କନକ ବ୍ୟୁରୋ : ଆପଣ କେବେ ଦେଖିଛନ୍ତି କି କୌଣସି କମ୍ପାନୀର ସିଇଓ ମଣିଷ ବ୍ୟତୀତ ଅନ୍ୟ କେଉଁ ପ୍ରାଣୀ ହୋଇଥାନ୍ତି । ଯଦି ନୁହେଁ ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଲନ ମସ୍କ ଏକ କୁକୁରକୁ ଟ୍ୱିଟରର ସିଇଓ ଭାବେ ପରିଚିତ କରାଇଛନ୍ତି । ଏହି କୁକୁରଟି ମସ୍କଙ୍କ ପାଳିତ କୁକୁର ଓ ଏହାର ନାମ ଫ୍ଲୋକି ବୋଲି କୁହାଯାଇଛି ।

Advertisment

ଏହା ପୂର୍ବରୁ ଟ୍ୱିଟରର ସିଇଓ ଥିଲେ ପରାଗ ଅଗ୍ରୱାଲ । ହେଲେ ଏଲନ ମସ୍କ ଟ୍ୱିଟରକୁ କିଣିବା ପରେ ପରାଗ ଅଗ୍ରୱାଲଙ୍କୁ ବାହାର କରିଦେଇଥିଲେ । ପରାଗଙ୍କୁ ହଟାଇବା ପରେ ଏବେ ଫ୍ଲୋକିକୁ ଟ୍ୱିଟରର ସିଇଓ ବୋଲି କହିଛନ୍ତି ମସ୍କ ।

ମସ୍କ ଅନୁଭବ କରିଛନ୍ତି କି ତାଙ୍କ କୁକୁର ଫ୍ଲୋକି ଅନ୍ୟ ସିଇଓଙ୍କ ତୁଳନାରେ ବେଶ୍ ଭଲ । ଅର୍ଥାତ ମସ୍କ ଏଭଳି କହି ସିଧା ସଳଖ ପରାଗ ଅଗ୍ରୱାଲଙ୍କୁ ଟାର୍ଗେଟ୍ କରିଛନ୍ତି । ସୂଚନା ଥାଉକି ୪୪ ବିଲିୟନ ଡଲାର ଦେଇ ମସ୍କ ଟ୍ୱିଟରକୁ କିଣିବାର ମାତ୍ର କିଛିଦିନ ମଧ୍ୟରେ ସିଇଓ ପଦରେ ଥିବା ପରାଗ ଅଗ୍ରୱାଲଙ୍କୁ କମ୍ପାନୀରୁ ବାହାର କରିଦେଇଥିଲେ । କେବଳ ଅଗ୍ରୱାଲ ନୁହଁନ୍ତି ଅନେକ ପୁରୁଣା କର୍ମଚାରୀଙ୍କୁ ମଧ୍ୟ ଛଟେଇ କରିଦେଇଥିଲେ ମସ୍କ ।

ଏଲନ ମସ୍କ ସିଇଓ ଚେୟାରରେ ଫ୍ଲୋକିବୁ ବସାଇ ତାର ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଫ୍ଲୋକି କଳାରଙ୍ଗର ଟି ସାର୍ଟ ପିନ୍ଧିଥିବାର ଦେଖିବାକୁ ମିଳିଛି । ଏହି ସାର୍ଟ ଉପରେ ସିଇଓ ବୋଲି ଲେଖାଯାଇଛି । ଫ୍ଲୋକି ବସିଥିବା ଚେୟାର ସାମ୍ନାରେ ପଡିଥିବା ଟେବୁଲରେ କିଛି ଡକ୍ୟୁମେଣ୍ଟ ରହିଛି । ଏହି ଫଟୋ ସେୟାର କରି ମସ୍କ ଲେଖିଛନ୍ତି କି ସିଇଓ ।