ଲୋକପ୍ରିୟ ୟୁଟ୍ୟୁବରଙ୍କ ହାତରେ ହାତକଡ଼ି: ରେଭ ପାର୍ଟିରେ ସାପ ଓ ସାପ ବିଷ ଯୋଗାଉଥିବା ଅଭିଯୋଗରେ ଏଲଭିସ ଯାଦବ ଗିରଫ

161

କନକ ବ୍ୟୁରୋ: ସତ ମାନିଲେ ଲୋକପ୍ରିୟ ୟୁଟ୍ୟୁବର । ରେଭ ପାର୍ଟିରେ ଯୋଗାଉଥିଲେ ସାପ ଓ ସାପ ବିଷ । ଗିରଫ ପରେ ଜେରାରେ ସତ ମାନିଛନ୍ତି ଏଲଭିସ ଯାଦବ । ରବିବାର ଏଲଭିସ ଯାଦବ ଗିରଫ କରାଯାଇଥିଲା ।

ରେଭ୍ ପାର୍ଟିରେ ସାପ ଏବଂ ସାପ ବିଷ ବାଂଟିବା ନେଇ ପୋଲିସ ହାତରେ ଧରାପଡିବା ପରେ ସତ ମାନିଛନ୍ତି ବିଗବସ୍ ଓଟିଟି-୨ର ବିଜେତା ତଥା ୟ୍ୟୁଟୁବର ଏଲଭିସ୍ ଯାଦବ । ରବିବାର ଏଲଭିସଙ୍କୁ ଗିରଫ କରିଥିଲା ନୋଏଡା ପୋଲିସ । କୋର୍ଟରେ ହାଜର କରି ଅଧିକ ପଚରା ଉଚରା କରିବା ସମୟରେ ସାପ ଓ ଏହାର ବିଷ ବାଂଟିବା ନେଇ ସେ ସତ ମାନିଥିବା ଜଣାପଡିଛି । ଏହି ମାମଲାରେ ପୂର୍ବରୁ ଗିରଫ ହୋଇ ସାରିଥିବା ଅନ୍ୟ ଅଭିଯୁକ୍ତ ମାନଙ୍କ ସହ ଏଲଭିସ୍ ସମ୍ପର୍କରେ ରହିଥିଲେ, ୨୦୨୩ ନଭେମ୍ବରରେ ଅନୁଷ୍ଠିତ ରେଭ ପାର୍ଟିରେ ସେ ନିଜେ ହିଁ ସାପ ଏବଂ ସାପ ବିଷ ବାଂଟିଥିବା ସ୍ୱୀକାର କରଛନ୍ତି । ଏଲଭିସଙ୍କ ବିରୋଧରେ ଏନଡିପିଏସ ଆକ୍ଟର ଧାରା ୨୯ ଏବଂ ୱାଇଲଡ୍ ଲାଇଫ ପ୍ରୋଟେକ୍ସନ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ୧୪ଦିନ ଲାଗି ଏଲଭିସଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି କୋର୍ଟ ।

୨୦୨୩ ନଭେମ୍ବରରେ ଏକ ରେଭ୍ ପାର୍ଟିରେ ଏଲଭିସ୍ ଯାଦବ ସହଯୋଗୀ ମାନଙ୍କ ସହ ବେକରେ ସାପ ଗୁଡାଇ ନାଚୁଥିବାର ଭିଡ଼ିଓ ସାମ୍ନାକୁ ଆସିଥିଲା । ଏହି ଭିଡ଼ିଓ ଭାଇରାଲ ହେବା ପରେ ପୋଲିସର ରାଡାରକୁ ଆସିଥିଲେ ଏଲଭିସ ଆଣ୍ଡ କୋ । ସାଂସଦ ମେନକା ଗାନ୍ଧୀଙ୍କ ପିପୁଲ୍ସ ଫର୍ ଆନିମଲ ସଂଗଠନ ପକ୍ଷରୁ ମଧ୍ୟ ପାର୍ଟିରେ ସାପ ବିଷ ବ୍ୟବହାର ହୋଇଥିବା ନେଇ ଥାନାରେ ଅଭିଯୋଗ କରାଯାଇଥିଲା । ୫୫ରୁ ଉଦ୍ଧ୍ୱର୍ ସ୍ଥାନରେ ଚଢାଉ କରିବା ସହିତ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତ ମାନଙ୍କ ଠାରୁ ୯ଜୀବନ୍ତ ସାପ ସହିତ ସାପର ବିଷ ମଧ୍ୟ ଜବତ ହୋଇଥିଲା । ତେବେ ବାରମ୍ବାର ମିଛ କହି ଖସି ଯାଉଥିବା ୟ୍ୟୁଟୁବର ଏଲଭିସ ଶେଷରେ ପୋଲିସ ହାତରେ ଧରାପଡିବା ସହିତ ନିଜ କଳା କାରନାମା ନେଇ ସତ ମାନିଛନ୍ତି ।