ଦନ୍ତାହାତୀର ଦାଦାଗିରି । ସଞ୍ଜ ନଇଁଲେ ଜଙ୍ଗଲ ଛାଡି ଗାଁ ମୁହାଁ ହାତୀପଲ, ଦଳି ଦେଉଛନ୍ତି ଘରଦ୍ୱାର, ଧନ ଜୀବନ । ଭୟରେ ମଞ୍ଚା ଉପରେ ଜୀବନ ଜିଉଁଛି ମଣିଷ ।

162

କନକ ବ୍ୟୁରୋ : ଦିନେ ନୁହଁ କି ଦୁଇ ଦିନ ନୁହଁ । ଦେଢମାସ ହେବ କେନ୍ଦୁଝର ସଦର ଏବଂ ଚମ୍ପୁଆ ବନାଂଚଳରେ ଉତ୍ପାତ ଜାରି ରଖିଛି ଦନ୍ତା ହାତୀ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ହାତୀ ଆକ୍ରମଣରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ହାତୀ ପଲ ୧୫୦ରୁ ଅଧିକ ଘରଦ୍ୱାର ଭାଙ୍ଗି ନଷ୍ଟ କରିଦେବା ପରେ ଗଛ ଉପରେ ମଂଚା କରି ଜୀବନ ଜିଉଁଛନ୍ତି ଗ୍ରାମବାସୀ ।

ତଳେ ହାତୀ ମଂଚାରେ ମଣିଷ । ସଞ୍ଜ ନଇଁଲେ ଆସୁଛି ଦନ୍ତା । ଦିନ ବଢିବା ସହ ବଢୁଛି ଚିନ୍ତା । ସଂଜ ନଇଁଲେ ଜଙ୍ଗଲ ଛାଡି ଗାଁ ମୁହାଁ ହେଉଛି ନରହନ୍ତା ଦନ୍ତା । ଗର୍ଜନ କରି ଦଳି ଦେଉଛି ଘରଦ୍ୱାର ଧନ ଜୀବନ । କେନ୍ଦୁଝର ଜିଲ୍ଲାରେ ହାତୀ ଭୟରେ ଘରଦ୍ୱାର ଛାଡି ଗଛ ଉପରେ ମଂଚା କରି ଜୀବନ ଜିଉଁଛି ମଣିଷ । ଜିଲ୍ଲା ସଦର ଏବଂ ଚମ୍ପୁଆ ବନାଂଚଳରେ ଦେଢ ମାସ ହେବ ଗୋଟିଏ ଦନ୍ତାହାତୀ ଆତଙ୍କ ସୃଷ୍ଟି କରିଛି । ୧୫୦ରୁ ଅଧିକ ଘର ଭାଙ୍ଗିବା ସହ ୧୫ ଜଣ ଲୋକ ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ଏମିତି କି ହାତୀ ପାଦତଳେ ୮ ଜଣଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି ।

ଦିନରେ ଜଙ୍ଗଲରେ ରହୁଥିବା ହାତୀପଲ ରାତିରେ ଜନବସତି ଆଡେ ମୁହାଁଉଛନ୍ତି । ଦଳି ଚକଟି ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗି ଦେଉଛନ୍ତି ହାତୀପଲ । ହାତୀ ଭୟରେ ସୂର୍ଯ୍ୟାସ୍ତ ହେବା କ୍ଷଣି ଘର ଛାଡି ଗଛ ଉପରେ ଥିବା ମଂଚାକୁ ପଳାଇଯାଉଛନ୍ତି ଗ୍ରାମବାସୀ । ସେପଟେ ହାତୀ କିପରି ଜନବସତି ମୁହାଁ ନହେବ ସେଥିପାଇଁ ବନବିଭାଗ ସମସ୍ତ ଉଦ୍ୟମ ଜାରି ରଖିଛି । ଏହାସହ ହାତୀ କରୁଥିବା କ୍ଷୟକ୍ଷତିର ଉପଯୁକ୍ତ ଆକଳନ କରାଯାଇ ସରକାରଙ୍କ ନିୟମ ଅନୁସାରେ କ୍ଷତିପୂରଣ ଦିଆଯାଉଥିବା କହିଛନ୍ତି କେନ୍ଦୁଝର ସଦର ରେଞ୍ଜର । ତେବେ କେନ୍ଦୁଝର ଡିଭିଜନରେ ୧୫୨ଟି ହାତୀ ଅଛନ୍ତି । ଏମାନଙ୍କୁ ଘଉଡାଇବାକୁ ୫ଟି ସ୍କ୍ୱାଡ ଗଠନ କରାଯାଇଛି ବୋଲି ସଦର ରେଞ୍ଜର କହିଛନ୍ତି ।