ଭଂଜନଗର ମୁଜାଗଡ଼ ରେଞ୍ଜରେ ହାତୀ ଆତଙ୍କ : ଜମିରେ ପଶି ଫସଲ କରୁଛି ନଷ୍ଟ

ହାତୀ ଘଉଡ଼ାଇବାକୁ ବନବିଭାଗ ଓ ଗ୍ରାମବାସୀଙ୍କ ପ୍ରୟାସ; ହାତୀ ପାଇଁ ରାତି ଉଜାଗର

48

କନକ ବ୍ୟୁରୋ : ହାତୀ ପାଇଁ ରାତି ଅନିଦ୍ରା । ତିନି ଦିନ ହେବ ଗଂଜାମ ଜିଲ୍ଲା ଭଞ୍ଜନଗର ଉତର ଘୁମୁସୁରରେ ହାତୀଙ୍କ ଉପଦ୍ରବ । ଅନେକ ଚାଷ ଜମି ନଷ୍ଟ କରିଛି ହାତୀ ପଲ । ଲୋକଙ୍କ ମନରେ ଛନକା ପଶିଯାଇଛି । ବାହାରକୁ ଏକୋଟିଆ ବାହାରିବାକୁ ବି ଲୋକ ଡରୁଛନ୍ତି । ଗୁରୁବାର ସଂଧ୍ୟାରେ ମୁଜାଗଡ ଠାରେ ହାତୀ ପଲ ବହୁ ଜମିରେ ପଶି ଫସଲ ନଷ୍ଟ କରିଥିଲା । ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଂଚିବା ସହ ଗାଁ ଲୋକଙ୍କ ସହ ମିଶି ହାତୀ ଘଉଡ଼ାଇବାକୁ ଚେଷ୍ଟା ଜାରି ରଖିଥିଲା ।

ମୁଜାଗଡ଼ ବନାଞ୍ଚଳରେ ଗତକିଛି ଦିନ ହେବ ହାତୀ ପଲ ସେମାନଙ୍କ ସ୍ଥିତି ଜାହିର କରିଥିବା ବେଳେ ଏହି ଅଞ୍ଚଳର ବିଭିନ୍ନ ଅଞ୍ଚଳକୁ ବର୍ତ୍ତମାନ ବୁଲି ଧାନକ୍ଷେତ ନଷ୍ଟ କରୁଛନ୍ତି । ଆଉ କିଛି ଦିନ ଗଲେ ଫସଲ ଅମଳ ହେବାକୁ ଥିବା ବେଳେ ହାତୀ ମାନଙ୍କ ଉପଦ୍ରବରୁ କ୍ଷେତକୁ ସରୁକ୍ଷିତ ରଖିବା ପାଇଁ ଚାଷୀ ମାନେ ଚିନ୍ତିତ ହୋଇପଡିଛନ୍ତି । ଏମାନଙ୍କ ମଧ୍ୟରେ ମାଇ ହାତୀ ଓ ଛୁଆ ‌ହାତୀକୁ ମିଶାଇ ୧୬ ଟି ହାତୀ ରହିଥିବା ବେଳେ ଗୋଟିଏ ଦନ୍ତା ହାତୀ ଏକାକୀ ବୁଦୁଲି ଅଞ୍ଚଳ‌ରେ ଘୂରି ବୁଲୁଛି । ଏହି ହାତୀପଲ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଚାଷ ଜମିକୁ ଆସି ଧାନ ଫଲସ ନଷ୍ଟ କରି ଦେଉଛନ୍ତି ।

ଗତମାସରେ ଏହି ବନାଞ୍ଚଳର ଦଦରଲୁଣ୍ଡା,ରମ୍ଭା ଆଦି ଇଲାକାରେ ବିଚରଣ କରୁଥିବ‌ା ବେଳେ କିଛିଦିନ ହେବ ମୁଜାଗଡ,ବୁଦୁଲି,ଜୟମଙ୍ଗଳ,ବ୍ରାହ୍ମଣପଦର ଆଦି ଅଞ୍ଚଳରେ ବୁଲି ଗତ ସପ୍ତାହରେ ଗାଲେରୀ ସେକସନ୍‌ ଆଡକୁ ପଳ‌ାଇଥିଲେ । ତିନିଦିନ ତଳେ ଏହି ହାତୀପଲ ବୁଦୁଲି ଓ ମୁଜାଗଡ ମଧ୍ୟରେ ଥିବା ପୋଲ୍‌ ‌ଫ୍ୟାକ୍ଟ୍ରି ନିକଟରେ ଜାତୀୟ ରାଜପଥ ପାର ହୋଇଛନ୍ତି । କିଛି ବ୍ୟକ୍ତି ଏହି ସମୟରେ ଭଞ୍ଜନଗରୁ ଫୁଲବାଣୀ ଯାଉଥିବା ବେଳେ ହଟାତ୍‌ ହାତୀପଲ ସାମ୍ନାକୁ ପଳାଇ ଆସିଥିଲେ । ସେମାନ‌େ ଗାଡି ଲାଇଟ୍‌ ବନ୍ଦ କରି ଅଟକି ଯାଇଥିଲେ । ଏଥିସହ ସେହି ରାସ୍ତା ଦେଇ ଯାଉଥିବା ଅନ୍ୟକିଛି ବ୍ୟକ୍ତି ମଧ୍ୟ ଅଟକି ଯାଇଥିଲେ । କିନ୍ତୁ ଏଥିରେ ହାତୀମାନେ କାହାରି କିଛି କ୍ଷତି କରିନଥିବା ସେମାନ‌େ ପ୍ରକାଶ କରିଛନ୍ତି ।