କଟକରେ ଏନକାଉଣ୍ଟର । ଦୁର୍ଦ୍ଧାନ୍ତ ଅପରାଧୀ ରାକାକୁ କାବୁ କଲା ପୋଲିସ

263

କନକ ବ୍ୟୁରୋ : କଟକରେ କମିଶନରେଟ ପୋଲିସର ଏନକାଉଣ୍ଟର । ଜଗତସିଂହପୁର ବାଲିକୁଦାର ଦୁର୍ଦ୍ଧାନ୍ତ ଅପରାଧୀ ରାକେଶ ଦାସ ଓରଫ ରାକାର ଏନକାଉଣ୍ଟର କରିଛି କମିଶନରେଟ ପୋଲିସ । ଦୁର୍ଦ୍ଧାନ୍ତ ରାକେଶ ଦାସ ଓରଫ ରାକା ନାଁରେ ୧୦ରୁ ଅଧିକ ମାମଲା ରହିଛି ।
ସୂଚନା ଅନୁଯାୟୀ, ସକାଳ ସାଢେ ୬ଟା ବେଳେ ରାକା କଟକରୁ ଜଗତସିଂହପୁର ଯାଉଥିବା ଖବର ପାଇ ଅପରାଧିକୁ କାବୁ କରିବାକୁ ଯୋଜନା କରିଥିଲା ପୋଲିସ । ୪୨ମୌଜା ନିକଟ ପରମହଂସ – ଅଠଙ୍ଗା ନଇବନ୍ଧରେ ବାଇକରେ ଆସୁଥିବା ରାକେଶ ଦାସ ଓରଫ ରାକାକୁ ଗିରଫ କରିବାକୁ ପୋଲିସ ଚେଷ୍ଟା କରିଥିଲା । କନ୍ଦରପୁର ଥାନା ଆଇଆଇସିଙ୍କ ନେତୃତ୍ୱରେ ଚଢାଉ କରିଥିବା ଟିମ ଉପରେ ଅତର୍କିତ ଗୁଳି ଚାଳନା ଆରମ୍ଭ କରିଦେଇଥିଲା ରାକା । ପୋଲିସ ମଧ୍ୟ ପାଲଟା ଗୁଳିଚାଳନା କରିଥିଲା । ଏଥିରେ ରାକା ଆହତ ହୋଇଛି । ରାକା ଠାରୁ ବାଇକ, ବନ୍ଧୁକ ଓ ୩ରାଉଣ୍ଡ ଗୁଳି ଜବତ ହୋଇଥିବା ବେଳେ ଆହତ ଅବସ୍ଥାରେ ବଡ ମେଡିକାଲରେ ତାଙ୍କୁ ଭର୍ତି କରାଯାଇଛି । କନ୍ଦରପୁର ଥାନା ଆଇଆଇସି ଓ ଏସଆଇ ମଧ୍ୟ ଆହତ ହୋଇଛନ୍ତି ।