କନକ ବ୍ୟୁରୋ: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ଜନଜୀବନ । ମଣିଷ ସହ ଜୀବଜନ୍ତୁ ମଧ୍ୟ ଖରାରେ ଅତିଶୟ ହୋଇଗଲେଣି । ପାଣି ଟୋପେ ପାଇଁ ସହର ମୁହାଁ ହେଉଛନ୍ତି ପଶୁ । ଭୁବନେଶ୍ୱର ଭରତପୁର ଜଙ୍ଗଲରେ ମାଟି ଫାଟି ଆଁ କରିଛି । ଯୁଆଡ଼େ ଚାହିଁଲେ ଖାଲି ଟାଙ୍ଗରା ଭୂଇଁ । ତାତି ପାଇଁ ଜଙ୍ଗଲରେ ଥିବା ହାତୀ ପଲ ଏବେ ପାଣି ମୁନ୍ଦାଏ ପାଇଁ ଆଉଟୁପାଉଟୁ ହେଉଛନ୍ତି । ଏ ଜଳାଶୟରୁ ସେ ଜଳାଶୟ ଘୂରି ବୁଲୁଛନ୍ତି । ମାତ୍ର ଜଙ୍ଗଲ ଭିତରେ କେଉଁଠି ବି ସେମାନଙ୍କୁ ପାଣି ମିଳୁନି । ପାଖାପାଖି ବର୍ଷେ ହେଲା ୧୬ ଟିକିଆ ହାତୀପଲ ଭରତପୁର ଜଙ୍ଗଲରେ ଡେରା ପକାଇ ରହିଛନ୍ତି । ସେମାନଙ୍କୁ ଏଠାରେ ପର୍ଯ୍ୟାପ୍ତ ଖାଦ୍ୟ ମିଳିବା ସହ ପିଇବା ଲାଗି ପାଣି ମିଳୁଥିଲା । ମାତ୍ର ଏବେ ସେମାନଙ୍କ ଲାଗି ସମସ୍ୟା ସୃଷ୍ଟି ହୋଇଛି । ସପ୍ତାହେ ହେବ ଭୁବନେଶ୍ୱର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଦୀର୍ଘ ଦିନ ହେଲା ପର୍ଯ୍ୟାପ୍ତ ବର୍ଷା ହୋଇ ନାହିଁ । ଭରତପୁର ଜଙ୍ଗଲରେ ଥିବା ଜଳାଶୟଗୁଡ଼ିକ ଶୁଖିଲା ପଡ଼ିଛି । ଏହି ଜଙ୍ଗଲ ଚନ୍ଦକା-ଡମପଡ଼ା ହାତୀ ଅଭୟାରଣ୍ୟର ଏକ ଅଂଶ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିକଳ୍ପ ପାଣି ବ୍ୟବସ୍ଥା କରାଯାଇ ନାହିଁ । କେବଳ ହାତୀ ନୁହଁନ୍ତି ଜଙ୍ଗଲରେ ଥିବା ହରିଣ, ମୟୂର ଏବେ ପାଣି ପାଇଁ ଜନବସତି ମଧ୍ୟକୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି ।