ହାତୀ ହେଲେ କୋଟିପତି । ବିହାରରେ ନିଜ ସମ୍ପତିର ଅଧା ନିଜ ପୋଷା ହାତୀ ନାଁରେ ଘୋଷଣା କଲା ମାଲିକ, ପାଟନାରୁ ଆସିଲା ଚମକାଇଲା ଭଳି ଖବର

1,652

କନକ ବ୍ୟୁରୋ : ହାତୀ ହେଲେ କୋଟିପତି । ୨ଟି ହାତୀ ନାଁରେ ମାଲିକ ଘୋଷଣା କରିଦେଇଛନ୍ତି ନିଜର ଅଧା ସମ୍ପତି । ଯାହାର ମୂଲ୍ୟ ହେବ ପ୍ରାୟ ୫ କୋଟି । ଏପରି ବଦାନ୍ୟ ବ୍ୟକ୍ତି ଜଣକ ହେଉଛନ୍ତି ବିହାର ପାଟନାର ଅଖତର ଇମାମ୍ । ବୟସ ତାଙ୍କର ପ୍ରାୟ ୫୦ ବର୍ଷ । ଇମାମ୍ ତାଙ୍କର ସମ୍ପତିର ଅଧା ତାଙ୍କର ଦୁଇ ପୋଷା ହାତୀ ମୋତି ଏବଂ ରାନୀ ନାଁରେ ଘୋଷଣା କରିଛନ୍ତି । ଇମାମଙ୍କ ମୃତ୍ୟୁ ପରେ ଯେପରି ହାତୀ ଦୁଇଟି ଅନାଥ ହୋଇ ନଯାଅନ୍ତୁ ସେଥିପାଇଁ ଏପରି ବ୍ୟବସ୍ଥା କରିଛନ୍ତି ଅଖତର ଇମାମ୍ । ମୋତି ଓ ରାନୀଙ୍କୁ ସେ ପିଲାଟି ଦିନରୁ ବଡ କରିଛନ୍ତି । ନିଜର ସନ୍ତାନ ପରି ସେ ହାତୀ ଦୁଇଟିକୁ ପାଳନ କରି ଆସୁଛନ୍ତି । ହାତୀ ସହିତ ହିଁ ତାଙ୍କର ଦିନ ଚର୍ଯ୍ୟା ଆରମ୍ଭ ହୋଇଥାଏ । ହାତୀ ପ୍ରତି ଏପରି ଆବେଗ କାରଣରୁ ସେ ସ୍ଥାପନ କରିଛନ୍ତି ଏନଜିଓ ଏସିଆନ୍ ଏଲିଫ୍ୟାଂଟ ସଂଗଠନ । ଏହି ଏନଜିଓ ପାଇଁ ସେ ଗାଁ ଗାଁ ବୁଲି ହାତୀ ସୁରକ୍ଷା ନେଇ ଲୋକଙ୍କୁ ସଚେତନ କରାଉଛନ୍ତି । ଏହି ହାତୀ ଦୁଇଟି ଅଖତର ଇମାମଙ୍କ ଜୀବନ ବି ବଂଚାଇଛନ୍ତି । ଥରେ ତାଙ୍କୁ ହତ୍ୟା କରିବାକୁ ରାତି ଅଧରେ ଦୁବୁର୍ତ ତାଙ୍କ ଘରେ ପଶୁଥିଲେ ।

ଏତିକିବେଳେ ହାତୀ ଦୁଇଟି ଜୋରରେ ଗର୍ଜନ କରି ଏନେଇ ଜଣାଇ ଦେଇଥିଲେ । ଫଳରେ ତାଙ୍କର ଜୀବନ ବଂଚି ଯାଇଥିଲା । ଏନେଇ ସେ ତୁରନ୍ତ ପୋଲିସକୁ ସୂଚାଇ ଦେଇଥିଲେ । ତାଙ୍କର ଜୀବନ ବଂଚାଇଥିବା ଦୁଇଟି ହାତୀଙ୍କ ନାଁରେ ଅଖତର ଯେଉଁ ସମ୍ପତି କରିଛନ୍ତି ତାହାର ମୂଲ୍ୟ ହେବ ପ୍ରାୟ ୫ କୋଟି । ନିକଟରେ ହାତୀ ମୃତ୍ୟୁକୁ ନେଇ କେରଳରୁ ଆସିଥିଲା ବିଭତ୍ସ ଖବର ଯାହା ସାରା ଦେଶକୁ ଆନ୍ଦୋଳିତ କରିଥିଲା । କିଛି ଦୁବୃର୍ତ ସପୁରୀରେ ବିସ୍ଫୋରକ ପୁରାଇ ଗର୍ଭବତୀ ହାତୀକୁ ଖାଇବାକୁ ଦେଇଥିଲେ ।

ଏହାର ବିସ୍ଫୋରଣରେ ହାତୀଟିର ଜୀବନ ଚାଲିଯାଇଥିଲ।। ମା ପେଟରେ ଆଖି ବୁଜିଥିଲା ହାତୀ ଶାବକ । ଏପରି କ୍ରୁରତା ଖବର ମନରୁ ନଲିଭୁଣୁ ବିହାରରୁ ଆସିଛି ଏହି ଖବର ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ହାତୀଙ୍କ ନାଁରେ ଅଖତର ଇମାମଙ୍କ ଏପରି କୋଟି କୋଟି ସମ୍ପତି ଘୋଷଣା କରିବା ସମସ୍ତଙ୍କ ମନକୁ ଛୁଇଁ ଯାଇଛି । ଏପରି ଘଟଣା ଅଖତର ଇମାମଙ୍କର ହାତୀଙ୍କ ପ୍ରତି ରହିଥିବା ପ୍ରତିଶ୍ରୁତିବଦ୍ଧତାକୁ ପ୍ରମାଣ କରୁଛି ।