ବ୍ୟାଙ୍କ ଘରୋଇ କରଣ ବିରୋଧ କରି କର୍ମଚାରୀଙ୍କ ଆନ୍ଦୋଳନ । ଦ୍ୱିତୀୟ ଦିନରେ ବି ବନ୍ଦ ରହିଲା ବ୍ୟାଙ୍କ କାରବାର ଓ କ୍ଲିୟରିଂ ।

145

କନକ ବ୍ୟୁରୋ: ଆଜି ଦ୍ୱିତୀୟ ଦିନରେ ବନ୍ଦ ରହିଛି ବ୍ୟାଙ୍କ । କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇ କରଣ ନିଷ୍ପତିକୁ ବିରୋଧକରି ଆନ୍ଦୋଳନକୁ ଓହ୍ଲାଇଛି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ । ଏହାକୁ ସମର୍ଥନ କରିଛନ୍ତି ୯ଟି ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଂଘ । ସର୍ବଭାରତୀୟ ସ୍ତରରେ ଏହି ଧର୍ମଘଟରେ ପ୍ରାୟ ୧୦ ଲକ୍ଷ କର୍ମଚାରୀ ସାମିଲ ହୋଇଛନ୍ତି ।

ବ୍ୟାଙ୍କ କର୍ମଚାରୀ ଦୁଇ ଦିନିଆ ଧର୍ମଘଟ ଘୋଷଣା କରିଥିବାରୁ ଗତ କାଲି ବ୍ୟାଙ୍କ ବନ୍ଦ ରହିଥିଲା ଓ ଆଜି ବି ବନ୍ଦ ରହିଛି । ଅନ୍ୟପଟେ କର୍ମଚାରୀଙ୍କ ଧର୍ମଘଟ ଯୋଗୁଁ, ବ୍ୟାଙ୍କ ଶାଖାରେ ହେଉଥିବା କାରବାର, କ୍ଲିୟରିଂ ଆଦି ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି । ସେପଟେ ବ୍ୟାଙ୍କ ବନ୍ଦ ଯୋଗୁଁ ଅସୁବିଧା ଭୋଗିଛନ୍ତି ବ୍ୟାଙ୍କ ଗ୍ରାହକ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ରେ ୧.୭୫ ଲକ୍ଷ କୋଟି ଟଙ୍କା ଯୋଗାଡ କରିବା ପାଇଁ ବ୍ୟାଙ୍କର ଘରୋଇ କରଣ ପାଇଁ ଘୋଷଣା କରିଥିଲେ । ଏହାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବ୍ୟାଙ୍କ କର୍ମଚାରୀ ।

ବ୍ୟାଙ୍କ ଧର୍ମଘଟ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ ସମସ୍ତଙ୍କୁ ଆଶ୍ୱସ୍ତ କରିବାକୁ ଯାଇ କହିଛନ୍ତି ଦେଶର ସବୁ ବ୍ୟାଙ୍କକୁ କେବେ ହେଲେ ଘରୋଇକରଣ କରାଯିବ ନାହିଁ । ଘରୋଇକରଣ ଯେବେ ବି ହେବ ସେତେବେଳେ ବ୍ୟାଙ୍କ କର୍ମଚାରୀଙ୍କ ସ୍ୱାର୍ଥକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ଘରୋଇକରଣ ବାବଦରେ ଦୀର୍ଘଦିନ ଧରି ଆଲୋଚନା ହେବା ପରେ ନିଷ୍ପତି ନିଆଯାଇଛି । ଏବଂ ଯେଉଁ ବ୍ୟାଙ୍କ ଗୁଡିକୁ ଘରୋଇକରଣ କରାଯିବ ସେଠାରେ କାମ କରୁଥିବା ସବୁ ସଦସ୍ୟଙ୍କ ସ୍ୱାର୍ଥକୁ ସବୁଠାରୁ ଅଧିକ ପ୍ରାଧାନ୍ୟ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।