କନକ ବ୍ୟୁରୋ : ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଇସ୍ରାଏଲ ସେନା ତରଫରୁ ଗାଜାରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ ହୋଇଛି । ଏହି କ୍ରମରେ ଇସ୍ରାଏଲ ତରଫରୁ ଗାଜାକୁ ସମସ୍ତ ପ୍ରକାର ଯୋଗାଯୋଗ ବନ୍ଦ କରିଦିଆଯାଇଛି । ଏହାର ପ୍ରଭାବ ହମାସ ଚରମପନ୍ଥୀଙ୍କ ବ୍ୟତୀତ ଗାଜାର ସାଧାରଣ ଲୋକଙ୍କ ଉପରେ ପଡିଛି । କେବଳ ସେତିକି ନୁହେଁ ଗାଜାକୁ ଯେଉଁମାନେ ସହାୟତା ଯୋଗାଉଛନ୍ତି ସେମାନଙ୍କୁ ଇସ୍ରାଏଲ ମଧ୍ୟ ଧମକ ଦେଉଛି ।

Advertisment

ସେପଟେ ଇଣ୍ଟରନେଟ୍ ବନ୍ଦ ହୋଇଯିବା କାରଣରୁ ଲୋକମାନେ ପରସ୍ପର ସହ ଯୋଗା ଯୋଗ କରିପାରୁ ନାହାଁନ୍ତି । ଏହାର ଭିତରେ ସ୍ପେଶେକ୍ସର ମାଲିକ ଏଲନ୍ ମସ୍କ ଘୋଷଣା କରିଛନ୍ତି କି, ଗାଜାର ଲୋକଙ୍କୁ ସେ ସହାୟତା କରିବେ । ଗାଜାକୁ ସହାୟତା ଯୋଗାଉଥିବା ଅନ୍ତର୍ଜାତୀୟ ସଂସ୍ଥାମାନଙ୍କୁ ଯୋଗା ଯୋଗ କରିବାରେ ସହାୟତା କରିବେ ।

ଆମେରିକା ପ୍ରତିନିଧୀ ଆଲେକଜୋଣ୍ଡ୍ରିୟା ଓକୋସିୟୋ କୋର୍ଟେଜ କହିଛନ୍ତି କି ଗାଜାର ୨୨ ଲକ୍ଷ ଲୋକଙ୍କୁ ଇଣ୍ଟରନେଟ୍ ସେବାରୁ ବଞ୍ଚିତ କରିବା ଠିକ୍ ନୁହେଁ । ଫଳରେ ମେଡିକାଲ ପ୍ରଫେସନାଲ ଓ ସାଧାରଣ ଲୋକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏହାପରେ ଏଲନ୍ ମସ୍କ ଘୋଷଣା କରିଛନ୍ତି କି, ଗାଜାରେ କାମ କରୁଥିବା ଅନ୍ତର୍ଜାତୀୟ ସଂସ୍ଥାଙ୍କୁ ଷ୍ଟାରଲିଙ୍କ୍ ତରଫରୁ କମ୍ୟୁନିକେଶନ କନେସନ ଉପଲବ୍ଧ କରାଇବେ । କହିରଖୁ କି ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ମଧ୍ୟ ଷ୍ଟାରଲିଙ୍କ ୟୁକ୍ରେନକୁ ଇଣ୍ଟରନେଟ୍ ସେବା ଯୋଗାଇ ଦେଉଛନ୍ତି ।