ବିଜୟଶ୍ରୀଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ । ମୁଖ୍ୟମନ୍ତ୍ରୀ କହିଲେ, ଦଳ ପାଇଁ ଏକ ଅପୂରଣୀୟ କ୍ଷତି

215

କନକ ବ୍ୟୁରୋ: ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ ଘଟିଛି । ତାଙ୍କ ବିୟୋଗରେ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ତାଙ୍କ ବିୟୋଗ ଦଳ ପାଇଁ ଏକ ଅପୂରଣୀୟ କ୍ଷତି । ଜନପ୍ରତିନିଧି ତାଙ୍କ କାର୍ଯ୍ୟ ପାଇଁ ସେ ଚିରସ୍ମରଣୀୟ ରହିବେ । ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ଲେଖିଛନ୍ତି, ଓଡିଶାର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ବିଜୟଶ୍ରୀ ରାଉତରାୟଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସେ ରାଜ୍ୟ ସରକାରରେ ମନ୍ତ୍ରୀ ଭାବେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ ।

ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବିଜୟଶ୍ରୀ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ପୂର୍ବରୁ କରୋନାରେ ପୀଡିତ ଥିଲେ ବିଜୟଶ୍ରୀ । କରୋନାରୁ ସୁସ୍ଥ ହେବା ପରେ ସେ ସେପ୍ଟିସିମିଆ ରୋଗରେ ପୀଡିତ ଥିଲେ ।