ଦିଲ୍ଲୀପ କୁମାର : ବଲିଉଡ୍‌ର ପ୍ରଥମ ଖାନ୍‌, ସର୍ବାଧିକ ପୁରସ୍କାର ପାଇବାରେ କରିଥିଲେ ଗିନିଜ୍‌ ୱାର୍ଲ୍ଡ ରେକର୍ଡ

159

କନକ ବ୍ୟୁରୋ : ସେ ଥିଲେ ବଲିଉଡ୍‌ର ପ୍ରଥମ ଖାନ୍‌। ସେ ଥିଲେ ଭାରତୀୟ ଚଳଚ୍ଚିତ୍ର ଜଗତରେ ମେଥର୍ଡ ଆକ୍ଟିଂର ପ୍ରବକ୍ତା। କଳାଧଳାରୁ ଚଳଚ୍ଚିତ୍ର ଜଗତର ରଙ୍ଗିନ ଦୁନିଆ ପର୍ଯ୍ୟନ୍ତ ଯାତ୍ରାର ସେ ସାକ୍ଷୀ । ୫ ଦଶନ୍ଧିର ଲମ୍ବା ଅଭିନୟ ଜୀବନ, ସର୍ବାଧିକ ପୁରସ୍କାର ପାଇଥିବା ଅଭିନେତାର ରେକର୍ଡ ପୁଣି ଟ୍ରାଜେଡି କିଙ୍ଗ୍‌ ଭାବେ ପ୍ରଶଂସକଙ୍କ ଭିତରେ ବେଶ୍‌ ଜଣାଶୁଣା ଦିଗ୍‌ଗଜ ଅଭିନେତା ଦିଲ୍ଲୀପ କୁମାରଙ୍କୁ ଝୁରୁଛି ଚଳଚ୍ଚିତ୍ର ଜଗତ । ଦୀର୍ଘ ୨୦ ବର୍ଷ ହେଲା ସେ ଅଭିନୟ ଜଗତରୁ ସନ୍ନ୍ୟାସ ନେଇ ଯାଇଥିଲେ ସୁଦ୍ଧା ବଲିଉଡ୍‌ର ମୁରବି ଭାବେ ରହିଥିଲେ। ହେଲେ ତାଙ୍କ ବିୟୋଗ ବଲିଉଡ୍‌କୁ ମୁରବିଶୂନ୍ୟ କରି ଦେଇଛି ।

୬୫ରୁ ଊର୍ଧ୍ବ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଦିଲ୍ଲୀପ ନିଜ ବହୁମୁଖୀ ପ୍ରତିଭାରେ ଚଳଚ୍ଚିତ୍ର ଜଗତରେ ପ୍ରାଚୁର୍ଯ୍ୟ ଭରି ଯାଇଛନ୍ତି। ଏଥିପାଇଁ ତ ସେ ଚଳଚ୍ଚିତ୍ର ଜଗତର ସର୍ବାଧିକ ପୁରସ୍କାର ପାଇଥିବା ଅଭିନେତା ଭାବେ ଏକ ସମୟରେ ରେକର୍ଡ କରିଥିବା ବେଳେ ପାକିସ୍ତାନ ବି ତାଙ୍କ ପ୍ରତିଭାକୁ ସ୍ବୀକାର କରିଛି । ଖାଲି ଭାରତ ନୁହେଁ ପାକିସ୍ତାନର ଦର୍ଶକ ମଧ୍ୟ ତାଙ୍କୁ ଢେର ଭଲ ପାଇବା ଦେଇଥିବା ବେଳେ ପାକିସ୍ତାନର ସର୍ବୋଚ୍ଚ ବେସାମରିକ ସମ୍ମାନ‌ରେ ତାଙ୍କୁ ସମ୍ମାନିତ କରାଯାଇଛି ।

