ଯାଜପୁର ବିଞ୍ଝାରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପୋଲିସର କଡା ଆଭିମୁଖ୍ୟ । ୬ ମହିଳାଙ୍କ ସମେତ ୧୧ ଜଣ ଗିରଫ 

ଲାଗିଲା ଅପହରଣ ଓ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଦଫା

76

କନକ ବ୍ୟୁରୋ: ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବିଞ୍ଝାରପୁର ବାଛୋଳ ସାମ୍ବାଦିକ ଆକ୍ରମଣ ଘଟଣାରେ କଡ଼ା ଅଭାମୁଖ୍ୟ ଦେଖାଇଛି ପୋଲିସ । ୬ ଜଣ ମହିଳାଙ୍କ ସମେତ ୧୧ ଜଣଙ୍କୁ ଗିରଫ କରାଯାଇଛି ଆଉ ସେମାନଙ୍କ ବିରୋଧରେ ଲାଗିଛି, ହତ୍ୟା ଉଦ୍ୟମ ଓ ଅପହରଣ ଭଳି ଆଇପିସିର ୧୦ଟି ସଂଗୀନ ଦଫା । ଏହା ମଧ୍ୟରେ ରହିଛି –

  • ୩୦୭ – ହତ୍ୟା ଉଦ୍ୟମ
  • ୩୬୫ – ଅପହରଣ ବା ବେଆଇନ ଭାବେ ଅଟକ ରଖିବା
  • ୩୨୫ – ମାରଣାସ୍ତ୍ରରେ ହାଣିବା
  • ୧୪୭ – ଦଙ୍ଗା ସୃଷ୍ଟି କରିବା
  • ୩୯୫ – ଡକାୟତି ଭଳି ସଂଗୀନ ଦଫା

ତେବେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୪ ଜଣ ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ କେବଳ ଜଣଙ୍କୁ ଗିରଫ କରାଯାଇଛି । ଗଣମାଧ୍ୟମରୁ ଫଟୋ ଦେଖି ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ସେମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି । ଯାଜପୁର ଏସପି କହିଛନ୍ତି ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି । ଘଟଣାରେ ସଂପୃକ୍ତ ସମସ୍ତଙ୍କୁ ଗିରଫ କରାଯିବ । ଅନ୍ୟପଟେ ବାଛୋଳ ଗାଁରେ ପଇଁତରା ମାରୁଛି ପୁଲିସ । ଆଉ ଏତିକି ବେଳେ ପୁଲିସ ଓ ଗାଁର ମହିଳା ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି । ସୁରକ୍ଷା ରକ୍ଷା କରିବା ପାଇଁ ପୁଲିସ ଗାଁରେ ମୁତୟନ ହୋଇଥିବା ବେଳେ ବାଛୋଳ ଗାଁର ମହିଳାମାନେ ଠେଙ୍ଗା ଧରି ପୁଲିସ ଆଡକୁ ମାଡି ଆସୁଛନ୍ତି । ଫଳରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।

  • ସାମ୍ବାଦିକ ଆକ୍ରମଣ ଘଟଣାର ପ୍ରତିବାଦ
  • କଳା ବ୍ୟାଚ୍ ପିନ୍ଧିଲେ ଯାଜପୁର ପ୍ରେସ କ୍ଲବ ସଦସ୍ୟ

ଯାଜପୁର ପ୍ରେସ କ୍ଲବ ପକ୍ଷରୁ ନିରବ ପ୍ରତିବାଦ କରାଯାଇଛି । ଗାନ୍ଧିଛକ ଠାରେ ପ୍ରେସ କ୍ଲବ ସଦସ୍ୟ ମାନେ କଳା ବ୍ୟାଚ ପିନ୍ଧି ଘଟଣାକୁ ନିନ୍ଦା କରିବା ସହିତ ତୁରନ୍ତ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ପାଇଁ ଦାବି କରିଛନ୍ତି । ଆଗାମୀ ୭ ଦିନ ପର୍ଯ୍ୟନ୍ତ ଯାଜପୁରର ସାମ୍ବାଦିକମାନେ କଳା ବ୍ୟାଚ ପିନ୍ଧିବାକୁ ନିଷ୍ପତ୍ତି ନେଇଛନ୍ତି । ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ପାଇଁ ବରିଷ୍ଠ ସାମ୍ବାଦିକମାନେ ମଧ୍ୟ ଯୁକ୍ତି ବାଢ଼ିଛନ୍ତି ।

ସୂୂଚନାଯୋଗ୍ୟ ଯେ, ରବିବାର ଦିନ ବିଞ୍ଝାରପୁର ବାଛୋଳ ଗାଁରେ ବୁଥ ରିଗିଂ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ୪୦ରୁ ୫୦ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିଲେ । ବୁଥ୍ ଜବରଦଖଲ କରି ଭୋଟ ବାକ୍ସ ପୋଖରୀକୁ ଫିଙ୍ଗାଯାଉଥିବା ଭିଡିଓ ସୁଟ କରିଥିଲେ ସାମ୍ବାଦିକ । ଆଉ ସେହି ସତ ଲୁଚାଇବାକୁ ଯାଇ ୩ ଜଣ ସାମ୍ବାଦିକଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଏହି ଘଟଣାରେ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି ।