କନକ ବ୍ୟୁରୋ : ଆର୍ଥିକ ଓ ରାଜନୈତିକ ସଂକଟରେ ପେଶି ହେଉଥିବା ଶ୍ରୀଲଙ୍କା ଏବେ ଦେଶରେ ଜରୁରୀକାଳୀନ ପରିସ୍ଥିତିକୁ ୧ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛି । ସଂସଦରେ ବର୍ତମାନ ପରିସ୍ଥିତିକୁ ନଜରରେ ରଖି ଜରୁରୀକାଳୀନ ପରିସ୍ଥିତିକୁ ଆଉ ଏକମାସ ବୃଦ୍ଧି କିରବାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।

Advertisment

ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବ୍ରିକମାସିଂଘେ ଜୁଲାଇ ୧୭ ତାରିଖରେ ଦେଶରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିବା ସହ ସେନା ହାତରେ ଅଧିକ କ୍ଷମତା ପ୍ରଦାନ କରିଥିଲେ । ଏହି କ୍ଷମତା ବଳରେ ସେନା କୌଣସି ବି ବ୍ୟକ୍ତିକୁ ବିନା କାରଣରେ ଗିରଫ କରିପାରିବ । ଏହାସହ ସାର୍ବଜନୀନ କାର୍ଯ୍ୟକ୍ରମକୁ ବନ୍ଦ କରିବା ସହ କୌଣସି ବ୍ୟକ୍ତିଗତ ସମ୍ପତ୍ତି ବି ସେନା ଜବତ କରିପାରିବ ବୋଲି କୁହାଯାଇଛି ।

ଶ୍ରୀଲଙ୍କାର ଜଣେ ସାଂସଦଙ୍କ କହିବା ମୁତାବକ ଏବେ ପୁଣି ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି ରଖିବାକୁ ରାଷ୍ଟ୍ରପତିଙ୍କୁ ପୁଣିଥରେ ସଂସଦର ଅନୁମତି ନେବାକୁ ପଡିଥିଲା । କହିରଖୁ କି ପ୍ରଥମ ଜରୁରୀକାଳୀନ ସ୍ଥିତି ଘୋଷଣାର ୩ ଦିନ ପରେ ସଂସଦରୁ ତାଙ୍କୁ ବହୁମତ ମିଳିଥିଲା ।

କହିରଖୁ କି ଶ୍ରୀଲଙ୍କା ନାଗରିକଙ୍କ ଭାରି ବିରୋଧ କାରଣରୁ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କୁ ଦେଶଛାଡି ପଳାଇବାକୁ ପଡିଥିଲା । ଏହାପରେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ । ରାଜପକ୍ଷେ ଏବେ ସିଂଗାପୁରରେ ରହୁଛନ୍ତି । ସିଂଗାପୁର ସରକାର ତାଙ୍କୁ ସେଠାରେ ମାତ୍ର ୧୪ ଦିନ ରହିବାକୁ ଅନୁମତି ଦେଇଛନ୍ତି ।

୨ କୋଟିରୁ ଅଧିକ ଜନସଂଖ୍ୟା ଥିବା ଶ୍ରୀଲଙ୍କାରେ ଏବେ ଇନ୍ଧନ ଠାରୁ ଭୋଜନ ପର୍ଯ୍ୟନ୍ତ ସବୁ ମହଙ୍ଗା ହୋଇଛି । ସେପଟେ ସରକାର ଜରୁରୀ ସେବାକୁ ଛାଡି ଅନ୍ୟ ସମସ୍ତ ସେବା ଉପରେ ରୋକ ଲଗାଇ ଦେଇଛନ୍ତି । ଗୋଟିଏ ମାସ ହେବ ଦେଶରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯେ ଦେଶରେ ଏବେ ଯେଭଳି ଭାବେ ବିଜୁଳି ସଂକଟ ଦେଖିବାକୁ ମିଳିଛି ଏହା ଭବିଷ୍ୟତରେ ଶ୍ରୀଲଙ୍କାବାସୀଙ୍କୁ ଅନ୍ଧାର ଭିତରକୁ ଠେଲିଦେବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି ।