମନ୍ଦିରକୁ ଶୈବାଳ ଏବଂ ବୃକ୍ଷଲତା ମାଡିଯାଇଛି । ଏହାକୁ ତୁରନ୍ତ ସଫା ନକଲେ ମନ୍ଦିର ଦୁର୍ବଳ ହୋଇ ନଷ୍ଟ ହୋଇଯିବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୁରୁଣା ତଥା ମୁଖ୍ୟ ମନ୍ଦିର ପ୍ରତି ସବୁଠୁ ଅଧିକ ଅବହେଳା କରାଯାଇଛି । ବର୍ଷା, ଖରା ଓ ବାତ୍ୟା ପ୍ରଭାବରେ ମନ୍ଦିର ଦୁର୍ବଳ ହୋଇଯାଇଥିବା ବେଳେ ଯେକୌଣସି ମୁହୂର୍ତରେ ମନ୍ଦିରରୁ ପଥର ଖସିବା ବି ସମ୍ଭାବନା ରହିଛି ।

ମନ୍ଦିରର ଗର୍ଭଗୃହ ଏବଂ ଭୋଗମଣ୍ଡପରେ ନିୟମିତ ସଫା କରାଯାଉନାହିଁ । ଗର୍ଭଗୃହର ଚଟାଣରେ ଫାଟ ହେବା ସହ ଖସଡା ଭଳି ସ୍ଥିତି ହୋଇଯାଇଛି । ଏଥିସହ ସାରା ମନ୍ଦିରର ଚଟାଣ ବି ନଷ୍ଟ ହେବାକୁ ବସିଲାଣି । ପାଦୁକାନାଳରୁ ପାପନାଶିନୀ ପୋଖରୀକୁ ଯାଉଥିବା ନାଳ ବନ୍ଦ ହୋଇଯାଇଛି । ମନ୍ଦିରର ଆର୍ଥିଂ ବି ବଦଳାଯାଇନି ।
ଏଏସଆଇକୁ ଦେବୋତର କମିଶନ ଲେଖିଥିବା ଚିଠିରେ ଆହୁରି ମଧ୍ୟ ଲେଖାଯାଇଛି ଯେ, ମନ୍ଦିର ଚାରିପାଖରେ ଜବରଦଖଲ ଦୋକାନ ଓ ଘର କରି ଜାଗା ମାଡି ବସିଛନ୍ତି । ଯାହାର ଉଚ୍ଛେଦ ଜରୁରୀ ହୋଇପଡିଛି ।