ମାହୁନ୍ତକୁ ମାରିଦେଲା କ୍ୟାନ୍ସର, ଖବର ପାଇଁ ଧାଇଁ ଆସିଲା ଦନ୍ତା ହାତୀ । କୋହକୁ ସମ୍ଭାଳି ନପାରି କାନ୍ଦିଲା, ଶୁଣ୍ଢ ହଲାଇ ଶେଷ ସଲାମୀ ଦେଲା… ଭିଡ଼ିଓ ଭାଇରାଲ ପରେ ଭାବବିହ୍ନଳ ହେଲା ସାରା ଦେଶ ।

484

କନକ ବ୍ୟୁରୋ : ମାଲିକ୍ ଉଠ….ଉଠ ତମେ ମାଲିକ୍ । ଆର ଗାଁକୁ ପରା ବୁଲିବାକୁ ଯିବା । ମୋ ପିଠିରେ ବସାଇ ତମକୁ ନେଇଯିବି, ତମେ ଯାହା କହିବ, ମୁଁ ସେଇୟା କରିବି । ତମେ ମତେ ମାଇଲ୍ ମାଇଲ୍ ବାଟ ଚଲାଅ, ମୁଁ ଚାଲିବି । ତମ ପାଇଁ ସବୁ କରିବି…କିନ୍ତୁ ଥରେ ମୋ ପିଠିରେ ବସିଯାଅ, ଥରେ ତମେ ଉଠିଯାଅ ।

ହୁଏତ ଯଦି ହାତୀଟି ମଣିଷ ଭଳି କଥା କହିପାରୁଥାନ୍ତା, ତେବେ ହାତୀର ହୃଦୟ ଭିତରୁ କିଛି ଏମିତି ଶବ୍ଦ ବାହାରିଥାନ୍ତା । ସେ ପଶୁ ହୋଇପାରେ, ମଣିଷ ଭଳି ତାର ବୁଦ୍ଧି ନଥାଇପାରେ, କିନ୍ତୁ ସମ୍ପର୍କର ମୂଲ, ମଣିଷଠାରୁ ବି ସେ ଅଧିକ ବୁଝିଛି । ଏ କାହାଣୀ ସମ୍ପର୍କର, ଏ କାହାଣୀ ବିଶ୍ୱାସର । ହାତୀ ମଣିଷ ସମ୍ପର୍କର ଏହି ନିଆରା କାହାଣୀ ଶୁଣିଲେ ଆପଣଙ୍କ ଆଖି ବି ଓଦା ହୋଇଯିବ ।

ମାହୁନ୍ତଙ୍କ ମୃତ୍ୟୁରେ କାନ୍ଦିଲା ହାତୀ । ହାତୀ ଆଖିରୁ ଝରିଲା ଧାର ଧାର ଲୁହ । ଏ ଘଟଣା, ପଥର ହୃଦୟକୁ ବି ତରଳାଇ ଦେବ । ମାହୁନ୍ତର ମୃତ୍ୟୁରେ ହାତୀଟି ଭାଙ୍ଗିପଡିଛି । ଶୁଣ୍ଢ ହଲାଇ ତାର ମନର କଥା ସବୁ କହିପକାଉଛି । ଆପଣ ହାତୀ ମଣିଷର ସମ୍ପର୍କର ଅନେକ କାହାଣୀ ଫିଲ୍ମରେ ଦେଖିଥିବେ । କିନ୍ତୁ ବାସ୍ତବ ଜୀବନର ଏହି କାହାଣୀ ଆପଣଙ୍କୁ ଭାବୁକ କରିଦେବ ।

ମଣିଷ ଭଳି ହାତୀ ବି ସେମିତି ମନେ ମନେ ରାହା ଧରି କାନ୍ଦିଥିଲା, ଯେତେବେଳେ ତାର ମାହୁନ୍ତର ମରଶରୀରକୁ ନିଜ ଆଖିରେ ଦେଖିଲା । ନିଜ ମାହୁନ୍ତର ଅନ୍ତିମ ଦର୍ଶନ କରିବା ପାଇଁ ପହଂଚିଥିଲା ହାତୀ । ଘର ବାହାରେ ଲାଗିଥିବା ଭିଡକୁ ଆଡେଇ ଆଡେଇ, ଧିରେ ଧିରେ ମାହୁନ୍ତଙ୍କ ଶବ ପାଖରେ ପହଂଚିଥିଲା । ଶୁଣ୍ଢରେ ଥରେ ତା ପ୍ରିୟର ମାହୁନ୍ତଙ୍କୁ ଛୁଇଁବାକୁ ଚେଷ୍ଟା କରିଥିଲା ।

ହାତୀଟି କାନ୍ଦିବନି ବା କେମିତି । ଦୀର୍ଘ ୨୫ ବର୍ଷ ହେଲାଣି ଏହି ମାହୁନ୍ତଙ୍କ ସାଙ୍ଗରେ ପରା ସେ ରହୁଥିଲା । ଆଉ ମାହୁନ୍ତ ମଧ୍ୟ ଦିନଟିଏ ହେଲେ ହାତୀକୁ ଜମା ବି ମାରିନାହାନ୍ତି । ହାତୀକୁ ନିଜ ବନ୍ଧୁ ଭାବି ସବୁବେଳେ ତାକୁ ଭଲପାଇବା ଦେଇଥିଲେ । ଆଉ ଯେତେବେଳେ ହାତୀକୁ ପର କରି ମାହୁନ୍ତ ଆରପାରିକୁ ଚାଲିଗଲେ, ହାତୀର ମନ ମାନିଥାନ୍ତା ବା କେମିତି । ଆଉ ସେଇଥିପାଇଁ ତ ନିଜ ମାଲିକକୁ ଶେଷ ଥର ଟିକିଏ ଦେଖିବା ପାଇଁ ୨୦ କିଲୋମିଟରୁ ଦୂରରୁ ଅନ୍ତିମ ସଂସ୍କାର ସ୍ଥାନକୁ ଧାଇଁ ଆସିଛି ହାତୀ ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଆଖିକୁ ଭିଜାଇଦେଉଥିବା ଏହି ଘଟଣାଟି ହେଉଛି କେରଳର । ଆଉ ସମ୍ପର୍କର ମୂଲ ବୁଝି ସମସ୍ତଙ୍କ ହୃଦୟ ଜିଣିନେଇଥିବା ଏହି ହାତୀଟିର ନାଁ ହେଉଛି, ବ୍ରହ୍ମାଦାଥନ୍ । ଆଉ ଆରପାରିକୁ ଚାଲିଯାଇଥିବା ମାହୁନ୍ତ ହେଉଛନ୍ତି ୭୪ ବର୍ଷୀୟ ଓମାନା ଚେତନ । କ୍ୟାନସରରେ ପୀଡିତ ହୋଇ ସେ ଆଖି ବୁଜିଛନ୍ତି ।

ହାତୀ ମଣିଷ ସମ୍ପର୍କର ଏହି ସ୍ମୃତି ସୋସିଆଲ୍ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ଆଉ ସ୍ୱାର୍ଥପର ମଣିଷଙ୍କୁ ସମ୍ପର୍କର ମୂଲ ବୁଝାଇଦେଇଛି ହାତୀ ।