ବାଟବଣା ହୋଇଥିବା ଦନ୍ତାର ଗୋଡ଼ରୁ ଖୋଲିଲା ବେଡ଼ି: ଚନ୍ଦକା ଥଇଥାନ କେନ୍ଦ୍ର ପରିସରରେ ଛଡ଼ା ଯାଇ ରଖାଯାଇଛି ନଜର 

319

କନକ ବ୍ୟୁରୋ: ଡେଲାଙ୍ଗ, ପିପିଲିରୁ ଆରମ୍ଭ କରି ରାଜଧାନୀରେ ବାଟବଣା ହୋଇଥିବା ଦନ୍ତାହାତୀ ଗୋଡରୁ ଖୋଲିଦିଆଯାଇଛି ବେଡି । ହାତୀଟି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବୁଲିବା ପରେ  ବନବିଭାଗ ଟ୍ରାଙ୍କୁଲାଇଜ କରି  ଚନ୍ଦକା ଆଣିଥିଲା । ଆଉ ଚନ୍ଦକାରେ ଦନ୍ତାକୁ ବେଡି ପକାଇ କଡା ନଜରରେ ରଖାଯାଇଥିଲା । ଏବେ ବେଡିରୁ ମୁକ୍ତ ହେବା ପରେ ଦନ୍ତାକୁ ଥଇଥାନ କେନ୍ଦ୍ର ପରିସରରେ ଛଡାଯାଇଛି । ଏଠାରେ କିଛିଦିନ ପାଇଁ ହାତୀର ହାବଭାବ ଉପରେ ନଜର ରଖାଯିବ । ହାତୀର ଜଙ୍ଗଲି ପ୍ରକୃତି ସ୍ୱାଭାବିକ ହେବା ପରେ ଥଇଥାନ କେନ୍ଦ୍ରର ମୁଖ୍ୟ ଦ୍ୱାର ଖୋଲାଯିବ । ଏହାପରେ ହାତୀ  ଚନ୍ଦକା ଜଙ୍ଗଲରେ ବିଚରଣ କରିବ ।

ରାଜଧାନୀରେ ବୁଲୁଥିବା ଦନ୍ତାହାତୀକୁ କାବୁ କରିବାକୁ ପୁଲିସ ଓ ବନକର୍ମଚାରୀ ନାକେଦମ ହୋଇଥିଲେ । ପରେ ହାତୀକୁ ଟ୍ରାଙ୍କୁଲାଇଜ କରାଯାଇ ପ୍ରାୟ ୨ ଶହ କିଲୋମିଟର ଦୁଇଟି ଜଙ୍ଗଲକୁ ନିଯାଇଥିଲା । ହେଲେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ଚନ୍ଦକା ଅଣାଯାଇ କୁମାରଖୁଂଟିର ଥଇଥାନ କେନ୍ଦ୍ରରେ ରଖାଯାଇଥିଲା ।  ଏବେ ହାତୀର ସ୍ୱାସ୍ଥ୍ୟବସ୍ଥା ସୁଧୁରିଛି । ଦନ୍ତା ଖାଇବା ପିଇବା ଠିକ କରିବା ବନ କର୍ମଚାରୀ ଦେଖିବା ପରେ ହାତୀ ଗୋଡରୁ ବେଡି ଖୋଲିଦିଆଯାଇଛି । ଓୟୁଏଟିର ପ୍ରାଣୀ ଚିକିତ୍ସକ ଇନ୍ଦ୍ରମଣି ନାଥ ହାତୀର ସ୍ୱାସ୍ଥ୍ୟ ଯାଂଚ କରିଛନ୍ତି । ସେ ସବୁଜ ସଙ୍କେତ ଦେବା ପରେ ଗୋଡରୁ ବେଡି ଖୋଲାଯାଇଛି ।

ମୁକ୍ତ ହାତୀ ଏବେ ଥଇଥାନ କେନ୍ଦ୍ର ପରିସରରେ ବୁଲୁଛି । ମୁଖ୍ୟ ଫାଟକ ବନ୍ଦ କରାଯାଇ ଗତିବିଧି ଉପରେ ନଜର ରଖାଯାଇଛି । ଏବେ ହାତୀର ଗତିବିଧିକୁ ଲକ୍ଷ୍ୟ କରାଯାଇ ପରବର୍ତୀ ନିଷ୍ପତି ନିଆଯିବ । ଏବେ ପ୍ରଶ୍ନ ଉଠୁଛି-

ଚନ୍ଦକାରେ ଦନ୍ତାହାତୀ ଅନ୍ୟ ହାତୀଙ୍କ ସହ ଖାପଖୁଆଇ ପାରିବ ତ?

ପୁଣି ହାତୀ ଜନବସତି ମୁହଁ ହେବନି ତ ଦନ୍ତା ?