ସଫଳତାର ଶୀର୍ଷରେ ପହଞ୍ଚାଇଥିଲା ‘ମୋଗ୍‌ଲେ ଆଜମ୍‌’
ଐତିହାସିକ ପ୍ରେମ କାହାଣୀ ଉପରେ ଆଧାରିତ ‘ମୋଗ୍‌ଲେ ଆଜମ୍’ (୧୯୬୦) ଚଳଚ୍ଚିତ୍ରକୁ ଦିଲ୍ଲୀପ କୁମାରଙ୍କ ଶ୍ରେଷ୍ଠ ଫିଲ୍ମ ବୋଲି କୁହାଯାଏ। ୧୯୭୧ ମସିହା ପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ର ଦର୍ଶକମାନଙ୍କର ସବୁଠୁ ଅଧିକ ପସନ୍ଦର ସିନେମା ହୋଇ ରହିଥିଲା। ସେତେବେଳେ ଏହି ଚଳଚ୍ଚିତ୍ର ଯେତିକି ବ୍ୟବସାୟିକ ସଫଳତା ହାସଲ କରିଥିଲା ତାହା ୨୦୧୫ ମସିହାର ବଜାର ସ୍ଥିତିକୁ ଦେଖିଲେ ୨୦୦୦ କୋଟିରୁ ଅଧିକ ଟଙ୍କା ଉପାର୍ଜନ କରିଥିବା ଚଳଚ୍ଚିତ୍ର, ଯାହା ଅଦ୍ୟାବଧି ଏକ ରେକର୍ଡ। ଏଥିରେ ରାଜକୁମାର ସଲିମ୍ ଭୂମିକାରେ ଦିଲ୍ଲୀପ କୁମାରଙ୍କ ନିଖୁଣ ଅଭିନୟ ଭାବଗର୍ଭକ ଓ ଚିତ୍ତାକର୍ଷକ। ସଲିମ୍‌ଙ୍କ ପ୍ରେମିକା ଅନାରକଲି ଚରିତ୍ରରେ ଅଭିନୟ କରିଥିଲେ ମଧୁବାଲା। ମଧୁବାଲାଙ୍କୁ ସତସତିକା ପସନ୍ଦ କରୁଥିଲେ ଦିଲ୍ଲୀପ କୁମାର, କିନ୍ତୁ ସେଥିରେ ସେ ସଫଳ ହୋଇ ନ ଥିଲେ। ମୋଗ୍‌ଲେ ଆଜମ୍‌ର ମୂଳ ସଂସ୍କରଣରେ ଖୁବ୍ କମ୍ ରଙ୍ଗିନ ଦୃଶ୍ୟ ଥିଲା ଏବଂ ଅଧିକାଂଶ କଳାଧଳା ଦୃଶ୍ୟ ରହିଥିଲା। ୪୪ ବ‌ର୍ଷ ପରେ ୨୦୦୪ରେ ଏହାକୁ ସମ୍ପୂର୍ଣ୍ଣ ରଙ୍ଗିନ କରାଯାଇ ଆଉ ଥରେ ରିଲିଜ୍ କରାଯାଇଛି। ଏଥିରୁ ଏହି ସିନେମାର ଲୋକପ୍ରିୟତା ଏବେ ମଧ୍ୟ ଅତୁଟ ରହିଥିବାର ଜଣାପଡ଼େ।

ଫିଲ୍ମ ଫେୟାର ପୁରସ୍କାର ପାଇଥିବା ପ୍ରଥମ ଅଭିନେତା
ଦିଲ୍ଲୀପ କୁମାର ହେଉଛନ୍ତି ଫିଲ୍ମ ଫେୟାର ପୁରସ୍କାର ପାଇଥିବା ପ୍ରଥମ କଳାକାର। ‘ଦାଗ୍’ ଚଳଚ୍ଚିତ୍ର ପାଇଁ ସେ ଏହି ପୁରସ୍କାର ପାଇଥିଲେ। ପରବର୍ତ୍ତୀ ସମୟରେ ଆଉ ସାତ ଥର ସେ ଏହି ପୁରସ୍କାର ପାଇଛନ୍ତି। ବୈଜୟନ୍ତୀମାଳା, ମଧୁବାଲା, ନର୍ଗିସ, ନିମ୍ମି, ମୀନା କୁମାରୀ ଓ କାମିନୀ କୌଶଲ ଆଦି ଅଭିନେତ୍ରୀଙ୍କ ସହିତ ଦିଲ୍ଲୀପ କୁମାରଙ୍କ ଯୋଡ଼ିକୁ ଦର୍ଶକ ଖୁବ୍ ପସନ୍ଦ କରୁଥିଲେ। ୫୦ ଦଶକରେ ଗୋଟେ ସିନେମା ପାଇଁ ଏକ ଲକ୍ଷ ଟଙ୍କା ପାଉଣା ନେବାରେ ସେ ଥିଲେ ପ୍ରଥମ ଅଭିନେତା।

