ରାତି ହେଲେ ଆସୁଛନ୍ତି ହାତୀ… ଚାଲୁଛି ହାତୀ ମଣିଷ ଲଢେଇ । ଦଳ ଦଳ କରି ମାଡି ଆସୁଛନ୍ତି, ଘରଦ୍ୱାର ଭାଙ୍ଗିଦେଉଛନ୍ତି । ନାକେଦମ୍ ବନ ବିଭାଗ ।

90

କନକ ବ୍ୟୁରୋ: ଲୋକଙ୍କ ନିଦ ହଜେଇ ଦେଇଛନ୍ତି ହାତୀପଲ । ହାତୀ ମାତିବା ସହ ଘରଦ୍ୱାର ଭାଙ୍ଗି ଦେଇଛନ୍ତି । ସବୁ ବର୍ଷ ଭଳି ଏ ବର୍ଷ ବି କେନ୍ଦୁଝର ଅଂଚଳରେ ଲାଗି ରହିଛି ହାତୀ ମଣିଷ ଲଢେଇ । ଚମ୍ପୁଆ ରେଂଜ ବାଲିବନ୍ଧ ସେକ୍ସନରେ ୩୪ଟିକିଆ ହାତୀ ପଲ ଲୋକଙ୍କ ନିଦ ହଜେଇ ଦେଇଛନ୍ତି । ଦିନରେ ଜଙ୍ଗଲରେ ରହୁଥିବା ହାତୀପଲ ରାତି ହେଲେ ଜନବସତି ମୁହାଁ ହେଉଛନ୍ତି । ବଳଭଦ୍ରପୁର ଗାଁରେ ୪ଟି ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି ହାତୀପଲ ।

ଯେବେ ହାତୀ ହୁଏନି ସାଥୀ… ଭାଙ୍ଗିଦିଏ ଘରଦ୍ୱାର, ନଷ୍ଟ କରେ ଫସଲ । ସୂଚନା ଅନୁସାରେ, ବାଲିବନ୍ଧ ଅଂଚଳରେ ୩୪ଟି ହାତୀ ରହିଛନ୍ତି । ବୈତରଣୀ ନଦୀକୂଳ ଲହୁଣୀପଶି ନିକଟରେ ୧୨ଟି ହାତୀ ରହୁଥିବା ବେଳେ ଅରଡେଇ ନଦୀକୂଳ ଅଂଚଳରେ ଚଳପ୍ରଚଳ କରୁଛନ୍ତି ୨୨ଟି ହାତୀ । ହାତୀପଲ ବିଭିନ୍ନ ସ୍ଥାନରେ ଉତ୍ପାତ କରୁଥିବା ବେଳେ ପନିପରିବାର ଫସଲ ଦଳି ଚକଟି ନଷ୍ଟ କରୁଛନ୍ତି ।

ଦଳ ଦଳ ହୋଇ ମାଡି ଆସୁଛନ୍ତି ହାତୀ । ଘଉଡ଼େଇବା ପାଇଁ ନାକେଦମ୍ ବନ ବିଭାଗ । ହାତୀ ପଲଙ୍କୁ ସୁରକ୍ଷିତ ସ୍ଥାନକୁ ଘଉଡେଇବା ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଛି । ତେବେ ରାତିରେ ଭଙ୍ଗାରୁଜା କରୁଥିବା ହାତପଲ ଖଳିକୁଣ୍ଡ ନିକଟ ଜଙ୍ଗଲରେ ରହୁଛନ୍ତି ।