କୋଭାକ୍ସିନ ଟିକାକୁ ଆଜି ମିଳିପାରେ ଡବ୍ଲୁଏଚଓର ଅନୁମୋଦନ : ବୈଷୟିକ ପରାମର୍ଶଦାତା କମିଟିର ବୈଠକରେ ହେବ ନିଷ୍ପତ୍ତି

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ୱୀକୃତି ମିଳିଲେ ସହଜ ହେବ ବିଦେଶ ଯାତ୍ରା ଓ ବିଦେଶକୁ ଟିକା ରପ୍ତାନୀ

80

କନକ ବ୍ୟୁରୋ : ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତର କୋଭାକ୍ସିନ ଟିକାକୁ ଆଜି ଅନୁମୋଦନ ଦେଇପାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏଥିପାଇଁ ଆଜି ଡବ୍ଲୁଏଚଓ ବୈଷୟିକ ପରାମର୍ଶଦାତା କମିଟିର ବୈଠକ ବସୁଛି । ଭାରତ ବାୟୋଟେକ ପ୍ରସ୍ତୁତ କରୋନା ଟିକା କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବା ନେଇ ବିଚାର କରିବ ଏହି କମିଟି । ଏଥିପାଇଁ ଡବ୍ଲୁଏଚଓ ମାଗିଥିବା ସମସ୍ତ ତଥ୍ୟ ପର୍ଯ୍ୟାୟକ୍ରମେ ଦେଇଛି ଟିକା ନିର୍ମାତା ଭାରତ ବାୟୋଟେକ କମ୍ପାନି । ଏପରିକି ସେପ୍ଟେମ୍ବର ୨୭ରେ କମ୍ପାନି ପକ୍ଷରୁ ସବିଶେଷ ତଥ୍ୟ ଦିଆଯାଇଥିଲା ।

ଭାରତରେ ନିର୍ମିତ ଏହି କରୋନା ଟିକା ନେବାପାଇଁ ବିଶ୍ୱର ଏକାଧିକ ରାଷ୍ଟ୍ର ଆଗ୍ରହ ପ୍ରକାଶ କରିଛନ୍ତି । ଭାରତରେ ବ୍ୟବହାର ପରେ ବଳକା ଟିକାକୁ ବିଦେଶ ରପ୍ତାନୀ ପାଇଁ ଯୋଜନା କରୁଛି ଭାରତ ବାୟୋଟେକ । ସେହିପରି କୋଭାକ୍ସିନକୁ ଡବ୍ଲୁଏଚଓ ମାନ୍ୟତା ମିଳିଲେ ଏହି ଟିକାର ଦୁଇଟି ଡୋଜ ନେଇଥିବା ଭାରତୀୟଙ୍କୁ ବିଦେଶ ଯାତ୍ରା ପାଇଁ ଅନୁମତି ମିଳିବା ସହଜ ହେବ । ଭାରତର ସହରାଂଚଳ ଗୁଡିକରେ କୋଭାକ୍ସିନ ଟିକା ଦିଆଯାଉଛି । ତେଣୁ ବିଦେଶକୁ ଉଚ୍ଚଶିକ୍ଷା ପାଇଁ ଯିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଏହା ବାଧା ସୃଷ୍ଟି କରୁଛି । ବର୍ତମାନ ସୁଦ୍ଧା ଡବ୍ଲୁଏଚଓ ବିଶ୍ୱର ୬ଟି ଟିକାକୁ ଅନୁମୋଦନ କରିଛି । ଏଗିଡୁକ ମଧ୍ୟରେ ରହିଛି ଫାଇଜର, ଜନସନ ଆଣ୍ଡ ଜନସନ୍, ଆଷ୍ଟ୍ରାଜେନେକା, ମଡେର୍ଣ୍ଣା, ସିନୋଫାର୍ମ ଓ ସିନୋଭାକ ଟିକା ।