ମଧୁବାଲାଙ୍କ ସହ ୭ ବର୍ଷର ପ୍ରେମ ସମ୍ପର୍କ
ଦିଲ୍ଲୀପ କୁମାର ଷାଠିଏରୁ ଅଧିକ ଚଳଚ୍ଚିତ୍ରରେ ମୁଖ୍ୟ ଓ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ସେଗୁଡ଼ିକ ମଧ୍ୟରୁ କେତେକ ସିନେମା ପୂରା ବିଫଳ ହୋଇଥିବା ବେଳେ ଅଧାରୁ ଅଧିକ ଈର୍ଷଣୀୟ ସଫଳତା ଲାଭ କରିଛି। ତାଙ୍କ ଅଭିନୟ ଜୀବନ ଯେଭଳି ଆକର୍ଷଣୀୟ, ବ୍ୟକ୍ତିଗତ ଜୀବନ ମଧ୍ୟ ସେଭଳି ରୋଚକ। ମୋଗଲ୍‌ ଇ ଆଜମ୍‌ର ରସିକ ଦିଲୀପ ଚଳଚ୍ଚିତ୍ର କରମା ଓ କ୍ରାନ୍ତି ଆଦିରେ କଠୋର ଓ କର୍ତ୍ତବ୍ୟପରାୟଣ ଚରିତ୍ରରେ ଅବତୀର୍ଣ୍ଣ ହୋଇ ବହୁମୁଖୀ ଅଭିନୟ ପ୍ରତିଭାର ପ୍ରମାଣ ଦେଇଛନ୍ତି। ‘ତରାନା’ ସିନେମାରେ ଅଭିନୟ ସମୟରୁ ମଧୁବାଲାଙ୍କୁ ମନେ ମନେ ଭଲ ପାଇ ବସିଥିଲେ ଦିଲ୍ଲୀପ କୁମାର।

‘ନୟା ଦୌର’ ସିନେମା ଅର୍ଥାତ୍‌ ସାତବର୍ଷ ପର୍ଯ୍ୟନ୍ତ ଦୁହିଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା । ପରେ ମଧୁବାଲା ଦିଲ୍ଲୀପଙ୍କ ପ୍ରେମ ବନ୍ଧନରୁ ଦୂରେଇ ଯାଇଥିଲେ । ପରବର୍ତ୍ତୀ ସମୟରେ ବୈଜୟନ୍ତୀମାଳାଙ୍କ ସହିତ ତାଙ୍କୁ ଯୋଡ଼ା ଯାଉଥିଲା । ମଧୁବାଲାଙ୍କ ପୂର୍ବରୁ କାମିନୀ କୌଶଲଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଥିଲା ବୋଲି କୁହାଯାଏ । ତେବେ ୧୯୬୬ରେ ଦିଲ୍ଲୀପ କୁମାର ନିଜର ଅଧା ବୟସର ଅଭିନେତ୍ରୀ ସାଇରା ବାନୁଙ୍କୁ ବିବାହ କରିଥିଲେ । ସେ ୧୯୮୧ରେ ଆସମା ସାହିବାଙ୍କୁ ଦ୍ବିତୀୟ ପତ୍ନୀ ଭାବେ ଗ୍ରହଣ କରିଥିଲେ ସୁଦ୍ଧା ସେ ମାତ୍ର ଦୁଇବର୍ଷ ସାଙ୍ଗରେ ରହିଥିଲେ । ଏବେ ସୁଦ୍ଧା ଦିଲ୍ଲୀପ କୁମାରଙ୍କ ସହିତ ସାଇରା ବାନୁ ଅଛନ୍ତି ।

