କନକ ବ୍ୟୁରୋ:  ପୁଣି ସାମ୍ନାକୁ ଆସିଲା ସମବାୟ ସମିତିରେ ଟଙ୍କା ହଡ଼ପ ଘଟଣା । କେନ୍ଦ୍ରାପଡ଼ା ରାଜକନିକାରେ ଚାଷୀଙ୍କ ଆକାଉଣ୍ଟରୁ ୧ ଲକ୍ଷ ୫୮ ହଜାର ଟଙ୍କା ଲୁଟ୍ ଅଭିଯୋଗ । ରାଜକନିକା ପାତୁଳି ଗାଁରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା ।

Advertisment

ଚାଷୀ ଧରଣୀଧର ନାୟକଙ୍କ ନାଁରେ ୧ ଲକ୍ଷ ୫୯ ହଜାର ଟଙ୍କା କୃଷି ଋଣ ମଞ୍ଜୁର ହୋଇଥିଲା । ତେବେ ତାଙ୍କ ଅଜାଣତରେ ତାଙ୍କ ଆକାଉଣ୍ଟରୁ ଏହି ଟଙ୍କା ଉଠାଯାଇଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ବ୍ୟାଙ୍କ ଶାଖା ପରିଚାଳକ ସଞ୍ଜୟ ମହାପାତ୍ର ଓ କୃଷି ସମବାୟ ସମିତି ସମ୍ପାଦକ ଅସିତ କୁମାର ବେହୁରାଙ୍କ ନାଁରେ ଥାନାରେ ଏତଲା ମଧ୍ୟ ହୋଇଛି । ଚାଷ କାର୍ୟ୍ୟ ପାଇଁ ଟଙ୍କା ଉଠାଇବାକୁ ଧରଣୀଧର ବାରମ୍ବାର ବ୍ୟାଙ୍କ ଯାଇଥିଲେ ବି ବ୍ୟାଙ୍କ ଶାଖା ପରିଚାଳକ ତାଙ୍କୁ ବିଭିନ୍ନ ବାହାନା କରି ଟଙ୍କା ଦେଇ ନଥିବା ସେ ଅଭିଯୋଗ କରିଛନ୍ତି । ବ୍ୟାଙ୍କ ପାସବୁକ୍ ଅପଡେଟ୍ କରିବା ପରେ ଟଙ୍କା ହଡ଼ପ ଘଟଣା ସାମ୍ନାକୁ ଆସିଛି । ତେବେ ଥାନାରେ ଏତଲା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।