କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ ବର୍ଷ ତମାମ ହାତୀପଲଙ୍କ ଉପଦ୍ରବ ଲାଗି ରହିଛି। ହାତୀ ପାଇଁ ଲୋକଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ହୋଇଛି। ଧାନ ରୁଆ ଠାରୁ ଆରମ୍ଭ କରି ଅମଳ ପର୍ୟ୍ୟନ୍ତ ମଞ୍ଚାରେ ଚାଷୀର ଜୀବନ ବିତୁଛି। ତଥାପି ଏକର ଏକର ପାଚିଲା ଧାନ ଫସଲ ହାତୀ ମୁହଁରେ ଯାଉଛି । ହାତୀପଲ କେତେବେଳେ ଘର ଭାଙ୍ଗୁଛନ୍ତି ତ ଆଉ କେତେବେଳେ ମଣିଷ ମାରୁଥିବା ଅଭିଯୋଗ ହୋଇଛି । ହାତୀଙ୍କ ସୁରକ୍ଷା ପାଇଁ ଅପରାହ୍ଣ ୫ଟାରୁ ବିଦ୍ୟୁତ୍ କାଟ୍ ହେଉଛି । ଫଳରେ ୧୩ଟି ପଂଚାୟତବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାତି ୨ଟା ପରେ ଅନ୍ୟ ୯ଟି ପଂଚାୟତରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହେଉଛି । ଫଳରେ ତେଲକୋଇ ଅନ୍ଧକାରମୟ ହୋଇ ପଡ଼ୁଛି। ଫଳରେ ପିଲାଙ୍କ ପାଠପଢା ପ୍ରଭାବିତ ହେଉଛି ।

Advertisment

ସପ୍ତାହେ ହେଲାଣି ହାତୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ସଞ୍ଜ ନଇଁବା ମାତ୍ରେ ସାହିରେ ପଶି ଘରଦ୍ୱାର ଭାଙ୍ଗୁଛନ୍ତି । ଭୟରେ ଲୋକମାନେ ଘର ଛାଡି ଏଣେ ତେଣେ ମୁଣ୍ଡି ଗୁଜୁଛନ୍ତି । ଗାଁ ମୁଣ୍ଡରେ ଏକୁଟିଆ ଘର ଥିବାରୁ ଚମ୍ପା ନିଜ ଛୁଆଙ୍କ ସୁରକ୍ଷା ପାଇଁ ଅନ୍ୟ ଉପାୟ ନପାଇ ୪ ଦିନ ହେଲାଣି ଅର୍ଦ୍ଧ ନିର୍ମିତ ସରକାରୀ ପକ୍କା ଘରର ଛାତ ଉପରେ ଜରି ପାଲ ଟାଙ୍ଗି ରାତି ବିତାଉଛନ୍ତି। ସକାଳ ହେଲେ ଅନ୍ୟ ସମସ୍ତେ ତଳକୁ ଓହ୍ଲାଇ ଆସୁଥିବା ବେଳେ ଦିବ୍ୟାଙ୍ଗ ପୁଅ ଶ୍ୟାମସୁନ୍ଦରଙ୍କ ଦିନ ରାତି ସେଇଠି କଟୁଛି। ରବିବାର ରାତିରେ ଚମ୍ପାଙ୍କର ୨ ବଖରା ମାଟି ଘରକୁ ମାଟିରେ ମିଶାଇ ଦେଇଛି ଦନ୍ତା । ସୌଭାଗ୍ୟକୁ ସମସ୍ତେ ଛାତ ଉପରେ ଆଶ୍ରୟ ନେଇଥିବାରୁ ଜୀବନ ବଞ୍ଚି ଯାଇଛି ।

କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ ହାତୀ ମଣିଷ ମଧ୍ୟରେ ଏକ ପ୍ରକାର ଶୀତଳ ଯୁଦ୍ଧ ଲାଗି ରହିଛି। କେତେବେଳେ ହାତୀ ମଣିଷ ମାରୁଛି ତ ଆଉ କେତେବେଳେ ନିଜେ ମଧ୍ୟ ମରୁଛି। ୨୦୦୭ରୁ ଆଜି ପର୍ଯ୍ୟନ୍ତ ହାତୀ ଆକ୍ରମଣରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ବର୍ଷରେ ବିଭିନ୍ନ କାରଣରୁ ୧୪ଟି ହାତୀଙ୍କ ମୃତ୍ୟୁ ଘଟିଛି । ବନ ବିଭାଗ ପକ୍ଷରୁ ଉଭୟ ହାତୀ ଓ ମଣିଷଙ୍କ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ।