ରେଡ୍ କରିବାକୁ ଯାଇଥିଲେ ବିଏମସି ଅଧିକାରୀ । ଲିଫ୍ଟରେ ଯାଉଥିବା ବେଳେ ପାୱାର ଅଫ୍ କରିଦେଲେ ବାର୍ ମାଲିକ ।

261

କନକ ବ୍ୟୁରୋ : କରୋନା ନିୟମ ନମାନି ବିଳମ୍ବିତ ରାତି ଯାଏଁ ବାର ଚଳାଇଲେ, ଚଢ଼ାଉ ବେଳେ ଡେପୁଟି କମିସନରଙ୍କ ସମେତ ବିଏମସିର ଦୁଇ ଜଣ ଅଧିକାରୀଙ୍କୁ ଲିଫ୍ଟରେ ବନ୍ଦ କରିଦେଲେ ବାର ମାଲିକ ଓ କର୍ମଚାରୀ । ଲିଫ୍ଟରେ ପାୱାର ଅଫ୍ କରିଦେବାରୁ ଅଣନିଶ୍ୱାସୀ ଅବସ୍ଥାରେ ଫସି ରହିଲେ ବିଏମସି ଅଧିକାରୀ । ଏହି ଅଭିଯୋଗରେ ବାର ମାଲିକ ଓ ମ୍ୟାନେଜରଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି କମିସନରେଟ୍ ପୁଲିସ । ସେମାନଙ୍କ ବିରୋଧରେ ଲାଗିଛି ୩୦୭ ବା ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଦଫା ।

କୋଭିଡ୍ ନିୟମକୁ ଫୁ କରି ବାର ଚଳାଇଲେ, ଚଢ଼ାଉ ବେଳେ ଲିଫ୍ଟ ବନ୍ଦ କରିଦେଲେ ବାର କର୍ମଚାରୀ । ଅଣନିଶ୍ୱାସୀ ହୋଇ ପ୍ରାୟ ୪୦ ମିନିଟ ଧରି ଲିଫ୍ଟ ଭିତରେ ଫସିରହିଲେ ୨ ଜଣ ବିଏମସି ଅଧିକାରୀ । ଏହି ଅଭିଯୋଗରେ ଭୁବନେଶ୍ୱର ଡମଣା ଛକ ନିକଟରେ ଥିବା ‘ଉପରେ’ ବାରର ମ୍ୟାନେଜରଙ୍କ ସମେତ ୫ଜଣଙ୍କୁ ଗିରଫ କରିଛି କମିସନରେଟ୍ ପୁଲିସ । ଅଭିଯୁକ୍ତ ରାକେଶ ପଣ୍ଡା, ସନ୍ତୋଷ ବେହେରା, ଅମିତ ପ୍ରସାଦ, ଅନନ୍ତ ନାଥ ଓ ପବିତ୍ର ବେହେରାଙ୍କ ବିରୋଧରେ ଲାଗିଛି ଆଇପିସି ଧାରା ୩୦୭ ବା ହତ୍ୟା ଉଦ୍ୟମ ଭଳି ସଂଗୀନ ଦଫା ।

କରୋନା କଟକଣାକୁ ଉଲ୍ଲଂଘନ କରି ରାଜଧାନୀରେ ଚାଲିଥିଲା ବାର । ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ମଦର ଆସର । ଖବର ପାଇ ୪ଟି ବାର ଉପରେ ଅଚାନକ ଚଢ଼ାଉ କରିଥିଲେ ବିଏମସି ଅଧିକାରୀ । ବିଏମସି ଗାଡି ଦେଖି ହୋଟେଲ ସିକ୍ୟୁରିଟି ଗାର୍ଡ ଲିଫ୍ଟ ବନ୍ଦ କରି ଦେଇଥିଲେ । ପାୱାର କଟ୍ ବି କରି ଦେଇଥିଲେ । ଲିଫ୍ଟ ଭିତରେ ଅଣନିଶ୍ୱାସୀ ହୋଇ ପଡିଥିଲେ ବିଏମସି ଅଧିକାରୀ । କେବଳ ଫାଙ୍କ ବାଟେ ନିଶ୍ୱାସ ନେଇ କୌଣସିପ୍ରକାର ବଡ଼ ଅଘଟଣରୁ ବର୍ତି ଯାଇଥିଲେ ଅଧିକାରୀ । ଲିଫ୍ଟ ବନ୍ଦ କରିବାର ଉଦ୍ଦେଶ୍ୟ ଥିଲା ଅତି ସାଂଘାତିକ । ଏପରିକି ରେଡ୍ ପାଇଁ ଯାଇଥିବା ଅଧିକାରୀଙ୍କୁ ଆକ୍ରମଣ କରିବା ପାଇଁ ବାରରେ ଥିବା ଲୋକମାନଙ୍କୁ କର୍ମଚାରୀମାନେ ଉସୁକାଇଥିବା ଅଭିଯୋଗ ମଧ୍ୟ ହୋଇଛି । ପରେ ପୋଲିସ ପହଞ୍ଚି, ବିଏମସି ଅଧିକାରୀଙ୍କୁ ଉଦ୍ଧାର କରିଥିଲା ।

ରାଜଧାନୀରେ ରାତି ୧୦ଟାରୁ ସକାଳ ୫ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ରହିଛି । ତେବେ କେତେକ ବାର ମାଲିକ ଏହାକୁ ମାନୁନାହାନ୍ତି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଛି ନାଚ ଗୀତ ମଦର ଆସର । ଅନେକ ଯୁବକ-ଯୁବତୀଙ୍କ ଭିଡ଼ ମଧ୍ୟ ହେଉଛି । ତେବେ ରେଡ୍ ବେଳେ ବିଏମସି ଅଧିକାରୀଙ୍କୁ ଲିଫ୍ଟରେ ବନ୍ଦ କରି, ସବୁ ସୀମାରେଖାକୁ ଟପି ଯାଇଛନ୍ତି ବାର କର୍ତ୍ତୃପକ୍ଷ ।