କନକ ବ୍ୟୁରୋ : ରାଜ୍ୟରେ ହାତୀ ସୁରକ୍ଷା ଉପରେ ବଡ଼ ପ୍ରଶ୍ନ ଲାଗିଛି । କଟକ ବଡ଼ମ୍ବା-ନରସିଂହପୁରରେ ଗୋଟିଏ ପରେ ଗୋଟିଏ ହାତୀ କଙ୍କାଳ ମିଳିବା ଘଟଣା ପରେ ଏବେ ସମ୍ବଲପୁରରେ ୨ଟି ହାତୀର କଙ୍କାଳ ଠାବ ହୋଇଛି । ସମ୍ବଲପୁର ବନଖଣ୍ଡରେ ଏସଟିଏଫ୍ର ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରି ଅଧାପୋଡ଼ା ହାତୀର ହାଡ଼ ଜବତ କରିଛି । ସମ୍ବଲପୁର ବନଖଣ୍ଡର ଧମା ରେଂଜର କୋଲଗାଁ ଓ ତବଲୋଇ ସଂରକ୍ଷିତ ଜଙ୍ଗଲରୁ ହାତୀ ୬-୭ ଖଣ୍ଡ ବଡ଼ ବଡ଼ ହାଡ଼ ଜବତ ହେବା ପରେ ପୁଣିଥରେ ବନବିଭାଗର ଭୂମିକା ସଂଦେହ ଘେରକୁ ଆସିଛି ।
ହାତୀକୁ ମାରି ପୋଡ଼ି ଦିଆଯାଇଥିବା ସଂଦେହ କରାଯାଉଛି । ଏସଟିଏଫ୍ର ସ୍ୱତନ୍ତ୍ର ଟିମ୍ ଚଢ଼ାଉ ବେଳେ ଦରପୋଡ଼ା ଅବସ୍ଥାରେ ହାତୀର ବଡ଼ ବଡ଼ ହାଡ଼ ପଡିଥିବା ଦେଖିବାକୁ ପାଇଥିଲେ । ଘଟଣା ସ୍ଥଳଟି ଘଂଚ ଜଙ୍ଗଲରେ ହୋଇଥିବାରୁ ଏହାର ଟେର୍ କେହି ପାଇନଥିବା ଅନୁମାନ କରାଯାଉଛି । ସମ୍ବଲପୁର ଡିଏଫଓ କହିଛନ୍ତି, ଘଟଣାର ତଦନ୍ତ କରାଯିବ, ଗୋଟିଏ ମାସରେ ତଦନ୍ତ ଶେଷ କରାଯିବ । ଯିଏ ଏଥିପାଇଁ ଦାୟୀ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ । ଜବତ ହାଡ଼କୁ ଫରେନ୍ସିକ୍ ଲାବ୍ କିମ୍ବା ଓୟୁଏଟିକୁ ପଠାଯିବ ବୋଲି କହିଛନ୍ତି ଡିଏଫଓ ।