ପତ୍ନୀ ସାଇରା ବାନୁଙ୍କ ସ୍ବାସ୍ଥ୍ୟ ପାଇଁ ବାପା ହେଲେନି
ଆତ୍ମଜୀବନୀ ‘ଦି ସବଷ୍ଟାନ୍ସ ଆଣ୍ଡ ଦି ସାଡୋ’ରେ ଦିଲ୍ଲୀପ ଲେଖିଛନ୍ତି, ‘୧୯୭୨ରେ ସାଇରା ମାଆ ହେବାକୁ ଯାଉଥିଲେ। ଆଠ ମାସର ଗର୍ଭ ବେଳକୁ ତାଙ୍କର ରକ୍ତଚାପ ବୃଦ୍ଧି ପାଇବା ଯୋଗୁ ପିଲାଟିକୁ ବଞ୍ଚାଇ ପାରିଲେ ନାହିଁ । ସାଇରା ଖୁବ୍ ଅସୁସ୍ଥ ହୋଇଗଲେ। ତା’ପରେ ଆମେ ଆଉ କେବେ ପିଲା ଜନ୍ମ ପାଇଁ ଇଚ୍ଛା କରିନାହୁଁ। ଏହା ବୋଧହୁଏ ଈଶ୍ବରଙ୍କ ଇଚ୍ଛା ।’ ଦିଲ୍ଲୀପ ଏବଂ ସାଇରାଙ୍କ ବିବାହକୁ ବଲିଉଡ୍‌ର ଅନ୍ୟତମ ସ୍ଥାୟୀ ଓ ଦୀର୍ଘ ବୈବାହିକ ସମ୍ପର୍କ ଭାବରେ ଗଣାଯାଏ।

ଲତାଙ୍କ ସହ ସେମି କ୍ଲାସିକାଲ ସଙ୍ଗୀତ ଗାଇଥିଲେ ଦିଲ୍ଲୀପ
ଦିଲ୍ଲୀପ କୁମାର ୧୯୫୭ ମସିହାର ଚଳଚ୍ଚିତ୍ର ‘ମୁସାଫିର’ରେ କଣ୍ଠଦାନ କରିଛନ୍ତି । ଚଳଚ୍ଚିତ୍ର ‘କରମା’ରେ ମଧ୍ୟ ଗୋଟିଏ ଗୀତର ପ୍ରଥମାଂଶରେ ତାଙ୍କର ସ୍ବର ରହିଛି । ମୁସାଫିର ଚଳଚ୍ଚିତ୍ରରେ ଲତା ମଙ୍ଗେସକରଙ୍କ ସହ ଗାଇଥିବା ଗୀତ ‘ଲାଗି ନହିଁ ଛୁଟେ, ଚାହେ ଜିୟା ଜାୟେ’ ହେଉଛି ଗୋଟେ ସେମି କ୍ଲାସିକାଲ୍ ଗୀତ । ଏହା ଶୁଣିଲେ କେହି ବିଶ୍ବାସ କରିବନି ଯେ ତାହା ଦିଲ୍ଲୀପଙ୍କ ଗୀତ। ତେବେ ଅଭିନୟକୁ ଗୁରୁତ୍ବ ଦେଇ ଗୀତ ଗାଇବା ଦିଗରେ ଦିଲ୍ଲୀପ ଆଉ ବିଶେଷ ଧ୍ୟାନ ଦେଇ ନ ଥିଲେ ।

ସର୍ବାଧିକ ପୁରସ୍କାର ପାଇବାରେ କରିଥିଲେ ଗିନିଜ୍‌ ୱାର୍ଲ୍ଡ ରେକର୍ଡ
ଭାରତୀୟ ଅଭିନେତାମାନଙ୍କ ମଧ୍ୟରେ ସର୍ବାଧିକ ପୁରସ୍କାର ପାଇବାରେ ‘ଗିନିଜ୍‌ ୱାର୍ଲ୍ଡ ରେକର୍ଡ’ ହାସଲ କରିଥିଲେ ଦିଲ୍ଲୀପ କୁମାର। ସେ ୮ଟି ଫିଲ୍ମ ଫେୟାର ଆୱାର୍ଡ ସହ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପାଇଛନ୍ତି। ଏଥିସହ ଦାଦା ସାହେବ ଫାଲ୍‌କେ ସମ୍ମାନ, ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣ ଓ ପାକିସ୍ଥାନର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ନିସାନ-ଇ-ଇମ୍‌ତିଆଜ୍’ ଆଦି ସମ୍ମାନରେ ସେ ସମ୍ମାନିତ ହୋଇଥିଲେ।