କୋହଳ ହେଲା ସର୍ତ୍ତ : ଅଧିକ ଲୋକ ପାଇବେ କୋଭିଡ୍‌ ରିଲିଫ୍ ସହାୟତା, ଜାଣନ୍ତୁ କେଉଁମାନେ ହେବେ ଉପକୃତ ?

357

କନକ ବ୍ୟୁରୋ : କରୋନା ମହାମାରୀ ପ୍ରଭାବରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି । ‌କିଛି ପରିବାର ଆୟକାରୀ ସଦସ୍ୟଙ୍କୁ ହରାଇ ସମ୍ପୂର୍ଣ୍ଣ ହତାଶ ହୋଇପଡ଼ିଛନ୍ତି । ସେମାନଙ୍କୁ ସାହାଯ୍ୟ କରିବା ଲାଗି ସରକାରଙ୍କ ବ୍ୟତୀତ ଅନ୍ୟ କେତେକ ବିଭାଗ ମଧ୍ୟ ନୂଆ ରିଲିଫ୍‌ ସ୍କିମ୍ ଲାଗୁ କରିଥିଲେ । କର୍ମଚାରୀ ରାଜ୍ୟ ବୀମା ନିଗମ ପକ୍ଷରୁ କୋଭିଡ୍‌-୧୯ ରିଲିଫ୍‌ ସ୍କିମ୍ ଘୋଷଣା କରାଯାଇଥିଲା। ଏଥିରେ ଏଭଳି କିଛି ସର୍ତ୍ତ ରହିଥିଲା ଯେଉଁଥିପାଇଁ ଅନେକ ଲୋକ ସ୍କିମ୍‌ର ଲାଭ ପାଇବାରୁ ବଞ୍ଚିତ ହେଉଥିଲେ । ‌ସେଥିରୁ ଏକ ଗୁରୁତ୍ବପୂର୍ଣ୍ଣ ସର୍ତ୍ତକୁ କୋହଳ କରାଯାଇଛି । ଏହା ବ୍ୟତୀତ ଅଟଳ ବିମୀତ ବ୍ୟକ୍ତି କଲ୍ୟ‌ାଣ ଯୋଜନା ପରିସରକୁ ମଧ୍ୟ ବିସ୍ତାର କରାଯାଇଛି । ତେଣୁ ଆଗାମୀ ଦିନରେ ଅଧିକରୁ ଅଧିକ ଲୋକଙ୍କ ଏହା ଦ୍ବାରା ଉପକୃତ ହେବେ ବୋଲି ଆଶା କରାଯାଉଛି ।

ଶ୍ରମ ମନ୍ତ୍ରଣାଳୟ ଓ ଇଏସ୍‌ଆଇସି ପକ୍ଷରୁ ମିଳିତ ଭାବେ ସ୍କିମ୍‌ର ସର୍ତ୍ତକୁ କୋହଳ କରିବାକୁ ନିଷ୍ପତ୍ତି ନିଆଯାଇଛି । ଇଏସ୍‌ଆଇସିର ବୀମା ଆୟୁକ୍ତ ଏମ୍ କେ ଶର୍ମା କହିଛନ୍ତି ଯେ କୋଭିଡ୍-୧୯ ରିଲିଫ୍ ସ୍କିମ୍ ଓ ଅଟଳ ବିମୀତ ବ୍ୟକ୍ତି କଲ୍ୟାଣ ଯୋଜନାରେ ପୂର୍ବରୁ ମଧ୍ୟ କିଛିଟା ପରିବର୍ତ୍ତନ କରାଯାଇଥିଲା । ମାତ୍ର ଏବେ ସର୍ତ୍ତକୁ ବହୁତ କୋହଳ କରାଯାଇଛି । ଯଦି କୌଣସି ବ୍ୟକ୍ତି ଚାକିରି ପାଇଥିବେ ଏବଂ ବହୁତ କମ୍ ସମୟ ପାଇଁ ଇଏସ୍‌ଆଇସି ପ୍ରତି ଯୋଗଦାନ ଦେଇଥିବେ ତେବେ ସେ ଯୋଜନାଗୁଡ଼ିକର ଲାଭ ପାଇପାରିବେ ।

