ଅନିଶ୍ଚିତତା ଘେରରେ ଜେଟ୍ ଏୟାରୱେଜର ଭବିଷ୍ୟତ ! ମିଳିନି ୩ ମାସର ବକେୟା ଦରମା, ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି କର୍ମଚାରୀ । 

100

କନକ ବ୍ୟୁରୋ : ଘୋର ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି ଜେଟ୍ ଏୟାରୱେଜର କର୍ମଚାରୀ । ଏପରିକି ପିଲାଙ୍କ ଚିକିିତ୍ସା କରିବା ପାଇଁ ସେମାନଙ୍କ ନିକଟରେ ପଇସା ନଥିବା ଖବର ସାମନାକୁ ଆସିଛି । ଯାହା ସମସ୍ତଙ୍କୁ ବିଚଳିତ କରିଛି । ସୂଚନା ଅନୁଯାୟୀ ଜେଟ୍ ଏୟାରୱେଜର କ୍ୟାପଟେନ୍ ଅମିତ୍ ରାୟଙ୍କ ହ୍ୱାଟ୍ସଆପରେ ସକାଳୁ ସକାଳୁ ଏକ ମେସେଜ୍ ଆସିଥିଲା । ଏହି ମେସେଜଟି ଏୟାରକ୍ରାଫ୍ଟର ଜଣେ ମେଂଟେନାନ୍ସ ଇଞ୍ଜିନିୟର ତାଙ୍କ ପୁଅର ଚିକିତ୍ସା ପାଇଁ ଆର୍ଥିକ ସହାୟତା କରିବାକୁ ହ୍ୱାଟ୍ସଆପ୍ ଗ୍ରୁପରେ ଅନୁରୋଧ କରିଥିଲେ । ଏଥିରେ କର୍ମଚାରୀ ଜଣଙ୍କ ଜେଟ୍ ଏୟାରୱେଜର ଏଚଆରଙ୍କୁ କିଭଳି ତାଙ୍କ ୩ମାସର ବକେୟା ଦରମା ଦେବାକୁ ଅନୁରୋଧ କରିଥିଲେ ସେ କଥା ମଧ୍ୟ ଉଲ୍ଲେଖ କରିଥିଲେ । ଯାହାକି ମିଳିନଥିଲା ।

ପିଲାଟି ଆପ୍ଲାଷ୍ଟିକ୍ ଆନେମିଆ ରୋଗରେ ପୀଡିତ ହୋଇଥିବାରୁ ତାଙ୍କର ବୋନ ମ୍ୟାରୋ ଟ୍ରାନ୍ସପ୍ଲାଂଟ ହୋଇଥାନ୍ତା । ଏଥିପାଇଁ ୨୫ଲକ୍ଷ ଟଙ୍କା ଆବଶ୍ୟକ ଥିଲା । ମେସେଜ୍ ପାଇବା ପରେ ଏଥିପାଇଁ ସହଯୋଗୀ କର୍ମଚାରୀମାନେ ସହାୟତାର ହାତ ମଧ୍ୟ ବଢ଼ାଇଥିଲେ । ହେଲେ ଟଙ୍କା ଯୋଗାଡ କରି ପହଁଚିଲାବେଳକୁ ପିଲାଟିର ଜୀବନ ଚାଲିଯାଇଥିଲା । ଏହି ଘଟଣାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଜେଟ୍ ଏୟାରୱେଜର ଆର୍ଥିକ ସଂକଟ ଯୋଗୁଁ ୧୬ ହଜାର କର୍ମଚାରୀ ଓ ତାଙ୍କ ପରିବାର ୩ମାସ ହେବ ଦରମା ପାଇ ନାହାଁନ୍ତି । ଅନ୍ୟପଟେ ସୋମବାର ପାଣ୍ଠି ପାଇଁ ବ୍ୟାଙ୍କ ସମୁହ ସହ ହୋଇଥିବା ଆଲୋଚନା ବିଫଳ ହୋଇଛି । ତେଣୁ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି ଜେଟ୍ ଏୟାରୱେଜର ଭବିଷ୍ୟତ ।