କନକ ବ୍ୟୁରୋ : ପୂର୍ବ ଲଦାଖରେ ପ୍ରକୃତ ନିୟନ୍ତ୍ରଣ ରେଖା ଅଂଚଳରେ ଦୀର୍ଘ ୮ ମାସ ଧରି ଭାରତ ଓ ଚୀନ୍ ସେନା ମଧ୍ୟରେ ଲାଗି ରହିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତିର ଅବସାନ ଘଟିଛି। ପୂର୍ବ ଲଦାଖ୍ ସ୍ଥିତ ପେଙ୍ଗୋଙ୍ଗ୍ ହ୍ରଦର ଉଭୟ ଉତ୍ତର ଏବଂ ଦକ୍ଷିଣ ପାଶ୍ୱର୍କୁ ଚୀନ୍ ସୈନିକ ଖାଲି କରିଦେଇଛନ୍ତି। ସମସ୍ତ ଚୀନ୍ ସୈନିକ ସେଠାରୁ ଫେରିଥିବା ବେଳେ ଭାରୀ ଯୁଦ୍ଧାସ୍ତ୍ର ମଧ୍ୟ ହଟାଇ ଦିଆଯାଇଛି । ଚୀନ୍ ସୈନିକଙ୍କ ସ୍ଥାୟୀ ଶିବିରଗୁଡ଼ିକୁ ମଧ୍ୟ ରାତାରାତି ନଷ୍ଟ କରିଦିଆ ଯାଇଥିବାରୁ ଏକ ବହୁତ ବଡ଼ ବିବାଦର ସାମୟିକ ପରିସମାପ୍ତି ଘଟିଛି । ଏକ ନିର୍ଦ୍ଦିଷ୍ଟ ଅଂଚଳକୁ ବିବାଦୀୟ କରି ତାହାକୁ ନିଜ୍ କବଜାକୁ ନେବାପାଇଁ ଚୀନର ବିଶାଳ ଚାଲ୍ ପଣ୍ଡ ହୋଇଯାଇଥିବାରୁ ଏହାକୁ ଭାରତର ବଡ଼ କୂଟନୈତିକ ବିଜୟ ବୋଲି କୁହାଯାଉଛି।
ଭାରତ ପେଙ୍ଗୋଙ୍ଗ୍ ଅଂଚଳରେ ଯେଭଳି ଦୃଢ଼ତାର ସହ କାଏମ ରହିଲା ଏବଂ ନିଜ ଶକ୍ତିର ପରିଚୟ ଦେଲା ତାହା ଆମେରିକା ଓ ରୁଷକୁ ମଧ୍ୟ ବିସ୍ମିତ କରିଦେଇଛି। ଏବେ ପରବର୍ତ୍ତୀ ପର୍ଯ୍ୟାୟରେ ଗୋଗରା, ହଟ୍ ସ୍ପ୍ରିଂଗ୍ ଏବଂ ଡେପସାଙ୍ଗ ଅଂଚଳରୁ ସେନା ପ୍ରତ୍ୟାହାର ଦିଗରେ ଗୁରୁତ୍ୱାରୋପ କରାଯାଉଛି। ଆସନ୍ତାକାଲି ଏ ବାବଦ ବୈଠକରେ ବିସ୍ତୃତ ଆଲୋଚନା ହେବ। ଲଦାଖରେ ଭବିଷ୍ୟତରେ ସଂଘର୍ଷପୂର୍ଣ୍ଣ ସ୍ଥିତିକୁ ଏଡ଼ାଇବାକୁ ଏଲଏସି ପାଇଁ ନୂଆ ପାଟ୍ରୋଲିଂ ନୀତି ନିର୍ଦ୍ଧାରଣ କରିବାକୁ ମଧ୍ୟ ଯୋଜନା ଚାଲିଛି।
ପେଙ୍ଗୋଙ୍ଗ୍ ଅଂଚଳରୁ ସେନା ପ୍ରତ୍ୟାହାର ପ୍ରକ୍ରିୟା ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଗତ ରାତିରେ ଏହା ସଂପୂର୍ଣ୍ଣ ହୋଇଥିବା ଜଣାପଡ଼ିଛି। ଫିଙ୍ଗର ୪ ଅଂଚଳ ଏବେ ଖାଲି ହୋଇଯାଇଥିବାରୁ ଭାରତୀୟ ସେନା ମଧ୍ୟ ତା’ର ପୂର୍ବ ସ୍ଥିତିକୁ ଫେରି ଆସିଛି। ଭାରତୀୟ ସେନା ଫିଙ୍ଗର ୨-୩ ମଧ୍ୟବର୍ତ୍ତୀ ଅଂଚଳ ଧାନ୍ ସିଂହ ଥାପାରେ ରହିବ ବୋଲି ନିଷ୍ପତ୍ତି ହୋଇଛି। ତେବେ ଚୀନ୍ ସେନା ପଛକୁ ହଟିବା ସତ୍ତ୍ବେ ଭାରତ ନିଜର ସୁରକ୍ଷା ସ୍ଥିତିକୁ ଆହୁରି ସୁଦୃଢ଼ କରିଛି। ଲଦାଖରେ ଶକ୍ତିଶାଳୀ ତୋପ ମୁତୟନ କରାଯିବା ସହ ବିଭିନ୍ନ ଶ୍ରେଣୀର ଯୁଦ୍ଧ ବିମାନ ନିୟମିତ ବ୍ୟବଧାନରେ ଉଡ଼ାଣ ଭରୁଛନ୍ତି।