କୌଣସି ନିର୍ଦିଷ୍ଟ ରୋଗ ପାଇଁ ପ୍ରଥମ ଥର ଲାଗି ଦେଶରେ ଏକ ଯୋଜନା ଲାଗୁ କରାଯାଇଥିଲା। କୋଭିଡ୍-୧୯ ରିଲିଫ୍ ସ୍କିମ୍‌ରେ କରୋନାରେ ମୃତ୍ୟୁ ହୋଇଥିବା କର୍ମଚାରୀଙ୍କ ପରିଜନଙ୍କୁ ଆର୍ଥିକ ସହାୟତା ଦିଆଯାଉଛି । ଇଏସ୍‌ଆଇସିର ସଦସ୍ୟ ଥିବା କୌଣସି ବ୍ୟକ୍ତିଙ୍କ ‌କରୋନାରେ ମୃତ୍ୟୁ ହେଉଥିଲେ ତାଙ୍କ ପରିବାରକୁ ଏହି ସହାୟତା ଦିଆଯାଉଛି । ମୃତକଙ୍କ ବେତନର ୯୦ ପ୍ରତିଶତ ରାଶିକୁ ପ୍ରତି ମାସରେ ସହାୟତା ରାଶି ଭ‌ାବେ ଦିଆଯାଉଛି । ଏହି ସୁବିଧା ଏବେ ଆହୁରି ଅଧିକ ଲୋକଙ୍କୁ ମିଳିବ । ସେଥିପାଇଁ ସର୍ତ୍ତ କୋହଳ କରାଯାଇଛି ।

ଯଦି କୋଭିଡ୍‌ରେ ମୃତ୍ୟୁ ହେବାର ତିନି ମାସ ପୂର୍ବରୁ କୌଣସି ବ୍ୟକ୍ତିଙ୍କ ଇଏସ୍‌ଆଇସିରେ ପଞ୍ଜୀକରଣ ହୋଇଥିବ ଏବଂ ସେ ଯଦି ୩୫ ଦିନର ଯୋଗଦାନ ଦେଇଥିଲେ ତେବେ ତାଙ୍କୁ କୋଭିଡ୍‌-୧୯ ରିଲିଫ୍‌ ସ୍କିମ୍‌ର ଲାଭ ମିଳିବ । ଯଦି ଗୋଟିଏ ମାସରେ କେହି ଅତିକମ୍‌ରେ ୧୨ ଦିନ କାମ କରିଥିବେ ତେବେ ତାଙ୍କ ବାବଦ ଟଙ୍କା ଇଏସ୍‌ଆଇସିରେ ଜମା ହୋଇଥିବ । ସେଭଳି ମାମଲାରେ ସେହି ବ୍ୟକ୍ତିଙ୍କ ଯଦି କରୋନାରେ ମୃତ୍ୟୁ ହୋଇଥିବ ତେବେ ତାଙ୍କ ପରିବାରବର୍ଗ ତାଙ୍କ ବେତନର ୯୦% ରାଶି ରିଲିଫ୍ ସହାୟତା ଭାବେ ପାଇବାକୁ ଯୋଗ୍ୟ। ପୂର୍ବରୁ ଏହି ସୀମା ୭୦ ଦିନ ଥିଲା । ଏବେ ତାହାକୁ ଅଧା ହ୍ରାସ କରି ୩୫ ଦିନ କରା‌ଯାଇଛି ।

ଅଟଳ ବିମୀତ ବ୍ୟକ୍ତି କଲ୍ୟାଣ ଯୋଜନାର ସର୍ତ୍ତକୁ ମଧ୍ୟ କୋହଳ କରାଯାଇଛି । ଏକ ବର୍ଷର ପଞ୍ଜୀକରଣ ଥିବା ଏବଂ ଇଏସ୍‌ଆଇସିରେ ତାଙ୍କର ଗୋଟିଏ ଯୋଗଦାନ ଅବଧି ରହିଥିବ ତେବେ ସେ ଏହି ଯୋଜନାର ଲାଭ ପାଇପାରିବେ । ପୂର୍ବରୁ ଏହି ସୁବିଧା ହାସଲ କରିବା ଲାଗି ଦୁଇ ବର୍ଷର ପଞ୍ଜୀକରଣ ଓ ଦୁଇଟି ଯୋଗଦାନ ଅବଧି ରହିଥିବାର ସର୍ତ୍ତ ଥିଲା। ଇଏସ୍‌ଆଇସିର ଯୋଗଦାନ ‌ଅବଧି ହେଉଛି ୬ ମାସ ଯେଉଁଥିରେ ଅତିକମ୍‌ରେ ୭୮ ଦିନର ଯୋଗଦାନ ଦେବା ଜରୁରୀ । ଏହି ସର୍ତ୍ତକୁ କୋହଳ କରାଯାଇଥିବାରୁ ଅନେକ ଲୋକ ଉପକୃତ ହେବେ।