ଇନ୍ଦୋର ଟେଷ୍ଟରେ ଚାଲିଲା ବୋଲରଙ୍କ ଯାଦୁ । ବାଂଲାଦେଶର ବ୍ୟାଟିଂ ବିପର୍ଯ୍ୟୟ, ଦୃଢ ସ୍ଥିତିରେ ଟିମ୍ ଇଣ୍ଡିଆ ।

793

ଇନ୍ଦୋର ଟେଷ୍ଟରେ ଦୃଢ ସ୍ଥିତିରେ ଟିମ୍ ଇଣ୍ଡିଆ । ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମୁକାବିଲାରେ ଦମଦାର ଆରମ୍ଭ କରିଛି ବିରାଟ ବାହିନୀ । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୧ ୱିକେଟ ହରାଇ ୮୬ ରନ୍ ସଂଗ୍ରହ କରିଛି ଭାରତ । ମୟଙ୍କ ଅଗ୍ରୱାଲ ଓ ଚେତେଶ୍ୱର ପୂଜାରା କ୍ରିଜରେ ଥିବା ବେଳେ ରୋହିତ ଶର୍ମା ମାତ୍ର ୬ ରନ୍ କରି ପ୍ୟାଭିଲିୟନ ଫେରିଛନ୍ତି ।

ଏହାପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ଟିମ୍ ଇଣ୍ଡିଆର ଶାଣିତ ବୋଲିଂ ଆଗରେ ସମ୍ପୂର୍ଣ୍ଣ ଭାବେ ମୁଣ୍ଡ ନୁଆଇଁଥିଲା ବାଂଲାଦେଶ । ଇନିଂସ ଆରମ୍ଭରୁ ହିଁ ବାଂଲାଦେଶକୁ ଝଟକା ଲାଗିଥିଲା । ମାତ୍ର ୩୧ ରନ୍ ମଧ୍ୟରେ ଦଳ ୩ ୱିକେଟ ହରାଇ ସଙ୍କଟରେ ପଡିଥିଲା । ତେବେ ମୋମିନୁଲ ଓ ମୁସଫିକର ରହିମ ପାଳି ସମ୍ଭାଳିଥିଲେ ମଧ୍ୟ ବେଶି ସମୟ କ୍ରିଜରେ ତିଷ୍ଠି ପାରିନଥିଲେ । ମୋମିନୁଲଙ୍କ ୱିକେଟର ପତନ ପରେ ଭୁଷୁଡି ପଡିଥିଲା ବାଂଲାଦେଶର ବ୍ୟାଟିଂ ମେରୁଦଣ୍ଡ । ମାତ୍ର ୧୫୦ ରନରେ ପୂରା ଟିମ୍ ଫେରିଥିଲା ପ୍ୟାଭିଲିୟନ । ଇଶାନ୍ତ, ଉମେଶ, ରବିଚନ୍ଦ୍ରନ ଅଶ୍ୱିନୀ ୨ଟି ଲେଖାଏଁ ୱିକେଟ ହାତେଇଥିବା ବେଳେ ମହମ୍ମଦ ସାମି ୩ ୱିକେଟ ନେଇ ବାଂଲାଦେଶର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପରେ ଟିମ୍ ଇଣ୍ଡିଆ ଏବେ ଟପରେ ଥିବା ବେଳେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍ ଜିତି ଏହି ସ୍ଥ୍ାନକୁ ଆହୁରି ସୁଦୃଢ କରିବା ଲକ୍ଷ୍ୟରେ ରହିଛି ବିରାଟ ବାହିନୀ ।