କନକ ବ୍ୟୁରୋ: ସ୍ୱଚ୍ଛତାର ଗାଁ ହେଉଛି ବୋବେଇଯୋଡା । ଏହି ଗାଁ ଏବେ ସମାଜ ପାଇଁ ପାଲଟିଛି ଉଦାହରଣ । ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ୍ର ଏହି ବୋବେଇଯୋଡା ଗାଁରେ ଲୋକଙ୍କ ପରିଷ୍କାର ପରିଚ୍ଛନ୍ନତା ଦେଖିବାକୁ ପଡ଼ୋଶୀ ଜିଲ୍ଲା ଓ ଝାଡ଼ଖଣ୍ଡରୁ ଶହଶହ ଲୋକଙ୍କ ଭିଡ ମଧ୍ୟ ଲାଗିଛି । ମାଟିକାନ୍ଥରେ ଅଙ୍କା ଯାଇଛି ସୁନ୍ଦର ସୁନ୍ଦର ଚିତ୍ର ଓ ନିଆରା କଳାକୃତି । ଗାଁର ଲୋକଙ୍କୁ ଦେଖିଲେ କିଏ ଫୁଲ ଆଙ୍କୁଛି ତ ଆଉ କିଏ ଗଛ ଲତାଝୋଟି କରି କାନ୍ଥକୁ ସୁନ୍ଦର କରିଛି । ସୁନ୍ଦର ଓ ପରିମଳ ପରିବେଶରେ ଥିବା ଗାଁରେ ଜରି ଖଣ୍ଡିଏ ବି ପଡିନି । ସଫାସୁତୁରା ରାସ୍ତା ସହ ଅଳିଆ ଆବର୍ଜନା ରଖୁନାହାନ୍ତି ଗାଁର ଲୋକମାନେ । ସ୍ୱଚ୍ଛତା ପ୍ରତି ସମସ୍ତ ବେଶ ସଚେତନ ଥିବାରୁ ଗାଁର ସମସ୍ତେ ଡଷ୍ଟବିନ ବ୍ୟବହାର କରୁଛନ୍ତି । ଏପରିକି ଗାଁ ର ପ୍ରତ୍ୟେକ ଜାଗାରେ ଲାଗିଛି ସିସିଟିଭି କ୍ୟାମେରା । ତେବେ ଶିବରାତ୍ରୀ ପର ଦିନ ଠାରୁ ତିନି ଦିନ ଧରି ଗାଁରେ ପାଳିତ ହୁଏ ପାତା ପର୍ବ । ଉତ୍ସବ ମାଧ୍ୟମରେ ଲୋକଙ୍କୁ ସ୍ୱଚ୍ଛତାର ବାର୍ତା ଦେଇଥାନ୍ତି ଏଠାକାର ଲୋକେ ।

Advertisment

ଗାଁର ଯୁବତୀ ଓ ମହିଳାମାନେ ଝରଣା ଓ ପାହାଡ଼ରୁ ମାଟି ଆଣିପେଜ ଓ ଅଠା ମିଶେଇ ରଙ୍ଗ ପ୍ରସ୍ତୁତି କରନ୍ତି ଓ ତୁଳୀ ସାହାଯ୍ୟରେ ମାଟି କାନ୍ଥରେ ଆଙ୍କିଥାନ୍ତି ଆକର୍ଷଣୀୟ କଳାକୃତି । ପାତା ପର୍ବର ମୁଖ୍ୟ ଆକର୍ଷଣ ହେଉଛି ପାରମ୍ପରିକ ଆଦିବାସୀ ନୃତ୍ୟ । ଯୁବତୀ ମାନେ ସୁସଜ୍ଜିତ ପାରମ୍ପରିକ ପୋଷାକରେ ନାଗଡା ଓ ମାଦଳର ତାଳେତାଳେ ନୃତ୍ୟ ପରିବେଷଣ କରିଥାନ୍ତି ।

ପାତା ପର୍ବକୁ ବହୁବର୍ଷ ପୂର୍ବରୁ ପାଳନ କରିବା ସହିତ ବର୍ଷସାରା ଗାଁ ଦାଣ୍ଡ ସଫାସୁତୁରା ରଖିବା ଗାଁର ଲୋକଙ୍କ ନିତିଦିନିଆ କାମ ପାଲଟିଛି । ଏହି ଗାଁ ଏବେ ଆଧୁନିକ ସମାଜ ପାଇଁ ଏକ ଉଦାହରଣ ପାଲଟିଛି ।