କାଶ୍ମୀରରେ ଅବନ୍ତିପୁରାରେ ଏନକାଉଣ୍ଟର : ଜଣେ ହିଜବୁଲ ଆତଙ୍କବାଦୀ ନିହତ, ଅନ୍ୟଜଣେ ଆତ୍ମସମର୍ପଣ କରୁଥିବା ଦୃଶ୍ୟ କ୍ୟାମେରାରେ କଏଦ; ପଥ ହୁଡି ଆତଙ୍କବାଦୀ ସାଜିଥିଲା ବିଟେକ ଛାତ୍ର 

ଜୀବନ ଦାନ ପାଇଥିବାରୁ ଯବାନଙ୍କୁ ଦେଲା ଧନ୍ୟବାଦ

326

କନକ ବ୍ୟୁରୋ : ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ଅବନ୍ତିପୁରାରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ନୁରପୁରା ଅଂଚଳରେ ସୋମବାର ହୋଇଥିବା ଏନକାଉଣ୍ଟରରେ ହିଜବୁଲ ମୁଜାହିଦ୍ଦିନର ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଅନ୍ୟ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଛି । ଆତଙ୍କବାଦୀ ଭାରତୀୟ ଯବାନଙ୍କ ପାଖରେ ଆତ୍ମସମର୍ପଣ କରୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।

ହାତ ଉପରକୁ ଉଠାଇ ଆତଙ୍କବାଦୀ ଜଣକ ଭାରତୀୟ ଯବାନଙ୍କ ଆଗରେ ଆତ୍ମସମର୍ପଣ କରୁଥିବା ଦେଖିବାକୁ ମିଳିଛି । ସେହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆତ୍ମସମର୍ପଣ କରିଥିବା ଆତଙ୍କବାଦୀ ଗୁଲସନପୁରାର ସକିବ ଆକବର ୱାଜା ବୋଲି ଚିହ୍ନଟ କରାଯାଇଛି । ପଞ୍ଜାବର ପଟିଆଲା କଲେଜରୁ ସକିବ ବିଟେକ କରିଥିବା ବେଳେ ଗତ ସେପ୍ଟେମ୍ବର ୨୫ ତାରିଖରେ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇ ଅସ୍ତ୍ର ଉଠାଇଥିଲା ।

ସକିବ ପାଖରୁ ସୁରକ୍ଷା କର୍ମୀ ଗୋଟିଏ ଏକେ ୪୭, ୩ଟି ମ୍ୟାଗାଜିନ, ୬୦ଟି ଗୋଳା ବାରୁଦ, ଗୋଟିଏ ପିସ୍ତଲ ଓ ଗୋଟିଏ ଚାଇନିଜ୍ ହେଣ୍ଡ ଗ୍ରେନଡ ଜବତ କରାଯାଇଛି । ଆତ୍ମସମର୍ପଣ କରିବା ସକିବ ପ୍ରତିକ୍ରିୟା ଦେଇ କହିଛି, ଏକ ନୂଆ ଜୀବନ ଆରମ୍ଭ କରିବା ପାଇଁ ସୁରକ୍ଷାକର୍ମୀ ସୁଯୋଗ ଦେଇଥିବାରୁ ଧନ୍ୟବାଦ ।