ଏଲନ ମସ୍କ କିଣିଲେ ଟ୍ୱିଟର: ପ୍ରାୟ ୩ ଲକ୍ଷ ୩୬ ହଜାର କୋଟି ଟଙ୍କାରେ ଉଭୟ ପକ୍ଷ ମଧ୍ୟରେ ଚୁକ୍ତି

154

କନକ ବ୍ୟୁରୋ: ବିଶ୍ୱର ଅଗ୍ରଣୀ ତଥା ବହୁଳ ବ୍ୟବହାରକୀରୀ ମାଇକ୍ରୋ ବ୍ଲଗିଙ୍ଗ ପ୍ଲାଟଫର୍ମ ଟୁଇଟରକୁ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ କିଣିଛନ୍ତି । ଭାରତୀୟ ମୁଦ୍ରା ଅନୁସାରେ ୩ ଲକ୍ଷ ୩୭ ହଜାର କୋଟି ଟଙ୍କାରେ ଟୁଇଟରକୁ ନିଜ ଅକ୍ତିଆରକୁ ନେଇଛନ୍ତି ମସ୍କ । ଟୁଇଟରକୁ କିଣି ଗତ କିଛିଦିନଧରି ଚର୍ଚାରେ ପୂର୍ଣଚ୍ଛେଦ ପକାଇଛନ୍ତି ମସ୍କ ।

ଟ୍ୱିଟରକୁ କିଣିଲେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲା ସିଇଓ ଏଲନ ମସ୍କ । କୁହାଯାଉଛି ଟ୍ୱିଟରର ଏକ ନୁଆ ଆରମ୍ଭ ହେବ । ଏମିତିରେ ଟ୍ୱିଟରରେ ଅନେକ ପରିବର୍ତନ କରିବାର ଆଭାଷ ଦେଇସାରିଛନ୍ତି ଏଲନ୍ ମସ୍କ । ଟ୍ୱିଟରକୁ ୪୪ ବିଲିଅନ ଡଲାର ତଥା ଭାରତୀୟ ମୁଦ୍ରା ଅନୁସାରେ ୩ ଲକ୍ଷ ୩୭ ହଜାର କୋଟି ଟଙ୍କାରେ କିଣିଛନ୍ତି ଏଲନ ମସ୍କ । ଏନେଇ ଟ୍ୱିଟର କର୍ତୃପକ୍ଷ ଓ ମସ୍କଙ୍କ ମଧ୍ୟରେ ବୁଝାମଣା ହୋଇଛି ।

ଡିଲ୍ ପୁରଣ ହେବା ପରେ ଏକ ପ୍ରାଇଭେଟ୍ କମ୍ପାନୀରେ ପରିଣତ ହେଇଯିବ ଟ୍ୱିଟର । ଅନ୍ୟପଟେ ବର୍ତମାନ ଟ୍ୱିଟରର ସିଇଓ ଦାୟୀତ୍ୱ ତୁଲାଉଥିବା ପରାଗ ଅଗ୍ରୱାଲଙ୍କ ଉପରେ ଆଗକୁ ସମାନ ଦାୟିତ୍ୱ ଭାର ରହିବ ନା ନାହିଁ ତାକୁ ନେଇ ମଧ୍ୟ ସନ୍ଦେହ ଦେଖାଦେଇଛି । ଅପରପକ୍ଷରେ ପରାଗ ଅଗ୍ରଓାଲ ସିଇଓ ପଦରୁ ହଟିଲେ ମସ୍କଙ୍କୁ ଭାରି କ୍ଷତି ସହିବାକୁ ପଡିବ ବୋଲି ମଧ୍ୟ ଚର୍ଚା ହେଉଛି ।
ଲଗାତାର କିଛିଦିନ ଧରି ଟ୍ୱିଟରକୁ କିଣିବାର ଅଫରକୁ ନେଇ ଟ୍ୱିଟର ବୋର୍ଡ ମଧ୍ୟରେ କଥାବାର୍ତା ଚାଲିଥିଲା । ତେବେ ଏଲନ ମସ୍କ ଟ୍ୱିଟର କିଣିବା ନେଇ କିଛି କାରଣ ମଧ୍ୟ ଦେଇଛନ୍ତି ।

– ଫ୍ରି ସ୍ପିଚ୍ ତଥା ମୁକ୍ତ ବୟାନ ପାଇଁ ଟ୍ୱିଟରକୁ ପ୍ରାଇଭେଟ୍ କରିବାକୁ ପଡିବ
– ମାନବିକତାର ଭବିଷ୍ୟତ ଉପରେ ଡିଜିଟାଲ୍ ଟାଉନରେ ଚର୍ଚ୍ଚା ପାଇଁ ମସ୍କଙ୍କ ଲକ୍ଷ୍ୟ
– ନୂଆ ଭଲ ଫିଚର୍ସ ଟ୍ୱିଟରରେ ଆଣିବାକୁ ଚାହୁଁଛନ୍ତି ମସ୍କ
– ୟୁଜର୍ସମାନେ ଟ୍ୱିଟରରେ କ୍ୱାଲିଟି ଟାଇମ ବିତାନ୍ତୁ ବୋଲି ଚାହୁଁଛନ୍ତି ମସ୍କ

ଟ୍ୱିଟରରେ ଅଧିକ ପରିବର୍ତନ କରି ପୂର୍ବାପେକ୍ଷା ଅଧିକ ଟ୍ରାଂସପେରେଂସି ଓ ଅପସନ୍, ୟୁଜର୍ସ ମାନଙ୍କ ପାଇଁ ଆଣି ଟ୍ୱିଟରକୁ ନୁଆ ଧରଣରେ ଉପସ୍ଥାପନ କରିବାକୁ ଏଲନ ମସ୍କ ଚିନ୍ତା କରୁଥିବା ଜଣାପଡିଛି । ଏମିତିକି ଅତୀତରେ ମଧ୍ୟ ମସ୍କ ଏହି ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମକୁ ଭଲ ପାଆନ୍ତି ବୋଲି ଟ୍ୱିଟ କରିବା ସହ ପୂର୍ବରୁ ଟ୍ୱିଟରର ୯ ଦଶମିକ ୨ ପ୍ରତିଶତ ସେୟାର ମଧ୍ୟ କିଣିଥିଲେ । କିନ୍ତୁ ଏବେ ସମ୍ପୁର୍ଣ ଅଂଶ କରି ଟ୍ୱିଟରକୁ ନିଜ ଅକ୍ତିଆରକୁ ଆଣିଛନ୍ତି ମସ୍କ । ଅନ୍ୟପଟେ କମ୍ପାନୀ, କମ୍ୟୁନିଟି ସହ କାମ କରିବା ପାଇଁ ଆଗ୍ରହ ଥିବା ନେଇ ମସ୍କ କହିଛନ୍ତି । ସେପଟେ ଟ୍ୱିଟର ପାଇଁ ଏଲନ୍ ମସ୍କ ପୁଞ୍ଜି ନିବେଶ କରିବା ପରେ ଟେସଲାର ସେୟାରରେ ୨ ପ୍ରତିଶତ ଅବନତୀ ଦେଖାଦେଇଛି । ୨୦୦୬ରେ ଟ୍ୱିଟର ଆରମ୍ଭ ହୋଇଥିଲା । ଜାକ୍ ଡୋରସି ତାଙ୍କର ଅନ୍ୟ ତିନି ବନ୍ଧୁଙ୍କ ସହ ମିଶି ଟ୍ୱିଟର ଆରମ୍ଭ କରିଥିଲେ ।