ପୁଲୱାମା ହମଲାର ମାଷ୍ଟର ମାଇଣ୍ଡକୁ ଏନକାଉଣ୍ଟଟର । ମସୁଦ ଅଜହରର ପୁତୁରା ମହମ୍ମଦ ଇସମାଇଲ୍ ସମେତ ୨ କୁଖ୍ୟାତ ଆତଙ୍କବାଦୀ ନିହତ

197

କନକ ବ୍ୟୁରୋ: ଜମ୍ମୁ- କାଶ୍ମୀର ଅବନ୍ତିପୋରାରେ ସେନାକୁ ବଡ ସଫଳତା । ଅପରେସନ୍ ବେଳେ ୨ କୁଖ୍ୟାତ ଆତଙ୍କବାଦୀ ନିହତ । ଆଉ ନିହତ ଆତଙ୍କୀଙ୍କ ମଧ୍ୟରେ ରହିଛି ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ ଅଜହରର ପୁତୁରା ମହମ୍ମଦ ଇସମାଇଲ୍ ଓରଫ ଲମ୍ବୁ ।

ଶେଷରେ ସେନା ଗୁଳିରେ ନିପାତ ହୋଇଛି ଜୈଶ-ଏ-ମହମ୍ମଦର କୁଖ୍ୟାତ ଆତଙ୍କୀ ମହମ୍ମଦ ଇସମାଇଲ୍ ଓରଫ ଲମ୍ବୁ । ସାଢେ ଛ ଫୁଟ ଉଚ୍ଚ ଏହି ଆତଙ୍କୀ, ସେନା ଏନକାଉଁଟରର ହୋଇଛି ଶୀକାର । ଶୁକ୍ରବାର ଅବନ୍ତିପୋରା ଅଂଚଳରେ ଲମ୍ବୁ ଲୁଚି ରହିଥିବାର ଖବର ସ୍ଥାନୀୟ ପୋଲିସ ଠାରୁ ସେନାକୁ ମିଳିଲା । ଆଉ ତୁରନ୍ତ ଉଭୟ ସେନା ଓ ସ୍ଥାନୀୟ ପୋଲିସ ମିଳିତ ଭାବେ ଏଠାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଥିଲେ । ତେବେ ସୁରକ୍ଷାକର୍ମୀଙ୍କ ଉପସ୍ଥିତି ଜାଣି ଲୁଚି ରହିଥିବା ଆତଙ୍କବାଦୀ ମାନେ ସେମାନଙ୍କ ଉପରକୁ ଫାୟାରିଂ କରିଥିଲେ । ଫଳରେ ସେନା ପକ୍ଷରୁ ମଧ୍ୟ ପାଲଟା ଗୁଳି ଚାଳନା କରାଯାଇଥିଲା । ଶୁକ୍ରବାର ମଧ୍ୟ ରାତି ଯାଏଁ ଚାଲିଥିବା ଏହି ଅପରେସନ୍ରେ ୨ ଆତଙ୍କୀ ନିହତ ହୋଇଛନ୍ତି ।

ଜମ୍ମୁ-କାଶ୍ମୀରରେ ଅନେକ ଆତଙ୍କବାଦୀ ଗତିବିଧି ପଛରେ ରହିଥିଲା ଇସମାଇଲର ହାତ । ପାକିସ୍ତାନ- ବହାୱଲପୁର, କୋସରା ନିବାସି ଇସମାଇଲର ଅପରାଧିକ କାହାଣୀର ତାଲିକା ତାରି ଭଳି ଲମ୍ବା ରହିଛି ।

– ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ ଅଜହରର ପୁତୁରା ମହମ୍ମଦ ଇସମାଇଲ୍ ଓରଫ ଲମ୍ବୁ

– କଶ୍ମୀରରେ ଜୈଶ-ଏ-ମହମ୍ମଦର ମୁଖ୍ୟ ଆତଙ୍କୀ ଥିଲା ଇସମାଇଲ

– ପୁଲୱାମା ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣ ପଛର ମୁଖ୍ୟ ଆସାମୀ

– ୨୦୧୭ରେ ପାକିସ୍ତାନରୁ ଭାରତକୁ ଅନୁପ୍ରବେଶ କରିଥିଲା 

– ଅବନ୍ତିପୋରା, ପୁଲୱାମା ଓ ଅନନ୍ତନାଗରେ ରହିଥିଲା ତାର ଅକ୍ତିଆର

– ଆଇଇଡିର ଏକ୍ସପର୍ଟ ଥିଲା ଲମ୍ବୁ ଇସମାଇଲ

– କାର ଓ ଲ୍ୟାଣ୍ଡମାଇନ୍ରେ ଆଇଇଡି ବସ୍ଫୋରକ ଖଂଜିବାରେ ଥିଲା ପାରଙ୍ଗମ

– ଆଇଇଡି ଦ୍ୱାରା ପୁଲୱାମାରେ ସିଆରପିଏଫ ଗାଡି ଉପରେ ଆକ୍ରମଣ ହୋଇଥିଲା

– ଇସମାଇଲ ୪୦ ସିଆରପିଏଫ ଯବାନଙ୍କ ମୃତ୍ୟୁ ପଛରେ ମୁଖ୍ୟ ଷଡଯନ୍ତ୍ରକାରୀ ଥିଲା 

– ଯୁବପିଢୀକୁ ଆତଙ୍କବାଦ ପାଇଁ ପ୍ରୋତ୍ସାହିତ କରୁଥିଲା ଲମ୍ବୁ

– ଜୈଶ-ଏ-ମହମ୍ମଦରେ ଯୁବକଙ୍କୁ ଭର୍ତି କରୁଥିଲା

ଇସମାଇଲର ମୃତ୍ୟୁରେ ନିଶ୍ଚିତ ଭାବେ ସେନାକୁ ବଡ ସଫଳତା ମିଳିଛି । ଏବେବି ଅନନ୍ତନାଗ ସମେତ ଅନ୍ୟ ୨୧ ଟି ସ୍ଥାନରେ ଏନଆଇଏର ସର୍ଚ୍ଚ ଅପରେସନ୍ ଜାରି ରହିଛି ।