ହ୍ୟାଟ୍ରିକ ବିଜୟ ସହ କୋହଲି-ଶାସ୍ତ୍ରୀ ଯୋଡ଼ିଙ୍କ ଯୁଗର ଅନ୍ତ : ପୂର୍ବ ଘୋଷଣା ମୁତାବକ ଟି-୨୦ ବିଶ୍ୱକପ ପରେ ନେଲେ ବିଦାୟ

ଦ୍ରାବିଡ଼ଙ୍କ ପ୍ରଶିକ୍ଷଣରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ ଖେଳିବ ଟିମ୍ ଇଣ୍ଡିଆ; ନୂଆ ଅଧିନାୟକଙ୍କ ଉପରେ ରହିବ ନଜର

225

କନକ ବ୍ୟୁରୋ : ହ୍ୟାଟ୍ରିକ୍ ବିଜୟ ସହ ବିରାଟ କୋହଲି-ରବି ଶାସ୍ତ୍ରୀ ଯୋଡ଼ିଙ୍କ ଯୁଗର ଅନ୍ତ ଘଟିଛି। ବିଶ୍ବକପ୍‌ ବିଜୟ ସ୍ବପ୍ନକୁ ଅଧୁରା ରଖି ଏହି ଅଧିନାୟକ-ପ୍ରଶିକ୍ଷକଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ବିଶ୍ବକପ୍‌ ପରେ କୋହଲି ଆଉ ଟ୍ବେଣ୍ଟି-୨୦ରେ ଦେଶର ନେତୃତ୍ବ ନେବେ ‌ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିଥିଲେ । ସେହିଭଳି ରବି ଶାସ୍ତ୍ରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକାଳ ବିଶ୍ବକପ୍‌ ପର୍ଯ୍ୟନ୍ତ ଥିଲା ।

ନିରାଶାଜନକ ଅଭିଯାନ କିନ୍ତୁ ଲଗାତାର ୩ ସହଜ ବିଜୟରେ ଶେଷ ହୋଇଛି । ସୋମବାର ଚଳିତ ଆଇସିସି‌‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଶେଷ ଲିଗ୍ ମ୍ୟାଚ୍‌ରେ ଭାରତ ୯ ୱିକେଟ୍‌ରେ ନିମ୍ନ ମାନ୍ୟତାପ୍ରାପ୍ତ ନାମିବ୍ୟାକୁ ପରାସ୍ତ କରିଥିଲା । ଭାରତୀୟ ସ୍ପିନରମାନେ ନାମିବ୍ୟାକୁ ୧୩୨ ରନ୍‌ରେ ରୋକିବା ପରେ ରୋହିତ ଶର୍ମା ଏବଂ କେଏଲ୍ ରାହୁଲଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ଦଳ ସହଜରେ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା ।

ବିରାଟ କୋହଲି ଲଗାତାର ଟସ୍ ଜିତିବା ପରେ ସୋମବାର ‌କ୍ଷେତ୍ରରକ୍ଷଣ କରିଥିଲେ। ଦଳର ଦୁଇ ଅଭିଜ୍ଞ ସ୍ପିନର୍‌ ରବୀନ୍ଦ୍ର ଜାଦେଜା ଓ ରବିଚନ୍ଦ୍ରନ ଅଶ୍ବିନ୍ ମିଳିତ ଭାବେ ୮ ଓଭରରେ ୩୬ ରନ୍ ଦେଇ ୬ ୱିକେଟ୍ ଦଖଲ କରିନେବାରୁ ନାମିବ୍ୟା ବଡ଼ ସ୍କୋର୍‌ କରିପାରିନଥିଲା । ଦଳ ପକ୍ଷରୁ ସର୍ବାଧିକ ୨୬ ରନ୍‌ ଡେଭିଡ୍ ୱିଜ୍ ସଂଗ୍ରହ କରିଥିଲେ । ଯଶପ୍ରୀତ୍ ବୁମରା ମଧ୍ୟ ଦୁଇଟି ୱିକେଟ୍ ଦଖଲ କରିଥିଲେ । ତେବେ ବରୁଣ ଚକ୍ରବର୍ତ୍ତୀଙ୍କ ବଦଳରେ‌‌ ଖେଳିଥିବା ରାହୁଲ ଚହର୍ ପ୍ରଭାବହୀନ ରହିଥିଲେ। ତାଙ୍କ ୪ ଓଭରରେ ୩୦ ରନ୍‌ ଦେଇ ୱିକେଟ ଶୂନ୍ୟ ରହିଥିଲେ । ୧୩୩ ରନ୍ ବିଜୟ ଲକ୍ଷ୍ୟକୁ ଭାରତ ୪.୪ ଓଭର ପୂର୍ବରୁ ୧ ୱିକେଟ୍ ହରାଇ ସଂଗ୍ରହ କରି ନେଇଥିଲା ।

