ଗଞ୍ଜାମ ରମ୍ଭାରେ ଏନକାଉଂଟର ! ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଗଦାଧର ସ୍ୱାଇଁ ଗୁରୂୁତର, ଜିଲ୍ଲା ପୋଲିସର ଅପରେସନ କ୍ଲିନ ଅଭିଯାନ

62

କନକ ବ୍ୟୁରୋ : ପୁଣି ଫୁଟିଲା ଗୁଳି । ଗଞ୍ଜାମରେ ହେଲା ଏନକାଉଂଟର । ରମ୍ଭା ଥାନା ପାଲୁରୁ ଜଙ୍କସନ ବାଲିବଗଡା ଗାଁରେ ପୋଲିସ ଏନକାଉଂଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗଦାଧର ସ୍ୱାଇଁ ଆହତ ହୋଇଛି । ଗଦାଧରର ଡାହାଣ ଗୋଡରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ ବ୍ରହ୍ମପୁର ବଡ ହସପିଟାଲରେ ଭର୍ତି କରାଯାଇଛି । ଘଟଣାସ୍ଥଳରୁ ଗୋଟିଏ ପିସ୍ତଲ ଓ ୩ ରାଉଣ୍ଡ ଗୁଳି ଜବତ କରାଯାଇଛି । ଏନକାଉଂଟର ବେଳେ ଅନ୍ୟ ଜଣେ ଅପରାଧୀ ଖସି ପଳାଇଛି । ଗଦାଧର ନାଁରେ ୨୦ରୁ ଅଧିକ ମାମଲା ରହିଛି । ଗତକିଛି ଦିନ ଧରି ଗଞ୍ଜାମରେ ଅପରାଧୀଙ୍କୁ ଦମନ କରିବା ପାଇଁ ପୋଲିସ ଆରମ୍ଭ କରିଛି ଏନକାଉଣ୍ଟର ଅଭିଯାନ । ରାଜ୍ୟରେ ଅପରାଧରେ ଶୀର୍ଷରେ ଥିବା ଗଞ୍ଜାମ ଜିଲ୍ଲାରେ ଏବେ ଅପରାଧୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି ।

ଜିଲ୍ଲାରେ ଅପରାଧ ଓ ଅପରାଧୀଙ୍କୁ ସଫା କରିବା ପାଇଁ ୨୦୧୬ ମସିହାରେ ଉଭୟ ଜିଲ୍ଲା ପୋଲିସ ଓ ବ୍ରହ୍ମପୁର ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ କ୍ଲିନ୍ ।ଏହାରି ଭିତରେ ଅନେକ ଜେଲ ଯାଇଥିବା ବେଳେ ଏବେ ସୁଧା ୩୦ ଜଣଙ୍କୁ ଏନକାଉଂଟର କରାଯାଇଛି । ତଥାପି ଜିଲ୍ଲାରେ ଅପରାଧୀଙ୍କ ସଂଖ୍ୟା କମୁ ନାହିଁ । ବେଧଡ଼କ ଭାବେ ଚାଲିଛି ଲୁଟ ଓ ବୋମାମାଡ଼ । ଆଉ ସୃଷ୍ଟି ହେଉଛନ୍ତି ନୂଆ ନୂଆ ଅପରାଧୀ ।

୩.୦୮.୨୦୧୭ ତାରିଖ ଗୁରୁବାର ଦିନ ଦ୍ୱିପହର ଭଞ୍ଜନଗର ଥାନା ଅର୍ନ୍ତଗତ ତାରାସିଂ ଗାଁରେ ଦୁର୍ଦ୍ଦାନ୍ତ ବ୍ୟାଙ୍କ ଲୁଟେରା ବାବୁ ନାୟକଙ୍କୁ ଏନକାଉଂଟର କରିଛି ପୁଲିସ । ବାବୁର ଦୁଇ ଆଣ୍ଠୁରେ ଗୁଳି ବାଜିଥିବାବେଳେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି କରାଯାଇଛି । ବାବୁ ଠାରୁ ମାରଣାସ୍ତ୍ର ସହ ପ୍ରାୟ ଦେଢ କେଜିର ସୁନା ଜବତ ହୋଇଛି ।

ସେହିଭଳି ୪.୦୮.୨୦୧୭ ତାରିଖ ଶୁକ୍ରବାର ଜିଲ୍ଲାର ଆସିକା ଥାନା କରଞ୍ଜେଇରେ ପୁଲିସ ଏନକାଉଂଟରରେ ଆହତ ହୋଇଛି କୁଖ୍ୟାତ ଅପରାଧୀ ଅନନ୍ତ ନାରାୟଣ ପଟ୍ଟନାୟକ । ତା ନାଁରେ ବିଭିନ୍ନ ଥାନାରେ ବିଭିନ୍ନ ଅପରାଧୀକ ମାମଲା ରହିଛି ।

୫.୦୮.୨୦୧୭ ତାରିଖରେ ବ୍ରହ୍ମପୁର ଗୁଡ଼ୁସ ରୋଡ଼ରେ ଥିବା ଏକ ବିଦେଶୀ ମଦ ଦୋକାନ ଉପରେ ୩ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ବୋମାମାଡ଼ କରିଥିଲେ । ପୋଲିସ ସିସିଟିଭି ଫୁଟେଜ ଦେଖି ତଦନ୍ତ କରୁଥିବା ବେଳେ ସମ୍ପୃକ୍ତ ଅପରାଧୀଙ୍କୁ ଧରିବା ପାଇଁ ଉଦ୍ୟମ କରିଥିଲା । ସେହି ସମୟରେ ଅପରାଧୀମାନେ ଫେରାର ହୋଇଯାଇଥିବା ବେଳେ ପୁଲିସ ଗୁଳିର ଶିକାର ହୋଇଛନ୍ତି । ପୁଲିସ ଏନକାଉଂଟରରେ ଆହତ ହୋଇଥିବା ମୁନା ସାହୁ ଓ ରାଧା କୃଷ୍ଣ ସାହୁଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ସେମାନଙ୍କ ଠାରୁ ବନ୍ଧୁକ ଗୁଳି ଓ ବୋମା ଜବତ ହୋଇଛି ।

ଗଞ୍ଜାମ ପୋଲିସର ଏହିଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । କ଼ିନ୍ତୁ ଏହି ଅପରାଧୀ କେବଳ ବେକାରୀ ଓ ରାଜନୈତିକ ଲୋକଙ୍କ ଯୋଗୁଁ ବଢୁଛି ଥିବା ଅଭିଯୋଗ ହୋଇଛି ।