ନିଦ ହଜାଇଲେ ହାତୀପଲ । ସଞ୍ଜ ବାଜିଲେ ପାହାଡରୁ ଖସୁଛନ୍ତି, ପାଚିଲା ଧାନ ଦଳିମକଚି ଦେଉଛନ୍ତି…

123

କନକ ବ୍ୟୁରୋ: ଅସହ୍ୟ ହେଲାଣି ହାତୀ ଉପଦ୍ରବ । ଧାନ ବିଲ ଦଳି ଦେଉଛନ୍ତି ଦନ୍ତା । ହାତୀ ପାଦ ତଳେ ନଷ୍ଟ ହେଉଛି ଫସଲ । ପାଚିଲା ଧାନକୁ କାଟି ଖଳାକୁ ଆଣିଥାନ୍ତେ ଚାଷୀ । ହେଲେ ଚାଷୀର ଖଳାକୁ ଆସିବା ଆଗରୁ ଜମିରେ ନଷ୍ଟ ହୋଇଯାଇଛି ଧାନ । ଦିନରେ ଜଙ୍ଗଲରେ ରହୁଥିବା ହାତୀପଲ ସଞ୍ଜ ନଇଁଲେ ଚାଷଜମି ମୁହାଁ ହେଉଛନ୍ତି । ସାରା ରାତି ଧାନ ବିଲରେ ଉତ୍ପାତ କରୁଛନ୍ତି । ଧାନ ଗଛକୁ ପାଦରେ ଦଳି ଚକଟି ଦେଉଛନ୍ତି । ମୟୂରଭଞ୍ଜ ଜିଲ୍ଲା କରଂଜିଆ ବନଖଣ୍ଡ ଅଂଚଳରେ ହାତୀ ପାଦତଳେ ଏକର ଏକର ଧାନ ଫସଲ ନଷ୍ଟ ହୋଇଯାଇଛି । ପାଚିଲା ଧାନ ଅମଳ ପାଇଁ ଚାଷୀ ଚିନ୍ତା କରୁଥିବା ବେଳେ ହାତୀପଲ ଫସଲ ଉଜାଡି ଦେଇଛନ୍ତି ।

ଦୁଇ-ତିନି ଦିନ ହେବ ୨୫ ଟିକିଆ ହାତୀପଲ ଗାଁ ପାଖ ଜଙ୍ଗଲରେ ଡେରା ପକାଇଛନ୍ତି । ଚାଷ ନଷ୍ଟ କରୁଥିବା ଅଭିଯୋଗ କରି କରଂଜିଆ ବ୍ଲକର ସରୁଭାଡି, ବାଗଦଫା, ଡିଆଯୋଡି ଓ ବଳା ଗାଁର ଚାଷୀ ବନ ଖଣ୍ଡ ଅଧିକାରୀଙ୍କୁ ଭେଟିଛନ୍ତି । ହାତୀପଲଙ୍କ ଦାଉରୁ ଚାଷକୁ ରକ୍ଷା କରିବା ସହ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ହାତୀ ପଲ ଏବେ ଦୁଧିଆଣି ରେଂଜ ଦରି ସଂରକ୍ଷିତ ଜଙ୍ଗଲରେ ଡେରା ପକାଇ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।