କନକ ବ୍ୟୁରୋ: ତାଙ୍କ ଦେହାନ୍ତର ଖବର ଶୁଣି ଗାଁ ଆଜି ଖାଁ ଖାଁ... ଗାଁ ମଝିରେ ଚାନ୍ଦିନୀର ଗୀତ ଶୁଭୁନି, କି କୂଅରୁ ପାଣି କାଢୁ କାଢୁ ଆଜି କିଏ ଓଦା ହେଉନି । ବରଂ ସ୍ୱରୂପ ଦା’ଙ୍କ ଗଲା ପରେ ପରେ ଆଖିର ଲୁହରେ ଓଦା ହେଉଛନ୍ତି ସମସ୍ତେ । ଗାଁ ମଝିଟାରେ ସ୍ୱରୂପଙ୍କ ସଙ୍ଗୀତକୁ ମନେ ପକାଇ ଗୁମୁରୀ ଗୁମୁରୀ କାନ୍ଦୁଛନ୍ତି ବାବୁ ଦା’ଙ୍କ ପ୍ରଶଂସକ ।
ଓଡିଆ ସଙ୍ଗୀତ ଜଗତକୁ କାଳଜୟୀ ସଙ୍ଗୀତ ଭେଟି ଦେଇଥିବା ପ୍ରଖ୍ୟାତ, ନାମକରା ଓ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ ଆଉ ନାହାନ୍ତି । ଦୀର୍ଘଦିନ ଧରି କ୍ୟାନସରରେ ପୀଡିତ ହେବା ପରେ ତାଙ୍କର ଦେହାନ୍ତ ହୋଇଛି । ଆଉ ତାଙ୍କ ବିୟୋଗରେ ସଙ୍ଗୀତ ଜଗତରେ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଏକାଧାରରେ ସଙ୍ଗୀତକାର, କଣ୍ଠଶିଳ୍ପୀ, ଅଭିନେତା ଥିବା ସ୍ୱରୂପ ଦା’ ୪୧ଟି ଓଡିଆ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ସହ ୩୦ଟି ଫିଲ୍ମ ପାଇଁ ଗୀତ ରଚନା କରିଛନ୍ତି । ୬ଟି ଫିଲ୍ମରେ ପ୍ରଚ୍ଛଦପଟ୍ଟ ଗାୟକ ସହ ୬ଟି ଫିଲ୍ମରେ ଅଭିନୟ ମଧ୍ୟ କରିଥିଲେ । ଚାଲିରେ ତୋର ପଦ୍ମ ଫୁଟେ, ଗାଁ ମଝିରେ ଚାନ୍ଦିନୀ, ମୁଁ ତୁମକୁ ଭଲପାଏ, ଓଢଣି ଓଢଣି ନାଲି ଓଢଣି ପରି ଅନେକ ହିଟ୍ ଗୀତର ନିର୍ଦ୍ଦେଶନା ଦେଇଥିଲେ ସ୍ୱରୂପ ନାୟକ । ଖାଲି ସଙ୍ଗୀତ କ୍ଷେତ୍ର ନୁହେଁ ସଙ୍ଗୀତ ଜଗତ ବାହାରେ ଥିଲା ସ୍ୱରୂପଙ୍କ ସ୍ୱତନ୍ତ୍ରତା । ସେ ଖୁବ କମ୍ ସମୟରେ ସମସ୍ତଙ୍କୁ ନିଜର କରିପାରୁଥିଲେ । ବୃତ୍ତି ବାଦେ ସେ ବ୍ୟକ୍ତିଗତ ସ୍ତରରେ ମଧ୍ୟ ସମସ୍ତଙ୍କ ପ୍ରିୟ ଥିଲେ । ଆଉ ହସ ହସ କଥାରେ ସମସ୍ତଙ୍କ ମନ ମୋହୁଥିଲେ ।
କଳାକାର ମରିପାରେ ହେଲେ ମରେନା ତା କଳା, ତା କୃତି । ସ୍ୱରୂପ ସିନା ଅଫେରା ରାଇଜକୁ ଚାଲିଗଲେ । ହେଲେ ଆଜି ବି ତାଙ୍କ ସଙ୍ଗୀତ କୋଟି କୋଟି ଲୋକଙ୍କ ହୃଦୟରେ ବସାବାନ୍ଧି ରହିଛି । ଆଜି ବି ‘ପ୍ରେମ ଋତୁ ଆସିଲାରେ’ ବୋଲି କିଏ କହିଲେ କିମ୍ବା କିଏ ସେ ଗୀତ ଗାଇଦେଲେ ଛାଏଁଛାଏଁ ମନେପଡିଯିବେ ସ୍ୱରୂପ ନାୟକ । ‘ଚାଲିରେ ତୋର ପଦ୍ମ ଫୁଟେ’ କହି ନିଜ ପ୍ରେମିକାକୁ ନିଜ ପତ୍ନୀକୁ ଯଦି କେହି ମନାଉଥିବ ତାହାଲେ ସେ ଶ୍ରେୟ ସ୍ୱରୂପ ଦାଙ୍କୁ ହିଁ ଯିବ । ଓଡିଶାକୁ ନେଇ ତାଙ୍କ ଚର୍ଚ୍ଚିତ ଗୀତ- ‘ଓଡିଶା ମୋ ଓଡିଶା’ ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଛାପ ଛାଡି ଯାଇଛି । ଆଜି ବି ସ୍କୁଲ, କଲେଜ, ଗାଁରେ ଓଡିଶାକୁ ନେଇ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ସେ ଗୀତ ସମସ୍ତଙ୍କୁ ମତୁଆଲା କରେ । ଖାଲି ସେତିକି ନୁହେଁ ‘ରୋମିଓ ଦ ଲଭର ବୟ’ ହେଉ କି ‘ମୋ କୂଳ ତୋ ଝୁଲଣା’... ଓଡିଆଙ୍କ କାନକୁ ଓ ମନକୁ ଚିରଦିନ ପାଇଁ ଭଲ ଲାଗୁଥିବା ଅନେକ ଗୀତ ଭେଟି ଦେଇ ଶେଷରେ ସେପାରିକୁ ଚାଲି ଯାଇଛନ୍ତି ସ୍ୱର ସଙ୍ଗୀତର ନାୟକ ସ୍ୱରୂପ ନାୟକ...