ରୋହିତ ଶର୍ମା (୫୬, ୩୭ ବଲ୍‌)ଙ୍କ ପରେ କେଏଲ୍ ରାହୁଲ୍ (୫୪*, ୩୬ ବଲ୍‌) ଏବଂ ସୂର୍ଯ୍ୟ କୁମାର ଯାଦବ (୨୫*, ୧୯ ବଲ୍‌) ମ୍ୟାଚ୍‌ ଶେଷ କରିଥିଲେ। ରବୀନ୍ଦ୍ର ଜାଦେଜା ମ୍ୟାଚ୍‌ର ଶ୍ରେଷ୍ଠ ‌‌ଖେଳାଳି ବିବେଚିତ ହୋଇଥିଲେ । ଭାରତ ଏହାପରେ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ଆସନ୍ତା ସପ୍ତାହରୁ ଘରୋଇ ପ‌ରିବେଶରେ ଶୃଙ୍ଖଳା ଖେଳିବ। ବିଶ୍ବକପ୍‌ରେ ମଙ୍ଗଳବାର ବିଶ୍ରାମ ଦିବସ ଥିବାବେଳେ ବୁଧବାର ପ୍ରଥମ ସେମିଫାଇନାଲରେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ୍‌ (ଆବୁଧାବି) ଏବଂ ଗୁରୁବାର ଦ୍ବିତୀୟ ସେମିଫାଇନାଲରେ ପାକିସ୍ତାନ-ଅଷ୍ଟ୍ରେଲିଆ (ଦୁବାଇ) ମୁକାବିଲା ହେବ ।

କେମିତି ଥିଲା କୋହଲି-ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଭିତରେ ଭାରତର ପ୍ରଦର୍ଶନ ? 

– ପ୍ରଥମ ଏସୀୟ ଦଳ ଭାବେ ଅଷ୍ଟ୍ରେଲିଆକୁ ୨ ଥର ଟେଷ୍ଟ ସିରିଜରେ ପରାସ୍ତ କରିଛି ଭାରତ
– ୨୦୨୧ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପର ଫାଇନାଲରେ ପହଂଚିଥିଲା ଭାରତ
– ୨୦୧୯ ବିଶ୍ୱକପ୍ର ଗ୍ରୁପ୍ ପର୍ଯ୍ୟାୟରେ ଶ୍ରେଷ୍ଠ ଟିମ୍ ଭାବେ ପଏଂଟ ତାଲିକାର ଶୀର୍ଷରେ ଥିଲା ଟିମ୍ ଇଣ୍ଡିଆ
– ୨୦୧୭ରେ ପ୍ରଥମ ଥର ଶ୍ରୀଲଙ୍କାକୁ ୩-୦ରେ ପରାସ୍ତ କରିଥିଲା ଭାରତ
– ୨୦୧୮-୧୯େରେ ଅଷ୍ଟ୍ରେଲିଆକୁ ହରାଇ ବର୍ଡର ଗାଭାସ୍କର ଟ୍ରଫି ଜିତିଥିଲା ଭାରତ
– ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଭିତରେ ୪୩ଟି ଟେଷ୍ଟ ଖେଳି ୨୫ଟି ମ୍ୟାଚ୍ ଜିତିଛି ଟିମ୍ ଇଣ୍ଡିଆ
– ଶାସ୍ତ୍ରୀଙ୍କ ପ୍ରଶିକ୍ଷଣରେ ୭୬ଟି ଦିନିକିଆରୁ ଭାରତ ୫୧ଟି ମ୍ୟାଚ୍ ଜିତିଛି
– ଶାସ୍ତ୍ରୀଙ୍କ ଅଧିନରେ ୬୫ଟି ଟି-୨୦ ଖେଳି ୪୩ଟି ମ୍ୟାଚ୍ ଜିତିଛି ଭାରତ
– ଆଇସିସି ଟ୍ରଫି ଜିତି ପାରିନଥିଲେ ବି ଭାରତକୁ ସଫଳତାର ଶୀର୍ଷରେ ପହଂଚାଇଛନ୍ତି ଶାସ୍ତ୍ରୀ