ପୁଣିଥରେ ବିବାଦରେ ଏଲଭିସ୍ ଯାଦବ । ଜଣେ ୟୁଟ୍ୟୁବରଙ୍କୁ ମାଡ ମାରିବା ସହ ହତ୍ୟା ଧମକ ଦେଇଥିବା ଅଭିଯୋଗ । ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ ।

209

କନକ ବ୍ୟୁରୋ: ପୁଣିଥରେ ବିବାଦରେ ସୋସିଆଲ୍ ମିଡିଆ ଷ୍ଟାର ତଥା ବିଗ୍ ବସ୍ ବିଜେତା ଏଲଭିସ୍ ଯାଦବ । ଏଥର ଜଣେ ୟୁଟ୍ୟୁବରଙ୍କୁ ମାଡ ମାରିବା ଏବଂ ଜୀବନରୁ ମାରିଦେବାକୁ ଧମକ ଦେଇ ଅଡୁଆରେ ପଡିଛନ୍ତି ଏଲଭିସ୍ ଯାଦବ । ଏଲଭିସ୍ ମାଡ ମାରିବା ବେଳର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଏହାପରେ ତୁରନ୍ତ ତାଙ୍କୁ ଗିରଫ କରିବାକୁ ଦାବି ହେଉଛି ।

ଏଲଭିସ୍ ମାଡ ମାରିଥିବା ପୀଡିତ ଜଣକ ହେଉଛନ୍ତି ମଧ୍ୟ ଜଣେ ୟୁଟ୍ୟୁବର । ମ୍ୟାକ୍ସଟର୍ନ ନାମରେ ପରିଚିତ ଏହି ୟୁଟ୍ୟୁବରଙ୍କ ନାଁ ହେଉଛି ସାଗର ଠାକୁର । ତାଙ୍କ କହିବା ମୁତାବକ, ଏଲଭିସ୍ ପ୍ରଥମେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏହାପରେ ସେ ଏନେଇ ହରିୟାଣା ପୋଲିସ ପାଖରେ ଅଭିଯୋଗ କରିଥିଲେ । ସେତେବେଳେ ପୋଲିସ ଆଇପିସି ଧାରା ୧୪୭, ୧୪୯,୩୨୩ ଏବଂ ୫୦୬ରେ ଏଫଆଇଆର ରୁଜୁ କରିଥିଲା । ହେଲେ ହତ୍ୟା ଧମକ ଭଳି ଘଟଣା ପାଇଁ କୌଣସି ବି ଧାରା ଲଗାଇନଥିଲା ।

ପୀଡିତ ୟୁଟ୍ୟୁବର ଜଣକ କହିଛନ୍ତି ଯେ, ସେ ଏଲଭିସ୍ ଯାଦବଙ୍କୁ ଭେଟିବାକୁ ସବୁ ପ୍ରସ୍ତୁତି କରିଥିଲେ । ହେଲେ ଆସିବା ମାତ୍ରକେ ଏଲଭିସ୍ ତାଙ୍କୁ ମାଡ ମାରିବା ଆରମ୍ଭ କରିଦେଇଥିଲେ । ତାଙ୍କ ସହିତ ୮-୧୦ ଜଣ ଲୋକ ଆସିଥିଲେ । ଯିଏକି ତାଙ୍କ ମୁହଁକୁ ମାରିିବା ଆରମ୍ଭ କରିଦେଇଥିଲେ । ସୂଚନାଯୋଗ୍ୟ ଯେ, ପୀଡିତ ୟୁଟ୍ୟୁବର ଜଣକ ୨୦୧୭ରୁ ୟୁଟ୍ୟବରେ ଭିଡିଓ ପ୍ରସ୍ତୁତ କରୁଛନ୍ତି । ତାଙ୍କର ୧୬ ଲକ୍ଷରୁ ଅଧିକ ସବସ୍କ୍ରାଇବର ଅଛନ୍ତି । ସେ ୨୦୨୧ ମସିହାରୁ ଏଲଭିସଙ୍କୁ ଜାଣିଥିବା କଥା କହୁଛନ୍ତି ।