ଆଇଫୋନ ଅଫିସ ପୋଡିଲେ କର୍ମଚାରୀ । ଦରମା ନମିଳିବାରୁ ଅଫିସରେ ପଶି ଭଙ୍ଗାରୁଜା

361

କନକ ବ୍ୟୁରୋ : ଆଇ ଫୋନ୍ ନିର୍ମାତା କମ୍ପାନୀ ଉଇଷ୍ଟ୍ରନ ର ବାଙ୍ଗାଲୋର କାର୍ଯ୍ୟାଳୟରେ କର୍ମଚାରୀ ମାନେ ଭଙ୍ଗାରୋଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି । କିଛି ମାସ ହେବ ଦରମା ନମିଳିବାରୁ କର୍ମଚାରୀ ମାନେ ରାଗରେ ଏଭଳି କରିଥିବା ସୂଚନା ମିଳିଛି । ତାଇୱାନ କମ୍ପାନୀ ଉଇଷ୍ଟ୍ରନ ସେଂଟ୍ରାଲ ବାଙ୍ଗଲୋରରେ ଏକ କାରଖାନା ବସାଇ ଆଇଫୋନ ଓ ଅନ୍ୟ ମୋବାଇଲ କମ୍ପାନୀ ମାନଙ୍କ ପାଇଁ ମୋବାଇଲ ପ୍ରସ୍ତୁତ କରୁଥିଲା । ଏଭଳି ଘଟଣା ପରେ କର୍ଣ୍ଣାଟକ ସରକାର ଏଭଳି ହିଂସାକୁ ନିନ୍ଦା କରିଛନ୍ତି, ଏହାସହ କର୍ମଚାରୀ ମାନଙ୍କ ବକେୟା ଦରମା ତୁରନ୍ତ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

ଉଇଷ୍ଟ୍ରନ କମ୍ପାନୀ କର୍ଣ୍ଣାଟକର କୋଲାର ଜିଲ୍ଲା ନର୍ସପୁର ଥିବା ପ୍ଲାଣ୍ଟରେ ଶନିବାର କର୍ମଚାରୀ ମାନେ କମ୍ପାନୀ ବିରୋଧରେ ନାରାବାଜି କରିବା ସହି କାର୍ଯ୍ୟାଳୟ ଉପରେ ପଥରମାଡ କରିଥିଲେ । ଏହାସହ କମ୍ପାନୀର ବୋର୍ଡ ଓ ଗାଡିକୁ ନିଆଁ ଲଗାଇ ପୋଡି ଦେଇଥିଲେ । ଜଣେ ଟ୍ରେଡ ୟୁନିୟନ ନେତାଙ୍କ କହିବା ମୁତାବକ ଏଠାରେ କାମ କରୁଥିବା କର୍ମଚାରୀ ମାନଙ୍କ ମଧ୍ୟରେ ଅଧିକାଂଶ କର୍ମଚାରୀ ଏଠାରେ ଚୁକ୍ତି ଭିତ୍ତିରେ ଚାକିରୀ କରିଛନ୍ତି । ହେଲେ କମ୍ପାନୀ ପକ୍ଷରୁ ସେମାନଙ୍କୁ ସଠିକ୍ ସମୟରେ ଦରମା ପ୍ରଦାନ କରାଯାଉ ନାହିଁ । ଏହା ସହ ଯେତେବେଳେ ବି ଦରମା ଦିଆଯାଉଛି ସେତେବେଳେ ବିଭିନ୍ନ ଆଳରେ କର୍ମଚାରୀ ମାନଙ୍କ ଦରମା କାଟି ଦିଆଯାଉଛି । ଯାହାକୁ ନେଇ ଅନେକ ଦିନ ଧରି କର୍ମଚାରୀ ମାନଙ୍କ ଭିତରେ ଅସନ୍ତୋଷ ଥିଲା । ଯାହାକି ଆଜି ପ୍ରତିବାଦର ରୂପ ନେଇଛି ।

ଅନ୍ୟପଟେ ଏଭଳି ଘଟଣାର ସୂଚନା ପାଇବା ପରେ ସେଠାରେ ପୋଲିସ ମୃତୟନ କରାଯାଇଛି । ଆନ୍ଦୋଳନ ସ୍ଥଳରେ ପୋଲିସ ପହଂଚି ଲାଠି ଚାର୍ଜ କରିବା ପରେ ଆନ୍ଦୋଳନରତ କର୍ମଚାରୀ ମାନେ ଘଟଣା ସ୍ଥଳ ଛାଡି ଦେଇଥିଲେ । କର୍ଣ୍ଣାଟକର ଉପ- ମୁଖ୍ୟମନ୍ତ୍ରୀ ତଥା ଆଇଟି ଓ ଇଲେକ୍ଟ୍ରୋନିକ୍ସ ବିଭାଗର ମନ୍ତ୍ରୀ ଡା. ସି. ଅକ୍ଷତନାରାୟଣ ଟ୍ୱିଟ ଯୋଗେ କହିଛନ୍ତି କି କୌଣସି ବି ପରିସ୍ଥିତିରେ ଆଇନକୁ ହାତକୁ ନେବା ଏକ ଅପରାଧ । କାରଣ ପ୍ରତିଟି ସମସ୍ୟାକୁ ସମାଧାନ କରିବାକୁ ସରକାରଙ୍କ ପାଖରେ ବିଭାଗର ଅଭାବ ନାହିଁ । ସେ ଆହୁରି କହିଛନ୍ତି କି ହିଂସା କରିଥିବା କର୍ମଚାରୀଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଟାନ ନେବ । ଏହାସହ କର୍ମଚାରୀ ମାନେ ସେମାନଙ୍କ ବକେୟା ଦରମା କିଭଳି ପାଇବେ ସେ ନେଇ ସରକାର ତୁରନ୍ତ ପଦକ୍ଷେପ ନେବେ ।