ଟ୍ୱିଟର ହେବ କି ଦେବାଳିଆ? ଆଶଙ୍କା ପ୍ରକାଶ କଲେ ମାଲିକ ମସ୍କ

159

କନକ ବ୍ୟୁରୋ : ଟ୍ୱିଟରରୁ କର୍ମଚାରୀ ହଟାଇବା ପୂର୍ବରୁ ଏକ ଚିତ୍ର ଦେଖିବାକୁ ମିଳିଥିଲା କି ଏଲନ ମସ୍କ ଏକ ବେସିନ ଧରି କାର୍ଯ୍ୟାଳୟରେ ପ୍ରବେଶ କରିଥିଲେ । ଏହାପରେ ମସ୍କ ଟ୍ୱିଟ୍ କରି ଇସାରା ଦେଇଥିଲେ, ପୁରୁଣା କର୍ମଚାରୀ ହଟିବେ, ନୂଆ ଆସିବେ । ଆଉ ନିଜ ଚିନ୍ତାଧାରା ଅନୁସାରେ ଏହି ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମକୁ ଆଗକୁ ବଢାଇବେ । କିନ୍ତୁ ଏହି ଟ୍ୱିଟକୁ ଦୁଇ ସପ୍ତାହ ପୂରଣ ହୋଇନି, ଏବେ ମସ୍କ ଚିନ୍ତାରେ । ଏହାରି ଭିତରେ ଅନେକ କର୍ମଚାରୀ ଚାକିରିକୁ ବିଦା ହୋଇଥିବା ବେଳେ ଅନେକ ଇସ୍ତଫା ଦେଇଛନ୍ତି । ଗୁରୁବାର ସେ କମ୍ପାନୀରେ କାର୍ଯ୍ୟରତ କର୍ମଚାରୀଙ୍କ ସହ ବୈଠକ କରି ଯେଉଁ ଇସାରା ଦେଇଛନ୍ତି ତାହା ଚିନ୍ତାଜନକ । ସେ କର୍ମଚାରୀଙ୍କୁ କହିଛନ୍ତି, କମ୍ପାନୀ ଏବେ ଘାଟାରେ । ଏପରି ସ୍ଥିତିରେ ଦେବାଳିଆ ହେବାର ଆଶଙ୍କା ରହିଛି ।

ଟ୍ୱିଟରକୁ ୪୪୦୦ ଡଲାରରେ କିଣିଥିଲେ ମସ୍କ । ଏହାପରେ ଅନେକ ବଡ ବଡ କର୍ମଚାରୀ ଇସ୍ତଫା ଦେଇଛନ୍ତି ଅନେକ ଛଟେଇ ହୋଇଛନ୍ତି । ଭାରତରେ ଥିବା ଟ୍ୱିଟରର ଅନେକ କର୍ମଚାରୀ ମଧ୍ୟ ଛଟେଇ ହୋଇଛନ୍ତି । ଏହାରି ଭିତରେ ଟ୍ୱିଟରର ପରିଚାଳନା ବୋର୍ଡକୁ ଭାଙ୍ଗି ମସ୍କ ଏକୁଟିଆ ସର୍ବେସର୍ବା ହୋଇଛନ୍ତି ।

ମସ୍କଙ୍କ ସୂଚନା ଅନୁଯାୟୀ ଏବେ ୪୦ ଲକ୍ଷ ଡଲାର ପ୍ରତିଦିନ କ୍ଷତି ସହୁଛି ଟ୍ୱିଟର । ଏପରି ସ୍ଥିତିରେ ଆଗାମୀ ଆର୍ଥିକ ବର୍ଷ ବେଳକୁ କମ୍ପାନୀ ଦେବାଳିଆ ହୋଇଯିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ମାଲିକ ମସ୍କ । ଆଉ କ୍ଷତିକୁ ଭରଣ କରିବାକୁ ଯାଇ ଏବେ ମସ୍କ କୁଆଡେ କର୍ମଚାରୀଙ୍କୁ ସପ୍ତାହକୁ ୮୦ ଘଂଟା କାମ କରିବାକୁ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି । ଏଥିସହ କର୍ମଚାରୀଙ୍କୁ ଖାଇବା ସହିତ ଅନ୍ୟାନ୍ୟ ସୁବିଧା ଯେଉଁ ଦେଉଥିଲେ ତାକୁ ବନ୍ଦ କରିଦେଇଛନ୍ତି ମସ୍କ ।